ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା : ୩ କୋଟି ୧୮ ଲକ୍ଷ ୭୮୭ଜଣ ଭୋଟର

ମହିଳା, ଯୁବ ଭୋଟରଙ୍କ ସଂଖ୍ୟା ବଢ଼ିଛି, ଦିବ୍ୟାଙ୍ଗଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୩୭

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୮ ଲକ୍ଷ ୭୮୭ ଜଣ ଭୋଟର ପଞ୍ଜୀକୃତ ହୋଇଛନ୍ତି। ସେଥିରେ ପୁରୁଷ ଭୋଟର ୧ କୋଟି ୬୩ ଲକ୍ଷ ୩୭ ହଜାର ୩୧୦ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ରହିଛି। ପ୍ରଥମ ଥର ପାଇଁ ୧ ଲକ୍ଷ ୯୦ ହଜାର ୩୭ ଜଣ ଦିବ୍ୟାଙ୍ଗ ଭୋଟର ତାଲିକାରେ ନାମ ଯୋଡିଛନ୍ତି। କେବଳ ସେତିକି ନୁହେଁ, ୧୮ରୁ ୧୯ବର୍ଷ ବୟସ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୩୩ ହଜାର ୮୯୬ରୁ ବୃଦ୍ଧି ପାଇ ୫ ଲକ୍ଷ ୪୫ ହଜାର ୪୦୧ରେ ପହଞ୍ଚିଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୨ ହଜାର ୯୩୨ ରହିଛି। ସର୍ଭିସ ଭୋଟର ତାଲିକାରେ ନୂତନ ଭାବେ ୯ ହଜାର ୨୪୫ଜଣଙ୍କ ନାମ ପଞ୍ଜୀକୃତ ହେବା ପରେ ଏହି ସଂଖ୍ୟା ୩୭ ହଜାର ୪୨୩କୁ ଛୁଇଁଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮ ଭୋଟର ତାଲିକା ଅନୁଯାୟୀ ଲିଙ୍ଗଗତ ଅନୁପାତ ୯୩୯ ଥିବା ବେଳେ ୨୦୧୯ରେ ଏହା ୯୪୬କୁ ବୃଦ୍ଧି ପାଇଛି। ଏସବୁକୁ ମିଶାଇ ହିସାବ କଲେ ଅର୍ଥାତ୍ ୨୦୧୮ ସେପ୍ଟେମ୍ବରରେ ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକା ତୁଳନାରେ ମୋଟ ୧୧ଲକ୍ଷ ୯୮ହଜାର ୮୧୯ ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି। ପୂର୍ବରୁ ସମୁଦାୟ ଭୋଟର ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ ଥିଲା।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ୯ ଲକ୍ଷ ୨ ହଜାର ୭୯୨ ଜଣ ଭୋଟର ଏକାଧିକ ସ୍ଥାନରେ ନାମ ଦରଜ କରିଥିଲେ। ଯାଞ୍ଚ ପରେ ସେମାନଙ୍କ ଭିତରୁ ୧ ଲକ୍ଷ ୮୦ ହଜାର ୩୯୧ ଜଣଙ୍କୁ ବାଦ ଦିଆଯାଇଛି। ଚୂଡାନ୍ତ ଭୋଟର ତାଲିକାରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ୯୮.୦୧%କୁ ବୃଦ୍ଧି ପାଇଛି। ସେହିଭଳି ଫଟୋ ପରିଚୟ ପତ୍ର ସଂଖ୍ୟା ଥିବା ଭୋଟର ସଂଖ୍ୟା ୯୮.୨୨%ରୁ ବୃଦ୍ଧି ପାଇଁ ୯୮.୩୮ %ରେ ପହଞ୍ଚିଛି।

ସହରାଞ୍ଚଳରେ ବୁଥ ପିଛା ୧୪୦୦ ଭୋଟର ଓ ଗ୍ରାମାଞ୍ଚଳରେ ୧୨୦୦ ଭୋଟର ମତ ଦାନ କରିବା ଭଳି ବ୍ୟବସ୍ଥା ରଖି େଭାଟଗ୍ରହଣ କେନ୍ଦ୍ର ନିର୍ଧାରଣ କରାଯାଇଛି। ୨୦୧୮ରେ ସାରା ରାଜ୍ୟରେ ୩୫ ହଜାର ୮୯୬ଟି ଭୋଟ ଗ୍ରହଣ କେନ୍ଦ୍ର ଥିଲା। ଏବେ ଏହା ବଢି ୩୭ ହଜାର ୬୦୬ରେ ପହଞ୍ଚଛି। ତେବେ ୩୩୩ଟି ବୁଥରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଭୋଟର ରହିଛନ୍ତି। ସେମାନଙ୍କ ଲାଗି ଆଉ ଅଧିକ ସହାୟକ ଭୋଟ ଗ୍ରହଣ କେନ୍ଦ୍ର ପାଇଁ ଅନୁମତି ଦେବାକୁ ନିର୍ବାଚନ ଆୟୋଗଙ୍କୁ ଅନୁେରାଧ କରାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ, ଭୋଟର ସହାୟତା କେନ୍ଦ୍ର କେବଳ ଜିଲ୍ଲା ସ୍ତରରେ ନହୋଇ ଏଣିକି ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଖୋଲାଯିବ। ଭୋଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ଅନଲାଇନ ଯୋଗେ www.ceoorissa.nic.in କିମ୍ବା www.nvsp.inରେ ଯାଞ୍ଚ କରିପାରିବେ। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର ଚଳିତମାସ ୩୧ ସୁଦ୍ଧା ଖୋଲାଯିବ। ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲେ ବି ଯେଉଁ ଭୋଟରଙ୍କୁ ୨୦୧୯ ଜାନୁଆରି ପହିଲା ସୁଦ୍ଧା ୧୮ ବର୍ଷ ହୋଇଥିବ ସେମାନେ ନାମାଙ୍କନ ପତ୍ର ଦାଖଲ ପାଇଁ ଧାର୍ଯ୍ୟ ତାରିଖର ୧୦ ଦିନ ପୂର୍ବରୁ ନିଜ ନାମ େଯାଡିପାରିବେ। ଭୋଟରଙ୍କ ସୁବିଧା ପାଇଁ ନିଃଶୁଳ୍କ ନମ୍ବର ୧୯୫୦ର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର