ଭୁବନେଶ୍ୱରରେ ଜାତୀୟ ଡାଟା ସେଣ୍ଟର୍‌

ରାଜଧାନୀରେ ଖୁବ୍‌ଶୀଘ୍ର ଇଲେକ୍ଟ୍ରୋନିକ୍‌ ମ୍ୟାନୁଫ୍ୟାକଚରିଂ କ୍ଲଷ୍ଟର ଖୋଲିବ

ଭୁବନେଶ୍ୱର : ନାସନାଲ ଇନ୍‌ଫରମେଟିକ୍ସ ସେଣ୍ଟର୍‌ (ଏନ୍‌ଆଇସି)ର ଚତୁର୍ଥ ଜାତୀୟ ଡାଟା ସେଣ୍ଟର ଆଜି ଭୁବନେଶ୍ୱରରେ ଲୋକାର୍ପିତ ହୋଇଛି। ଦିଲ୍ଲୀ, ପୁନେ ଓ ହାଇଦ୍ରାବାଦ ପରେ ଭୁବନେଶ୍ୱରରେ ଜାତୀୟ ଡାଟା ସେଣ୍ଟର ପ୍ରତିଷ୍ଠା ହୋଇଛି। ଅତ୍ୟାଧୁନିକ ସାଇବର୍‌ ସିକ୍ୟୁରିଟି, କ୍ଲାଉଡ୍‌ ଟେକ୍ନୋଲୋଜିରେ ନିର୍ମିତ ଏହି ଡାଟା ସେଣ୍ଟରକୁ ଆଜି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉଦ୍‌ଘାଟନ କରିଛନ୍ତି। ଏଥିରେ ପୂର୍ବ ଭାରତର ସମସ୍ତ ସରକାରୀ କାର୍ଯ୍ୟାଳୟର ତଥ୍ୟ ସୁରକ୍ଷିତ ଭାବେ ରହିବା ସହ ସମସ୍ତ ସରକାରୀ େଓ୍ଵବ୍‌ସାଇଟ୍‌ର ନିରାପତ୍ତା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଇ-ଗଭର୍ଣ୍ଣାନ୍‌ସ ଆପ୍ଲିକେସନ୍‌ ରହିବ। ୨୪ ଘଣ୍ଟା ପର୍ଯ୍ୟନ୍ତ ଏକ ସଙ୍ଗେ ୩୫ ହଜାର ସର୍ଭରକୁ ପରିଚାଳନା କରିବାର କ୍ଷମତା ଏହି ଜାତୀୟ ଡାଟା ସେଣ୍ଟରର ରହିବ।

ଜାତୀୟ ଡାଟା ସେଣ୍ଟରକୁ ଉଦ୍‌ଘାଟନ କରିବା ପରେ ହୋଟେଲ ଏଚ୍‌ଏଚ୍‌ଆଇରେ ଆୟୋଜିତ ଏକ ସଭାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରସାଦ କହିଲେ ଯେ, ଆଇଟି ଇକୋସିଷ୍ଟମରେ ଜାତୀୟ ଡାଟା ସେଣ୍ଟରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ପରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଇଟି କମ୍ପାନି ଭୁବନେଶ୍ୱରରେ ସେମାନଙ୍କର କମ୍ପାନି ପ୍ରତିଷ୍ଠା କରିବାକୁ ଆଗ୍ରହୀ ହେବେ। ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ କମ୍ପାନି ସହ ଯୋଗାଯୋଗ କରି ଏଠାରେ ପୁଞ୍ଜିନିବେଶ କରିବାକୁ ଆକର୍ଷିତ କରିପାରିଲେ ଭୁବନେଶ୍ୱର ଅନ୍ତର୍ଜାତୀୟ ସ୍ତରରେ ଆଇଟି ହବ୍‌ ହୋଇପାରିବ। ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍‌ ମ୍ୟାନୁଫ୍ୟାକଚରିଂ କ୍ଲଷ୍ଟର ଖୋଲିବା ପାଇଁ ୯୩ କୋଟି ଟଙ୍କା ଦେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୮ କୋଟି ପ୍ରଦାନ କରାଯାଇଛିି ବୋଲି ଶ୍ରୀ ପ୍ରସାଦ କହିଥିଲେ।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଡିଜିଟାଲ ସେକ୍ଟରରେ ଓଡ଼ିଶାରେ ବହୁତ ପ୍ରତିଭା ଅଛି। କିନ୍ତୁ ଆମ ଯୁବପିଢ଼ି ରାଜ୍ୟ ବାହାରେ କାର୍ଯ୍ୟ କରୁଛନ୍ତି। ଯଦି ରାଜ୍ୟ ସରକାର ଏକ ଉନ୍ନତ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିପାରିବେ ତେବେ ବୈଷୟିକ ଜ୍ଞାନ ହାସଲ କରୁଥିବା ଯୁବପିଢ଼ିଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି। ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରେ ଖୁବ୍‌ ଶୀଘ୍ର ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରତିଷ୍ଠା ହେବ।

ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଲେ ଯେ, ରାଜ୍ୟ ସରକାର ଭୁବନେଶ୍ୱରକୁ ଆଇଟି ହବ୍‌ କରିବା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି। ଜାତୀୟ ଡାଟା ସେଣ୍ଟର ରାଜ୍ୟ ସରକାରଙ୍କ ଯୋଜନାକୁ ସଫଳ କରିବାରେ ସହାୟକ ହେବ। ସେହିପରି ଏବେ ରାଜ୍ୟର ୩୦ଟି ଯାକ ଜିଲ୍ଲାର େଓ୍ଵବସାଇଟ୍‌ ଏନ୍‌ଆଇସିର ସହାୟତାରେ ଉଭୟ ଇଂରାଜୀ ଓ ଓଡ଼ିଆରେ ଉପଲବ୍ଧ ହେଉଛି। ବିଜୁଳିବତୀ ଆପ୍‌ ଦ୍ୱାରା ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ଵିତ କରାଯିବ ବୋଲି ଶ୍ରୀ ବେହେରା କହିଥିଲେ।

ଏନ୍‌ଆଇସିର ମହାନିର୍ଦ୍ଦେଶକ ନୀତା ବର୍ମା ସ୍ୱାଗତ ଭାଷଣ ଦେଇ କହିଲେ ଯେ, ଭୁବନେଶ୍ୱରରେ ୪୦ ହଜାର ବର୍ଗଫୁଟ ଅଞ୍ଚଳରେ ଅନ୍ତର୍ଜାତୀୟ ସ୍ତରର ଜାତୀୟ ଡାଟା ସେଣ୍ଟର ପ୍ରତିଷ୍ଠା ହୋଇଛି। ଏଠାରେ ୨୪ ଘଣ୍ଟା ସେବା ଯୋଗାଇବା ପାଇଁ ସୌରଶକ୍ତି ମାଧ୍ୟମରେ ୩ ମେଗାଓ୍ଵାଟ୍‌ର ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି। ଏହା ବାଦ୍‌ ଚନ୍ଦକା ଓ ମଞ୍ଚେଶ୍ୱରରୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ହେଉଛି। ଉଚ୍ଚକ୍ଷମତାସମ୍ପନ୍ନ ୟୁପିଏସ୍‌ ଲାଗିଛି। ତ୍ରିସ୍ତରୀୟ ବିଦ୍ୟୁତ ସଂଯୋଗ ମାଧ୍ୟମରେ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି। କୌଣସି ପ୍ରାକୃତିକ ଦୁର୍ବିପାକକୁ ବି ଏହା ମାତ୍‌ ଦେଇପାରିବ। ପୂର୍ବ ଭାରତରର କୌଣସି ସହରରେ ବି ସରକାରୀ େଓ୍ଵବସାଇଟ୍‌ ଆଉ ଡାଉନ୍‌ ହେବନି।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସଚିବ ଅଜୟ ସାଓ୍ଵନେ ଏବଂ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ଏ କେ ମୀନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏନ୍‌ଆଇସି ଭୁବନେଶ୍ୱରର ମୁଖ୍ୟ ପ୍ରତିଭା ସିଂହ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଡିଜିଟାଲ ଇଣ୍ଡିଆ ଉପରେ ବାଲୁକା କଳା ପ୍ରଦର୍ଶନ ହୋଇଥିଲା।

ସମ୍ବନ୍ଧିତ ଖବର