ଗଡ଼ିବ ନୂତନ ସାପ୍ତାହିକ ହମ୍‌ସଫର ଏକ୍ସପ୍ରେସ୍‌ ଟ୍ରେନ୍‌ : ସମ୍ବଲପୁର ସିଟି-ଝାରସୁଗୁଡ଼ା ଦେଇ ଯିବ

ଚନ୍ଦ୍ରଶେଖରପୁର : ପୁରୀ ଏବଂ ଇନ୍ଦୋର ମଧ୍ୟରେ ଏକ ନୂଆ ସାପ୍ତାହିକ ହମ୍‌ସଫର ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲିବା ନେଇ ବିଭାଗୀୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍‌ର ନିୟମିତ ସେବା ଚଳିତ ମାସ ୨୨ରୁ ଇନ୍ଦୋର୍‌ରୁ ଏବଂ ୨୩ରୁ ପୁରୀରୁ ଆରମ୍ଭ ହେବ। ଏହି ଟ୍ରେନ୍‌ ପ୍ରତି ମଙ୍ଗଳବାର ଅପରାହ୍‌ଣ ୧୨.୪୦ରେ ଇନ୍ଦୋରରୁ ବାହାରି ପୁରୀଠାରେ ତା’ ପରଦିନ ସଂଧ୍ୟା ୭ଟା ୫୫ରେ ପହଞ୍ଚିବ। ସେହିପରି ପୁରୀ-ଇନ୍ଦୋର ହମସଫର ପୁରୀଠାରୁ ପ୍ରତି ବୁଧବାର ରାତ୍ର ୧୧ଟା ୫୫ରେ ଛାଡ଼ି ଇନ୍ଦୋରଠାରେ ଶୁକ୍ରବାର ପୂର୍ବାହ୍ନ ୧୧.୨୫ରେ ପହଞ୍ଚିବ। ଏହି ଟ୍ରେନ୍‌ରେ ୧୬ଟି ଏସି-୩ ଟାୟାର ଉପଲବ୍ଧ ଥିବା ବେଳେ ଏହା ପୁରୀ ଓ ଇନ୍ଦୋର ମଧ୍ୟରେ ଉଭୟ ଦିଗରୁ ଖୋର୍ଧା ରୋଡ, ଭୁବନେଶ୍ୱର, ଅନୁଗୋଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ୍‌, ବିଳାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଁଓ, ନାଗପୁର, ଇତାରସି, ଭୋପାଳ ଓ ଦେୱାସ ଷ୍ଟେସନମାନଙ୍କରେ ରହଣୀ କରିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତେବେ ଆସନ୍ତାକାଲି (ଶନିବାର) ସଂଧ୍ୟା ୬ଟା ୧୫ରେ ଏହି ଟ୍ରେନ୍‌ର ଶୁଭାରମ୍ଭ ଇନ୍ଦୋର୍‌ରୁ ହେବ। ଏହି ଅବସରରେ ଟ୍ରେନ୍‌ଟି ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ସୋମବାର ସକାଳ ୮ଟା ୧୫ ମିନିଟରେ ପୁରୀରୁ-ଇନ୍ଦୋର ଅଭିମୁଖେ ଯାତ୍ରା କରିବ।

ସମ୍ବନ୍ଧିତ ଖବର