ଭୁବନେଶ୍ୱର/ନୂଆଦିଲ୍ଲୀ : ଜେଲ୍ର ଅନ୍ଧାର କୋଠରି ଦିନେ ତା’ ପାଇଁ ସାଜିଥିଲା ଏନ୍ତୁଡ଼ିଶାଳ। ଜେଲ୍ର କାଳ କୋଠରିଟା ତା’ କୁଆଁକୁଆଁ ରାବରେ ଫାଟି ପଡ଼ିଥିଲା। ଅଥଚ ସେ କୋହର ଦରଦ ବୁଝିବାକୁ କେହି ବି ଆଗେଇ ଆସିନଥିଲେ। ସେ ଏବେ ବଡ଼ ହେଲାଣି। ୫ ବର୍ଷ ୬ମାସର ଶୈଶବକୁ ଶକ୍ତ ଲୁହା ଜାଲି ଭିତରେ କାଟି ଘରକୁ ଫେରିବା ପରେ ସେ ଚତୁର୍ଥ ଶ୍ରେଣୀରେ ୯୪ ପ୍ରତିଶତ ମାର୍କ ରଖି ପାସ୍ କରିଛି। ମାତ୍ର ଏବେ ବି ଅବୋଧ ଶିଶୁଟିଏ ଭଳି ମିନି (ଛଦ୍ମନାମ) ପଚାରୁଛି ମୁଁ କାଇଁ ଜେଲ୍ରେ ଥିଲି…? କିଏ ବା ଦେବ ତା’ର ଏ ପ୍ରଶ୍ନର ଉତ୍ତର।
Sambad is now on WhatsApp
Join and get latest news updates delivered to you via WhatsApp
ରଣପୁରର କମଳ ଲୋଚନ ସେଠୀ ଏବଂ ତାଙ୍କ ସ୍ତ୍ରୀ ସୁଜାତା ସେଠୀଙ୍କୁ ଯେବେ ମାଓ ସମର୍ଥକ ଅଭିଯୋଗରେ ପୁଲିସ୍ ୨୦୦୮ ମେ ୧୮ରେ ଗିରଫ କଲା, ତା’ର ମାତ୍ର ୩ ମାସ ପରେ ସୁଜାତା ମିନିକୁ ଜନ୍ମ ଦେଇଥିଲେ। କିନ୍ତୁ ସବୁ ପିଲାଙ୍କ ଭଳି ନା ସେ ତେଲଘଷା ପାଇଥିଲା, ନା ସୁସ୍ଥ ପରିବେଶରେ ବଢ଼ିବାର ସୁଯୋଗ ମିଳିଥିଲା। ତା’ର ବାପା, ବଡ଼ବାପା ଝିଅକୁ ଘରକୁ ନେବା ପାଇଁ କେତେ ନେହୁରା ହୋଇଥିଲେ। ହେଲେ ଅନ୍ଧ ଆଇନର ଗଳି ଭିତରେ ଫସି ଯାଇଥିଲା ଏହି କୋମଳମତୀଟି।
ଖାଲି ମିନି ନୁହେଁ, ତା ଭଳି ଆହୁରି ଅନେକ ଶିଶୁ ଏବେ ବିନା ଦୋଷରେ ଜିଉଁଛନ୍ତି ବନ୍ଦୀ ଜୀବନ। ଦୋଷ ଏତିକି ଯେ ତାଙ୍କ ମା’ଙ୍କୁ ଜେଲ୍ ହୋଇଛି। ୨୦୧୭ରେ ଜେଲ୍ରୁ ମୁକୁଳିଥିବା ସୁଜାତା ଯନ୍ତ୍ରଣାଦାୟକ ସ୍ମୃତିକୁ ମନେ ପକାଇ କହନ୍ତି, ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ୍ କଲେଜ୍ ହସ୍ପିଟାଲ୍ରେ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ତାଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲ୍କୁ ଅଣାଗଲା ସତ, କିନ୍ତୁ ଏକ ୬ଫୁଟରେ ୬ଫୁଟ ପରିମିତ ଏକାନ୍ନ କୋଠରି ଭିତରେ ୨୪ ଘଣ୍ଟା ପର୍ଯ୍ୟନ୍ତ ବସେଇ ଦିଆଗଲା। ଝିଅ ଦିନତମାମ କାନ୍ଦିଥିଲା। କିନ୍ତୁ ସମସ୍ତେ ଯେମିତି ବଧିର ପାଲଟି ଯାଇଥିଲେ।
ଦୁନିଆକୁ ଭଲ କି ଚିହ୍ନିନଥିବା ୪୬ ଜଣ ଶିଶୁ ଏବେ କାରାଗାରରେ ଜୀବନ କାଟୁଛନ୍ତି। ହତ୍ୟା, ଅପହରଣ ଏବଂ ଡ୍ରଗ୍ ବ୍ୟବସାୟ ଭଳି ସଂଗିନ୍ ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା ମା’ମାନଙ୍କ ସହ ଜେଲ୍ ସେମାନଙ୍କ ଶୈଶବର ଠିକଣା ପାଲଟି ଯାଇଛି। ଖେଳନା ସିନା ଅଛି, କିନ୍ତୁ ଖେଳିବାକୁ କେହି ସାଙ୍ଗ ନାହାନ୍ତି। ରାଜ୍ୟର ୨୫ଟି ଭିନ୍ନ ଭିନ୍ନ ଜେଲ୍ରେ ରହୁଥିବା ଏହି ଶିଶୁଙ୍କ ମଧ୍ୟରୁ ୨୫ଜଣ ଶିଶୁ କନ୍ୟା ହୋଇଥିବା ବେଳେ ଅନ୍ୟ ୨୧ଜଣ ପୁଅ। ସେମାନଙ୍କ ମଧ୍ୟରୁ ଅନେକ ସ୍କୁଲ୍ ଯିବା ବୟସରେ ଉପନୀତ ହେଲେଣି। କିନ୍ତୁ ସ୍କୁଲ୍ ମାଟି ମାଡ଼ିବାର ସୌଭାଗ୍ୟ ତାଙ୍କ ଭାଗ୍ୟରେ ଏଯାଏଁ ଜୁଟିପାରିନି। ମାନବାଧିକାର ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍ଗୋ ସୂଚନା ଅଧିକାର ଆଇନ ବଳରେ ପାଇଥିବା ତଥ୍ୟ ମୁତାବକ, ମୋଟ ୪୫ଜଣ ମା’ ରାଜ୍ୟର ବିଭିନ୍ନ ଜେଲ୍ରେ ବନ୍ଦୀ ଜୀବନ କାଟୁଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ଜଣ ଜାତି ଓ ଜନଜାତି ବର୍ଗର। ସବୁଠୁ ହୃଦୟ ବିଦାରକ କଥା ହେଉଛି, ମାତ୍ର ୯ଜଣ ମା ଅଭିଯୁକ୍ତ ବିବେଚିତ ହୋଇଥିବା ବେଳେ ଅନ୍ୟ ୩୬ଜଣ ମା’ ଏବେ ବି ଦୋଷୀ ବୋଲି ପ୍ରମାଣିତ ହୋଇନାହାନ୍ତି। ଅର୍ଥାତ ତାଙ୍କ ମାମଲା ବିଚାରାଧୀନ ରହିଛି।
ସମ୍ବଲପୁର ସର୍କଲ୍ ଜେଲ୍ରେ ସୁମିତ୍ରା ନାୟକ କୁଅଁର ବନ୍ଦୀ ଜୀବନ ବିତାଉଥିବା ବେଳେ ଏବେ ବି ତାଙ୍କର ୬ ବର୍ଷର ଝିଅ ମା’ ସହ ବନ୍ଦୀ ଜୀବନ କାଟୁଛି। ଏନେଇ ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍ଗୋ ମାନବାଧିକାର କମିସନରେ କେସ୍ କରିଥିବା ବେଳେ କମିସନର ଜେଲ୍ କର୍ତୃପକ୍ଷଙ୍କୁ ଏ ବାବଦରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ମାତ୍ର ଏଯାଏଁ ରିପୋର୍ଟ ଆସିନାହିଁ। ବଣାଁଇଗଡ଼ ଜେଲ୍ରେ ୨ ମାସର ଏକ ଶିଶୁପୁତ୍ରଟିଏ ରହିଥିବା ବେଳେ କରଞ୍ଜିଆ ଜେଲ୍ରେ ୯ ମାସର ଏକ ଶିଶୁ କନ୍ୟାଟିଏ ବନ୍ଦୀ ଜୀବନ ଜିଇଁବାକୁ ବାଧ୍ୟ ହୋଇଛି।
ସୁପ୍ରିମକୋର୍ଟ ଗାଇଡ୍ଲାଇନ୍ ମୁତାବକ, ବନ୍ଦୀଶାଳାରେ ମା’ଙ୍କ ସହ ରହୁଥିବା ୩ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ଶିଶୁ ଗୃହ ରହିବା ଆବଶ୍ୟକ। ୨ରୁ ୩ ବର୍ଷ ବୟସର ପିଲାଙ୍କ ପାଇଁ ନର୍ସରିର ବ୍ୟବସ୍ଥା କରିବା ସହ କାରାଗାର କର୍ତୃପକ୍ଷଙ୍କ ଦ୍ୱାରା ଏକ ଶିଶୁଗୃହ ଏବଂ ଜେଲ୍ ବାହାରେ ନିକଟରେ ଏକ ନର୍ସରି ସ୍ଥାପନ କରିବା ଉଚିତ୍। ସେମାନଙ୍କ ବାୟୋଲୋଜିକାଲ୍, ମାନସିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ଯଦି କିଛି ନଥାଏ, ସେମାନଙ୍କୁ ସବ୍ଜେଲ୍ରେ ରଖିବା ଉଚିତ୍ ନୁହେଁ। କିନ୍ତୁ ଏ ସବୁ ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଯଦି ରାଜ୍ୟ ଲିଗାଲ୍ ସେଲ୍ ଅଥରିଟି ଏବଂ ପ୍ରତି ଜିଲ୍ଲାରେ ଥିବା ଜିଲ୍ଲା ଲିଗାଲ୍ ସେଲ୍ ଅଥରିଟି ଥାଇ ୪୬ଜଣ ନୀରିହ ଶିଶୁଙ୍କୁ ବିନା ଦୋଷରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ୁଛି, ତେବେ ଏ ସେଲ୍ଗୁଡ଼ିକ ଥାଇ କି ଲାଭ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନୁଗୁଳ ପାଲଲହଡ଼ା ସବ୍ଜେଲ୍ରେ ନିଜ ଶିଶୁ ସହ ବନ୍ଦୀ ଥିବା ଜଣେ ମା’ ବେଲ୍ ପାଇଛନ୍ତି। କିନ୍ତୁ ଏଯାଏଁ ତାଙ୍କୁ ବେଲ୍ ମିଳିପାରିନାହିଁ। ସେହିପରି ୮ଜଣ ବନ୍ଦୀ ମା’ ବି ଛୋଟମୋଟ କାରଣରୁ ଜେଲ୍ରେ ଭର୍ତି ହୋଇଥିବାରୁ ବେଲ୍ ପାଇସାରିଛନ୍ତି। ଅଥଚ ଏବେ ବି ଜେଲ୍ରେ ବନ୍ଦୀ ଜୀବନ କାଟୁଛନ୍ତି।
ଅନ୍ୟପକ୍ଷରେ, ବିଭିନ୍ନ ଜେଲ୍ରେ ମା’ ସହ ସେମାନଙ୍କ କୋମଳମତି ଶିଶୁଙ୍କ ପାଇଁ କେଉଁସବୁ ବ୍ୟବସ୍ଥା ଓ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ ଅବଗତ କରିବାପାଇଁ ଓଡ଼ିଶା ସମେତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ଜେଲ୍ ମହାନିର୍ଦ୍ଦେଶକଙ୍କୁ ଜାତୀୟ ମାନବଧିକାର କମିସନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଓଡ଼ିଶା ଘଟଣା ଆଧାରରେ ଅନ୍ୟ ରାଜ୍ୟମାନଙ୍କୁ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି।
ଓଡ଼ିଶାର ବିଭିନ୍ନ ଜେଲ୍ରେ ୯ ଜଣ ଦଣ୍ଡ ଭୋଗୁଥିବା ମହିଳା ତଥା ୩୬ ବିଚାରଧୀନ ମହିଳା କଏଦୀମାନଙ୍କ ୪୬ ଶିଶୁଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରହିବା, ଖାଇବା, ସ୍ୱାସ୍ଥ୍ୟଗତ ସୁବିଧା, ଶିକ୍ଷାର ବ୍ୟବସ୍ଥା ଉପଲବ୍ଧ କରିବା କଥା କିନ୍ତୁ ତାହା କରାଯାଇନାହିଁ। ଯଦି ଏହି ଖବର ତଥ୍ୟ ସତ ହୁଏ, ତାହେଲେ ଏହା କୋମଳମତି ଶିଶୁଙ୍କର ମାନବାଧିକାର କ୍ଷୁର୍ଣ୍ଣ କରୁଛି ବୋଲି ଏନଏଚଆରସି ପକ୍ଷରୁ କୁହାଯାଇଛି।