ନିଖିଳ ଓଡ଼ିଶା ଶିଶୁ ଚିକିତ୍ସକ ସଂଘର ସମ୍ମିଳନୀ ପ୍ରସ୍ତୁତି

ଯୋଗଦେବେ ଦେଶବିଦେଶର ୩୫୦ ବିଶେଷଜ୍ଞ

ଯାଜପୁର : ଯାଜପୁରରୋଡ୍‌ରେ ୩୮ତମ ରାଜ୍ୟ ସ୍ତରୀୟ ଶିଶୁ ଚିକିତ୍ସକମାନଙ୍କର ସମାବେଶ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର କର୍ମକର୍ତ୍ତା ତଥା ବରିଷ୍ଠ ଡ଼ାକ୍ତରମାନେ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ୨୫ ଓ ୨୬ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ୨ଦିନିଆ ସମାବେଶରେ ରାଜ୍ୟ ସହିତ ଦେଶବିଦେଶରୁ ମଧ୍ୟ ବିଶିଷ୍ଟ ଶିଶୁ ବିଶେଷଜ୍ଞ ଡ଼ାକ୍ତରମାନେ ଯୋଗ ଦେଇ ଶିଶୁ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିବା ସହିତ ଯୁବ ଡ଼ାକ୍ତରମାନଙ୍କୁ ମାର୍ଗ ଦର୍ଶନ କରିବେ। ୨ଦିନ ମଧ୍ୟରେ ଶିଶୁମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପରେ ୨୧ଟି ଅଧିବେସନରେ ବିଶେଷଜ୍ଞ ମାର୍ଗଦର୍ଶନ କରିବେ। କଟକ ଏସସିବି ମେଡିକାଲ କଲେଜ୍‌, ବୁର୍ଲା ମେଡ଼ିକାଲ୍‌, ବ୍ରହ୍ମପୁର ଏମକେସିଜି, ସୋମ୍‌ ହସ୍ପିଟାଲ, ହାଇଟେକ୍‌ ହସ୍ପିଟାଲ, କିଟ୍‌ ହସ୍ପିଟାଲ ସମେତ୍‌ ଦେଶବିଦେଶର ବିଭିନ୍ନ ଡ଼ାକ୍ତରଖାନାର ବିଶେଷଜ୍ଞମାନେ ଯୋଗ ଦେଉଛନ୍ତି। ଭାରତୀୟ ଚିକିତ୍ସକ ସଂଘର ଯାଜପୁର ରୋଡ଼ ଶାଖା ପକ୍ଷରୁ ଅନୁଷ୍ଠିତ ଏହି ସମାବେଶକୁ ସଫଳ କରିବା ପାଇଁ ମେଡ଼ିକାଲ୍‌ ରିପ୍ରେଜେଣ୍ଟଟିଭ୍‌ ସଂଘ, ଔଷଧ ବିକ୍ରେତା ଓ ପରୀକ୍ଷାଗାର ଓ ନର୍ସିଂହୋମର ମାଲିକ ମାନଙ୍କ ସହଯୋଗରେ ଏହା କରାଯାଉଛି ବୋଲି ସଂଗଠନର ସଭାପତି ଡ଼ାକ୍ତର ଗୌରୀଶଙ୍କର ଢଡଙ୍ଗୀ, ଅଭ୍ୟର୍ଥନା ସମିତିର ସଭାପତି ଡ଼ାକ୍ତର ହେମନ୍ତ କିଶୋର ସାହୁ ଓ ସଂଗଠନ ସଂପାଦକ ଡ଼ାକ୍ତର ପ୍ରସନ୍ନ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମାବେଶରେ ୧୫ଜଣ ବରିଷ୍ଠ ଡାକ୍ତରଙ୍କୁ ତାଙ୍କ ସମ୍ବର୍ଦ୍ଧନା ପ୍ରଦାନ କରାଯିବକର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର