ରାଉରକେଲାରେ ଅଟକିଛି ନ୍ୟୁଜିଲାଣ୍ଡର ଦୁଇ ବିମାନ, ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର କାମରେ ଆସିଥିଲେ

ବିମାନରେ ଥିଲେ ୪ ବିଦେଶୀ, ଲକ୍‌ଡାଉନ୍‌ ପରେ ବିମାନ ରଖି ଚାଲି ଯାଇଥିଲେ

ରାଉରକେଲା: ରାଉରକେଲା ବିମାନବନ୍ଦରରେ ଅଟକିଛି ନ୍ୟୁଜିଲାଣ୍ଡର ଦୁଇ ବିମାନ। ଦୁଇଟି ବିମାନ ମଧ୍ୟରେୁ ଗୋଟିଏ ଗତ ୧୯ ତାରିଖରେ ଏବଂ ଅନ୍ୟଟି ୨୦ ତାରିଖରେ ରାଉରକେଲାରେ ଅବତରଣ କରିଥିଲା। ଯେତେବେଳେ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଭାରତ ସହ ସାରା ବିଶ୍ବ ଲଢ଼େଇ କରୁଛି, ସେତେବେଳେ ଦୁଇଟି ବିଦେଶୀ ବିମାନ ବିମାନବନ୍ଦରରେ ଛିଡ଼ା ହେବା ସ୍ମାର୍ଟସିଟି ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ତେବେ ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଏଯାଏ କିଛି ସ୍ପଷ୍ଟ କରିନାହିଁ। ସେପଟେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ତ୍ତୃପକ୍ଷ କହିଛନ୍ତି, ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଓଡ଼ିଶା , ଝାରଖଣ୍ଡ , ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ସର୍ଭେ ଲାଗି ଏକ କମ୍ପାନିକୁ ଭାରତ ସରକାର ନିଯୁକ୍ତ କରିଥିଲେ। କମ୍ପାନି ୪ଟି ରାଜ୍ୟରେ ସର୍ଭେ ପାଇଁ ନ୍ୟୁଜିଲାଣ୍ଡର ଦୁଇଟି ସ୍ବତନ୍ତ୍ର ବିମାନ ଆଣିଥିଲେ। ସେଥିରେ ସର୍ଭେ ପାଇଁ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି। ଗୋଟିଏ ବିମାନ ଗତ ୧୯ରେ ଓ ଅନ୍ୟଟି ପରଦିନ ଅର୍ଥାତ୍‌ ୨୦ରେ ଅବତରଣ କରିଥିଲା। ଏଥିରେ ଦୁଇଜଣ ପାଇଲଟ୍‌ଙ୍କୁ ମିଶାଇ ୪ଜଣ ବିଦେଶୀ ନାଗରିକ ଓ ୨ ଜଣ ଭାରତୀୟ ଥିଲେ। କରୋନା ପାଇଁ ନ୍ୟୁଜିଲାଣ୍ଡ ଦୂତାବାସ ପକ୍ଷରୁ ସେମାନଙ୍କୁ ଫେରି ଯିବାକୁ କୁହାଯାଇଥିଲା। ଫଳରେ ୪ ବିଦେଶୀ ଝାରସୁଗୁଡ଼ା ଦେଇ ଦିଲ୍ଲୀ ଫେରି ଯାଇଛନ୍ତି। ସମସ୍ତଙ୍କ ଡାକ୍ତରୀ ଯାଞ୍ଚ ଆଇଜିଏଚ୍‌ରେ କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ୍‌ ଥିଲା ବୋଲି କୁହାଯାଉଛି। ଏ ବାବଦରେ ଜିଲ୍ଲା ପ୍ରଶାସନ ପାଖରେ ସୂଚନା ଅଛି ବୋଲି ଆର୍‌ଏସ୍‌ପି କର୍ତ୍ତୃପକ୍ଷ କହିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆ ଯାଇନାହିଁ।

ତେବେ ଗତ ୨୦ ତାରିଖରେ ବିମାନ ଚଳାଚଳ ବନ୍ଦ ହୋଇନଥିବା ବେଳେ ସେମାନେ ରାଉରକେଲା ବିମାନବନ୍ଦରରେ କାହିଁକି ଛାଡ଼ି ଦେଇଗଲେ, ତାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ୪ ବିଦେଶୀ ସମେତ ଦୁଇ ଭାରତୀୟ ରାଉରକେଲା ବିମାନବନ୍ଦରରେ ଓହ୍ଲାଇବା ପରେ ରହିବା ପାଇଁ ରହିବା ପାଇଁ ଚିନ୍ତା ବଢ଼ିଥିଲା। ସେମାନଙ୍କୁ ସ୍ଥାନୀୟ ଏକ ହୋଟେଲକୁ ନିଆଯାଇଥିଲା। କିନ୍ତୁ ହୋଟେଲ ମାଲିକ ମେଡିକାଲ ଯାଞ୍ଚ ସାର୍ଟିଫିକେଟ୍‌ ନ ଦେଖାଇଲେ ରହିବାଲାଗି ଅନୁମତି ମିଳିବ ନାହିଁ ବୋଲି ରୋକଠୋକ୍‌ ମନା କରି ଦେଇଥିଲେ। ବାଧ୍ୟ ହୋଇ ସେମାନେ ଆଇଜିଏଚ୍‌ରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେଓ ସାଟିଫିକେଟ୍‌ ପ୍ରସ୍ତୁତ କରି ହୋଟେଲ ମ୍ୟାନେଜରଙ୍କୁ ଦେଖାଇଥିଲେ। ପରେ ସେମାନଙ୍କୁ ହୋଟେଲ୍‌ରେ ରହିବାକୁ ଅନୁମତି ମିଳିଥିଲା। ସେମାନେ ହୋଟେଲରେ ରହଣି ସମ୍ପର୍କରେ ଜିଲ୍ଲା ପ୍ରଶାସନ ପାଖରେ ଖବର ଥିଲା କି ନାହିଁ, କିଛି ସ୍ପଷ୍ଟ ହୋଇନାହିଁ। ତେବେ ପ୍ରଶାସନ ପକ୍ଷରୁ କରୋନା ସଂପର୍କରେ ଗଣମାଧ୍ୟମକୁ ଦିଆ ଯାଇଥିବା ସୂଚନାରେ ଏକଥା କେବେ ଉଲ୍ଲେଖ କରା ଯାଇନାହିଁ। ଏ ସଂପର୍କରେ ଜିଲ୍ଲାପାଳଙ୍କ ମତାମତ ଜାଣିବା ଲାଗି ଚେଷ୍ଟା ଚାଲିଥିଲେ ମଧ୍ୟ ଏହା ସମ୍ଭବ ହୋଇନାହିଁ। ମାମଲାକୁ ନେଇ ଇସ୍ପାତ ସହରରେ ନାନା ଗୁଜବ ପ୍ରଚାର ହେଉଛି। ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଆବଶ୍ୟକ ବୋଲି ସହରର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର