ବୁଗୁଡ଼ା : ପ୍ରସବ କରି ଆମ୍ବଗଛ ତଳେ ଶିଶୁପୁତ୍ରକୁ ଫୋପାଡ଼ି ଦେଇଥିଲା ମା’। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ଗଛତଳେ କାନ୍ଦୁଥିବା ନବଜାତ ଶିଶୁକୁ ଦେଖି ଗ୍ରାମବାସୀଙ୍କ ହୃଦୟ ଥରି ଉଠିଥିଲା। ଶେଷରେ ଅଙ୍ଗନବାଡ଼ି କର୍ମୀ ସେଠାରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲେ। ଆଉ ପୁଲିସର ହସ୍ତକ୍ଷେପ ପରେ ୮ ଘଣ୍ଟା ପରେ ଶିଶୁପୁତ୍ର ପୁଣି ମା’ କୋଳକୁ ଫେରିଥିଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ କରସିଂ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମହିଳାଜଣକ କାହିଁକି ନିଜ ଜନ୍ମକଲା ଛୁଆକୁ ପୋଫାଡ଼ିଦେଇ ପଳାଇଥିଲେ ଏ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନି।
ମିଳିଥିବା ସୂଚନାନୁସାରେ, ଏହି ମହିଳାଙ୍କ ଆଗରୁ ଦୁଇ ସନ୍ତାନ ଥିବା ବେଳେ ସ୍ବାମୀ ରାଜ୍ୟ ବାହାରେ ରହୁଛନ୍ତି। ପରିବାରର ଆର୍ଥିକ ସ୍ଥିତି ବି ଭଲ ନାହିଁ। ଏହାରି ମଧ୍ୟରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ। ଆଜି ସକାଳେ ସେ ଏକ ଶିଶୁପୁତ୍ରକୁ ପ୍ରସବ କରିଥିଲେ। କିନ୍ତୁ ଶିଶୁଟିକୁ ଗ୍ରାମର ହାଇସ୍କୁଲ୍ ପଛପାଖ ଏକ ଆମ୍ବଗଛ ତଳେ ଫୋପାଡ଼ି ଚାଲି ଆସିଥିଲେ।
ଆଜି ସକାଳ ୬ଟା ବେଳେ କିଛି ଗ୍ରାମବାସୀ ଶୌଚ ପାଇଁ ଆସିଥିବା ବେଳେ ନବଜାତ ଶିଶୁଟିର କାନ୍ଦ ଶଦ୍ଦ ଶୁଣିଥିଲେ। ଆମ୍ବଗଛ ପାଖରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଏହା ପରେ ଅଙ୍ଗନବାଡ଼ି କର୍ମୀ ଶିଶୁକୁ ଉଦ୍ଧାର କରି ସକାଳ ୧୧ଟାରେ ବୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଶିଶୁଟିର ପରୀକ୍ଷାନିରୀକ୍ଷା କରି ସେ ସୁସ୍ଥ ଥିବା କହିଥିଲେ। ପରେ ପୁଲିସକୁ ସୂଚନା ଦିଆଯାଇଥିଲା।
ଏସ୍ଆଇ ତନୁଶ୍ରୀ ସାହୁ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶିଶୁର ମା’କୁ ଠାବ କରି ପଚରାଉଚରା କରିବା ସହ ଡାକ୍ତରଖାନାକୁ ଆଣିଥିଲେ। ତେବେ ମହିଳାଜଣକ କହିଥିଲେ, ସେ ଶୌଚ ପାଇଁ ଯାଇଥିବା ସମୟରେ ପ୍ରସବ କରିଥିଲେ। ପରେ ଶିଶୁକୁ ସେଠାରେ ରଖି କପଡ଼ା ନେବାକୁ ଘରକୁ ଆସିଥିଲେ। ବୁଝାସୁଝା କରିବା ପରେ ଅପରାହ୍ଣ ୩ଟାରେ ଶିଶୁପୁତ୍ର ମା’ କୋଳକୁ ଫେରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/baby.jpg)