୨୪୧ କୋଟିର ପ୍ରକଳ୍ପକୁ ଏନ୍‌ଜିଟି ଝଟ୍‌କା, ଅନ୍ୟାଦେଶ ପର୍ଯ୍ୟନ୍ତ କାମ ବନ୍ଦ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ମଣିକୁଣ୍ତା ଗ୍ରାମରେ ୨୪୧ କୋଟି ବ୍ୟୟରେ ନିର୍ମାଣାଧୀନ ମେଗା ଜଳଯୋଗାଣ ପ୍ରକଳ୍ପକୁ ଶକ୍ତ ଧକ୍କା ଲାଗିଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଜଙ୍ଗଲ ସ˚ରକ୍ଷଣ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ପ୍ରକଳ୍ପ ଉପରେ ରୋକ୍‌ ଲଗାଇଛନ୍ତି। ବନ ସ˚ରକ୍ଷଣ ଆଇନ୍‌ ୧୯୮୦କୁ ଉଲ୍ଲଂଘନ କରି ବେସରକାରୀ ଠିକା ସ˚ସ୍ଥା ‘ଏଲ୍‌ ଆଣ୍ତ ଟି’ ମଣିକୁଣ୍ତା ଗ୍ରାମରେ ବେଆଇନ୍‌ ଭାବେ ଏହି ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାରୁ ଏହି ପ୍ରକଳ୍ପ ଆଗକୁ ବଢ଼ିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ଏହି ମେଗା ପ୍ରକଳ୍ପ ପାଇଁ ଗତ ୨୦୧୮ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟଜଳ ଯୋଗାଣ ବିଭାଗ ତତ୍ତ୍ବ‌ାବଧାନରେ ଉକ୍ତ ଗ୍ରାମରେ ଖତିଆନ ନ˚. ୬୪ ପ୍ଲଟ ନ˚ ୩୨୩ ଓ ୩୬୩ ଏକର ୧୫.୪୪ ଜଙ୍ଗଲ କିସମ ଜମି ଉପରେ ବେଆଇନ୍‌ ନିର୍ମାଣ କରାଯାଉଛି ବୋଲି ସୂଚନା ଅଧିକାର କର୍ମୀ ଆଳୟ ସାମନ୍ତରାୟ ଓ ସ˚ପଦ ସ୍ବାଇଁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ରିଟ୍‌ ପିଟିସନ୍‌ ଦାୟର କରିଥିଲେ।

ରିଟ୍‌ ପିଟିସନ୍‌ର ଶୁଣାଣି କରି ଏନ୍‌ଜିଟି କେନ୍ଦ୍ରାପଡା ଜିଲ୍ଲାପାଳ ଓ କଟକ ଡିଏଫ୍‌ଓଙ୍କୁ ନେଇ ଗଠିତ କମିଟି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। ତେବେ ପୁନର୍ବାର ଉକ୍ତ କମିଟି ଏନ୍‌ଜିଟିକୁ ଭୁଲ ତଥ୍ୟ ପ୍ରଦାନ କରିଥିବା ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା।

ଏହି ମାମଲାରେ ଦ୍ବିତୀୟ ବାର ଏନ୍‌ଜିଟି ତଦନ୍ତ କରି କାର୍ଯାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଓ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୫.୨୦ ଏକର ଜଙ୍ଗଲ ଜମିରେ ନିର୍ମାଣ ହେଉଥିବା ଏହି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଗ୍ରାମ୍ୟଜଳ ଯୋଗାଣ ବିଭାଗ ପୂର୍ବରୁ ଅନୁମତି ଲୋଡ଼ିଥିଲା। କିନ୍ତୁ ଜଙ୍ଗଲ ଜମି ନୋଟିସ୍‌କୁ ଏଡ଼ାଇବାକୁ ଯାଇ ପ୍ରଶାସନ ମାତ୍ର ୧ ଏକରରୁ କମ୍‌ ଜଙ୍ଗଲ ଜମିରେ ଏହା ନିର୍ମିତ ହେଉଛି ବୋଲି ଏନ୍‌ଜିଟିକୁ ସଫେଇ ଦେଇଥିଲେ। ଏହି ତଥ୍ୟ ଭ୍ରମାତ୍ମକ ବୋଲି କୋର୍ଟ କହିଛନ୍ତି।

ଏକ ମାମଲାର ଶୁଣାଣି କରି ଏନ୍‌ଜିଟି ଗତ ୬ ତାରିଖରେ କାର୍ଯ୍ୟ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ କାହିଁକି ଆଇନ୍‌ ଉଲ୍ଲ˚ଘନ କରାଯାଇଛି ଆସନ୍ତା ୩ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେବା ସହ ଅନ୍ୟାଦେଶ ପର୍ଯ୍ୟନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସକୁ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର