ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହ ଉଦ୍‌ଘାଟିତ

ଭୁବନେଶ୍ବର : ନବଜାତ ଯତ୍ନ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜିର ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଏହାସହ ସମୟ ପୂର୍ବରୁ ଓ କମ୍ ଓଜନ ଜନ୍ମିତ ଶିଶୁଙ୍କ ଚିକିତ୍ସା ଓ ଯତ୍ନ ପାଇଁ ସ୍ବାସ୍ଥ୍ୟାନୁଷ୍ଠାନରେ ନିୟୋଜିତ ଡାକ୍ତର ଓ କର୍ମଚାରୀଙ୍କ ତାଲିମ୍ କାର୍ଯ୍ୟକ୍ରମର ମଧ୍ୟ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଶ୍ରୀ ଜେନା କହିଲେ, ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ପ୍ରାଧାନ୍ୟ ଦିଆଯାଇ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଗତ ୧୦ବର୍ଷରେ ଶିଶୁ ମୃତ୍ୟୁହାର ୬୫ ପ୍ରତିଶତରୁ କମି ଏବେ ୪୦ରେ ପହଞ୍ଚିଛି। ଏବେ ରାଜ୍ୟରେ ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରସବ ହାର ୮୫ ପ୍ରତିଶତରୁ ଅଧିକ ରହିଛି। ଏହାକୁ ଆହୁରି ବଢ଼ାଇବା ପାଇଁ ଉଦ୍ୟମ କରାଯାଉଛି। ରାଜ୍ୟର ୩୦ଟି ଜିଲ୍ଲାରେ ୩୭ଟି ଏସ୍‌ଏନ୍‌ସିୟୁ କାର୍ଯ୍ୟ କରୁଛି। ଗତ ବର୍ଷ ସମସ୍ତ ଏସ୍‌ଏନ୍‌ସିୟୁରେ ୪୬ହଜାରରୁ ଅଧିକ ଶିଶୁ ଚିକିତ୍ସିତ ହୋଇଛନ୍ତି। ୨୦୧୮/୧୯ବର୍ଷକୁ ନବଜାତ ଶିଶୁ ଯତ୍ନ ବର୍ଷ ଭାବେ ପାଳନ କରାଯିବ। ବର୍ଷବ୍ୟାପୀ ଏହି କାର୍ଯ୍ୟକ୍ରମ ଜରିଆରେ ଆଶା କର୍ମୀ, ଏଏନ୍‌ଏମ୍, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟାମାନଙ୍କୁ ନବଜାତ ଶିଶୁ ଯତ୍ନ ସଂପର୍କରେ ସଚେତନ କରାଯିବ ବୋଲି ସେ କହିଥିଲେସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା କହିଲେ, ସବୁ ଜିଲ୍ଲାରେ ଏସ୍‌ଏନ୍‌ସିୟୁ କାର୍ଯ୍ୟକ୍ଷମ ହେଉଥିବା କ୍ଷେତ୍ରରେ ଦେଶର ୭ଟି ଜିଲ୍ଲା ମଧ୍ୟରେ ଓଡ଼ିଶା ରହିଛି। ଆଗାମୀ ଦିନରେ ଉପଖଣ୍ଡ ଓ ଏମ୍‌ସିଏଚ୍‌ରେ ଏସ୍‌ଏନ୍‌ସିୟୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ‘ଦମନ’ କାର୍ଯ୍ୟକାରୀ ହୋଇଥିବା ଡା.ମେହେର୍ଦା କହିଥିଲେ। ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ କହିଲେ, ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ‘ସଂପୂର୍ଣ୍ଣା’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ଏହା ଜରିଆରେ ଅପହଞ୍ଚ ଅଞ୍ଚଳରେ ଗର୍ଭବତୀ ମହିଳା ଓ ରୋଗଗ୍ରସ୍ତ ଶିଶୁମାନଙ୍କ ଚିହ୍ନଟ କରାଯାଇ ଆବଶ୍ୟକସ୍ଥଳେ ନିକଟସ୍ଥ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା ହୋଇଛି। ୩୭ଟି ଏସ୍‌ଏନ୍‌ସିୟୁ ସହିତ ୬୨ଟି ପୁଷ୍ଟିସାଧନ କେନ୍ଦ୍ର କାର୍ଯ୍ୟ କରୁଛି। ନବଜାତ ଶିଶୁଙ୍କ ପାଇଁ ଜନ୍ମ ପରେ ପୋଷାକ ପ୍ରଦାନ ଓ ୨୫ଶହ ଗ୍ରାମରୁ କମ୍ ଓନଜର ଶିଶୁ ଥିଲେ ଆଶାମାନେ ଶିଶୁଙ୍କ ଘରକୁ ଯାଇ ୧୫ମାସ ପର୍ଯ୍ୟନ୍ତ ଦେଖାଶୁଣା କରିବାର ବ୍ୟବସ୍ଥା ହୋଇଛି ବୋଲି ଶ୍ରୀମତୀ ପଣ୍ଡିତ ସୂଚନା ଦେଇଥିଲେ।

ଏହି ଅବସରରେ ଏସ୍‌ଏନ୍‌ସିୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ, ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦ୍ବିତୀୟ ଓ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ନିଜ ଘରେ ଜନ୍ମିତ ଶିଶୁମାନଙ୍କ ଯତ୍ନ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଥମ, ସୋନପୁର ଜିଲ୍ଲାକୁ ଦ୍ବିତୀୟ ଓ ବୌଦ୍ଧ ଜିଲ୍ଲାକୁ ୩ୟ ପୁରସ୍କାର, ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରସବ ଗୃହର ଉନ୍ନତି କ୍ଷେତ୍ରରେ ‘ଲକ୍ଷ୍ୟ’ ପାଇଁ କଳାହାଣ୍ଡି, ଢେଙ୍କାନାଳ ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା। ଗତବର୍ଷ ୪୬ହଜାର ଶିଶୁ ଏସ୍‌ଏନ୍‌ସିୟୁରେ ଚିକିତ୍ସିତ ହୋଇଥିବା ବେଳେ ଏଥିରେ ୧କେଜିରୁ କମ୍ ୧୧୩ଶିଶୁ ଚିକିତ୍ସିତ ହୋଇ ସୁସ୍ଥ ହୋଇପାରିଛନ୍ତି। ଭଦ୍ରକ ଜିଲ୍ଲା ଚକାପୁର ଗ୍ରାମର ୧୪ମାସ ପୁଷ୍ପାଞ୍ଜଳି ବେହେରା, ରାୟଗଡ଼ା ଡିଏଫଓ ଅଫସର ଲେନ୍-୨ର ହାୟାତ କୌସର ଓ କୋରାପୁଟ ବୋରିଗୁମା ବ୍ଲକ୍‌ ପୁଜାରୀଗୁଡ଼ାର ବିଦ୍ୟା ଗଡ଼ବାକୁଙ୍କୁ ସମ୍ବର୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ବି.କେ ବ୍ରହ୍ମା, ପରିବାର କଲ୍ୟାଣ ନିର୍ଦେଶକ ଡା.ଲିଙ୍ଗରାଜ ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ୟୁନିସେଫର ବିବେକ ସିଂହ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର