ମୁଖ୍ୟ ସଚିବଙ୍କୁ ଏକାକୀ ଭେଟିଲେ ଏନ୍‌ଏଚ୍‌ଏଆଇ ସଦସ୍ୟ

‘ସବୁ ପ୍ରକଳ୍ପ ପାଇଁ ମଞ୍ଜୁରି ଅପରିହାର୍ଯ୍ୟ’

ଭୁବନେଶ୍ୱର: ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଜାତୀୟ ରାଜପଥ କର୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ସଦସ୍ୟ ଆନନ୍ଦ ସିଂ ଏକାକୀ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା। ପରେ ସେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କୁ ସାକ୍ଷାତ କରିଥିଲେ। ରାଉରକେଲା ସଂଲଗ୍ନ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗ ନେଇ କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିବା ବେଳେ ଶ୍ରୀ ସିଂଙ୍କ ଭୁବନେଶ୍ୱର ଆସି ମୁଖ୍ୟ ସଚିବଙ୍କୁ ଏକାନ୍ତରେ ଭେଟିବା ଘଟଣା ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି।

ମୁଖ୍ୟ ସଚିବଙ୍କ ସହିତ ଆଲୋଚନା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶ୍ରୀ ସିଂ କହିଲେ ଯେ ରାଜ୍ୟରେ ଚାଲିଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପ, ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ, ଭାରତମାଳାରେ ସ୍ଥାନ ପାଇଥିବା ରାଜ୍ୟର ବିଭିନ୍ନ ପ୍ରକଳ୍ପ ସଂପର୍କରେ ବିସ୍ତତ ଭାବେ ଆଲୋଚନା ହୋଇଛି। ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ଜମି ନିମନ୍ତେ ମଞ୍ଜୁରି ଆବଶ୍ୟକ। ଏ ନେଇ ଆଲୋଚନା ବେଳେ ମୁଖ୍ୟ ସଚିବ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଓଡ଼ିଶାରେ ଭଲ କାମ ହେଉଥିବା ଦର୍ଶାଇ ଆଗାମୀ ଦିନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। ରାଉରକେଲାର ବ୍ରାହ୍ମଣୀ ନଦୀରେ ୨ୟ ସେତୁ ନିର୍ମାଣର ସ୍ଥିତି ଏବଂ ସେଥିପାଇଁ ମଞ୍ଜୁରି ଆବଶ୍ୟକ କି ବୋଲି ପଚରାଯାଇଥିଲା। ସେ କହିଥିଲେ ଯେ ସମସ୍ତ ପ୍ରକଳ୍ପ ପାଇଁ ମଞ୍ଜୁରି ନିତାନ୍ତ ଜରୁରି। ତେବେ ନିର୍ଦିଷ୍ଟ ଭାବେ ରାଉରକେଲା ବ୍ରାହ୍ମଣୀ ସେତୁ ପ୍ରସଙ୍ଗକୁ ସେ ଏକପ୍ରକାର ଏଡ଼ାଇ ଯାଇଥିଲେ। ସେ କହିଥିଲେ ଯେ ପ୍ରକଳ୍ପର ସ୍ଥିତି ଦେଖି କହିବେ। ତେବେ କାମ ଯଥାଶୀଘ୍ର ହେବ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଏନ୍‌ଏଚ୍‌ଏଆଇ ସଦସ୍ୟ ଶ୍ରୀ ସିଂ ଓଡ଼ିଶା ସମେତ ୭ଟି ରାଜ୍ୟ(ଅନ୍ୟଗୁଡ଼ିକ ବିଜେପି ଶାସିତ)ରେ ଜାତୀୟ ରାଜପଥ କାର୍ଯ୍ୟ ତଦାରଖ ଦାୟିତ୍ୱରେ ରହିଛନ୍ତି। ଯଦି କେନ୍ଦ୍ର ସରକାର ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ ନ କରନ୍ତି, ଓଡ଼ିଶା ସରକାର ନିଜସ୍ୱ ସମ୍ବଳରେ ସେତୁ ନିର୍ମାଣ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ରାଜନୈତିକ ପ୍ରସଙ୍ଗ ଭାବେ ମୁଣ୍ଡ ଟେକୁଥିବାରୁ କେନ୍ଦ୍ର ସରକାରଙ୍କ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଅନ୍ୟପଟେ, ରାଜ୍ୟର ଅଧିକାଂଶ ଜାତୀୟ ରାଜପଥ ଖାଲଖମାରେ ଭର୍ତି। ଏ ନେଇ ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି। ଏହା ସତ୍ତ୍ୱେ ଏ ଦିଗରେ ଏନ୍‌ଏଚ୍‌ଏଆଇ ଘୋର ଅବହେଳା କରିଆସୁଛି। ଏଣୁ ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଏନ୍‌ଏଚ୍‌ଏଆଇ ନିଜେ ଅଡ଼ୁଆରେ ପଡ଼ିବାର ବି ଭୟ ରହିଛି।

ସମ୍ବନ୍ଧିତ ଖବର