ଠିକା ନର୍ସଙ୍କୁ ଏନ୍‌ଏଚ୍‌ଏମ୍‌ ନିର୍ଦେଶିକାଙ୍କ ଚେତାବନୀ: ୨୪ ଘଣ୍ଟାରେ ଆନ୍ଦୋଳନରୁ ନ ହଟିଲେ ଛଟେଇ

ସଂଘ ହାତ ଛାଡ଼ି ଲଢ଼ିବାକୁ ନର୍ସଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ୬ ଦିନ ବିତିଗଲାଣି। ଆନ୍ଦୋଳନରୁ ଓହରୁ ନାହାନ୍ତି ଠିକା ନର୍ସ। ଏଣେ ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀ ହନ୍ତସନ୍ତ ହେଉଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ ଜିଦ୍‌ରେ ଅଟଳ। ୨ ମାସ ମଧ୍ୟରେ ଦାବି ପୂରଣ କରାଯିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେବାକୁ ରୋକଠୋକ୍‌ ମନା କରୁଥିବା ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ଆନ୍ଦୋଳନରତ ନର୍ସଙ୍କୁ ଚେତାବନୀ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଏନ୍‌ଏଚ୍‌ଏମ୍‌ର ଠିକା ନର୍ସମାନେ ଯଦି କାର୍ଯ୍ୟରେ ଯୋଗ ନ ଦିଅନ୍ତି ସେମାନଙ୍କୁ ଛଟେଇ କରାଯିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି। ସେ କହିଛନ୍ତି ଯେ ଠିକା ନର୍ସ ସଂଘ ସହ ବିଭିନ୍ନ ସମୟରେ ଆଲୋଚନା ହୋଇଛି। ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି। ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ଆନ୍ଦୋଳନରୁ ଓହରିଯାଇଛି। ଯେଉଁମାନେ ରହିଛନ୍ତି ସେମାନେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅନ୍ତୁ। ନ ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ୱାସ୍ଥ୍ୟ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଆଉ ବରଦାସ୍ତ କରାଯିବ ନାହିଁ। ଦରକାର ପଡ଼ିଲେ ଛଟେଇ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ନିର୍ଦେଶିକା ଶ୍ରୀମତୀ ପଣ୍ଡିତଙ୍କ ଧମକ ପରେ ମଧ୍ୟ ନରମି ନାହାନ୍ତି ନର୍ସମାନେ। ବରଂ ନିଖିଳ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘକୁ ପ୍ରତ୍ୟାଖାନ କରିଛନ୍ତି। ନିଜ ହକ୍‌ ପାଇଁ ଲଢ଼େଇ କରିବାକୁ ନିଷ୍ପତ୍ତିି ନେଇଛନ୍ତି। ଲୋୟର ପିଏମ୍‌ଜିରେ ନର୍ସଙ୍କ ଦ୍ୱାରା ଚାଲିଥିବା ଅମରଣ ଅନଶନକୁ ସ୍ଥଗିତ ରଖାଯାଇ ଧାରଣା ଆରମ୍ଭ ହୋଇଛି। ରବିବାରଠାରୁ କ୍ରାନ୍ତି ଓଡ଼ିଶା ନେତୃତ୍ୱରେ ନର୍ସମାନେ ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି। ଯେପର୍ଯ୍ୟନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇ ନାହାନ୍ତି ସେପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବୁ ନାହିଁ ବୋଲି ଆଜି ପୁଣିଥରେ ପୂର୍ବ ଜିଦ୍‌କୁ ଦୋହରାଇଛନ୍ତି। ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେବା କଥା ନିଅନ୍ତୁ। ଆମେ କାର୍ଯ୍ୟରେ ଯୋଗଦେବୁ ନାହିଁ ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ରୋଗୀ ସେବା ଆହୁରି ବିଗିଡ଼ି ଯାଇଛି। ଠିକା ନର୍ସଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଦ୍ୱାରା ସରକାରୀ ମେଡିକାଲ କଲେଜ ଏକପ୍ରକାର ଅଚଳ ହୋଇଯାଇଛି। କଟକରେ ଏସ୍‌ସିବି କଲେଜ ଛାତ୍ରୀଙ୍କୁ ରୋଗୀଙ୍କ ଚିକିତ୍ସା କାର୍ଯ୍ୟରେ ଲଗାଇବା ଲାଗି ଡକାଯାଇଥିଲେ ମଧ୍ୟ ଠିକା ନର୍ସମାନେ ଏହାକୁ ବି ବିରୋଧ କରିଛନ୍ତି। ସେମାନଙ୍କୁ କାର୍ଯ୍ୟ କରିବାକୁ ଦେଇନାହାନ୍ତି। ଜିଲ୍ଲା ମେଡିକାଲରେ କାର୍ଯ୍ୟ କରୁଥିବା ଠିକା ନର୍ସ ଜିଦ୍‌ରେ ଅଟଳ ଥିବାରୁ ପରିସ୍ଥିତି ଭୟଙ୍କର ହୋଇଛି। ଲୋୟର ପିଏମ୍‌ଜିରେ ଧାରଣା ହୋଇଥିବା ନର୍ସଙ୍କ ମଧ୍ୟରୁ ଆଜି ଆଉ ଦୁଇ ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନର୍ସ ଏବଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଏଭଳି ଛକାପଞ୍ଝା ମଧ୍ୟରେ ରୋଗୀ ହନ୍ତସନ୍ତ ହେଉଥିଲେ ମଧ୍ୟ କେହି ବି ମୁଣ୍ଡ ପୂରାଉ ନାହାନ୍ତି। ୨୪ ଘଣ୍ଟା ପୂରିବାକୁ ହାତରେ ଆଉ ମାତ୍ର କିଛି ଘଣ୍ଟା ଥିବାରୁ ଏବେ ସ୍ୱାସ୍ଥ୍ୟ ବିଭାଗ ଉପରେ ସମସ୍ତଙ୍କ ନଜର। ଯଦି ୨ ହଜାରରୁ ଅଧିକ ନର୍ସଙ୍କୁ ଛଟେଇ କରାଯାଇ ସେମାନଙ୍କ ସ୍ଥାନରେ କିଏ ଦାୟିତ୍ୱ ତୁଲାଇବେ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ନିଖିଳ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରଭାତି ମହାନ୍ତି ଆଜି ପୁଣିଥରେ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଠିକା ନର୍ସମାନେ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ସରକାର ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ନର୍ସମାନେ କାର୍ଯ୍ୟରେ ଯୋଗଦେଇ ରୋଗୀଙ୍କ ସେବା କରନ୍ତୁ।

ସମ୍ବନ୍ଧିତ ଖବର