ଶ୍ରୀମନ୍ଦିରରେ ଇଂରାଜି ନୂଆବର୍ଷ : ରାତି ୧ଟା ୨୫ରେ ଖୋଲିବ ଦ୍ଵାର

ପୁରୀ : ଡିସେମ୍ବର ୩୧ତାରିଖ ରାତି ୧୨ଟାରୁ ନୂଆବର୍ଷ ଆରମ୍ଭ ହେବାକୁ ଯାଉଛି। ନୂଆବର୍ଷରେ ପ୍ରଥମ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ଼ ଜମିବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସ୍ୱତନ୍ତ୍ର ବାରିକେଡ଼୍‌ ହୋଇଥିବା ବେଳେ ଶ୍ରୀମନ୍ଦିର ରାତି ଗୋଟାଏ ୨୫ ମିନିଟରେ ଖୋଲିବାକୁ ନୀତି ନିର୍ଘଣ୍ଟ ହୋଇଛି। ପୂର୍ବରୁ ପହିଲିଭୋଗ ନୀତି ପାଇଁ ରାତି ୨ଟାରେ ଦ୍ଵାର ଫିଟୁଥିବା ବେଳେ ଏହି ନୂଆବର୍ଷ ପାଇଁ ୩୫ମିନିଟ ପୂର୍ବରୁ ଦ୍ଵାର ଖୋଲିବାକୁ ଯାଉଛି। ତେବେ ଏହି ଇଂରାଜୀ ନବବର୍ଷ ପାଳନକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଘୋର ବିରୋଧ କରୁଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଏହି ନୂଆବର୍ଷରେ ସ୍ୱତନ୍ତ୍ର ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଛି। ଏହି ପାଳନକୁ ଅନ୍ତତଃ ଶ୍ରୀମନ୍ଦିର ପ୍ରଶାସନ ସମର୍ଥନ ନ କରୁ ବୋଲି ସେବାୟତ ସୁନୀଲ ପୂଜାପଣ୍ଡା କହିଛନ୍ତି। ସେ କହିଛନ୍ତି ରାତି ଅଧରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ଅଧିକାଂଶ ମଦ୍ୟପ ଥାଆନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରମାଣିତ ହୋଇଛି। ଏଣୁ ଏହି ପାଳନକୁ ସମ୍ପୂର୍ଣ୍ଣ ବିରୋଧ ହେଉ। ଶ୍ରୀମନ୍ଦିର ପ୍ରଶାସନ ଏହାକୁ ପ୍ରୋତ୍ସାହିତ ନ କରୁ। ତାଙ୍କ ସହିତ ଶ୍ରୀକ୍ଷେତ୍ର ସ୍ୱାଭିମାନ ମଞ୍ଚ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ ଆହ୍ଵାନକୁ ସ୍ୱାଗତ କରିଛନ୍ତି। ଏହି ଆହ୍ଵାନ ଶ୍ରୀମନ୍ଦିରରୁ ଆରମ୍ଭ ହେଉ ବୋଲି ମଞ୍ଚ ଆବାହକ ଦେବାଶିଷ ଦାସ ମତବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଚଳିତ ବର୍ଷ ୭ ଲକ୍ଷ ଭକ୍ତଙ୍କ ସମାଗମ ଆଶା କରାଯାଉଥିବାରୁ ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ବ୍ୟବସ୍ଥା ଥିବା ବେଳେ ସ୍ୱତନ୍ତ୍ର ଅଧିକାରୀ ମୁତୟନ ହେବାକୁ ଯାଉଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ସ୍ୱତନ୍ତ୍ର ବାରିକେଡ଼ କରାଯାଇ କେବଳ ସିଂହଦ୍ଵାରରେ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଅନ୍ୟ ସମସ୍ତ ଦ୍ଵାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର