ରାଜ୍ୟପାଳଙ୍କୁ ଭେଟିଲା ନିଖିଳ ଉତ୍କଳ ଶିକ୍ଷକ ମହାସଂଘ

ଭୁବନେଶ୍ୱର : ଦାବି ଦିବସ ଅବସରରେ ଗୁରୁବାର ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ରାଜ୍ୟର ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବଳିତ ଏକ ସ୍ମାରକପତ୍ର ମହାସଂଘର ସାଧାରଣ ସଂପାଦକ ଅଧ୍ୟାପକ ରବି ରାୟ, ସଭାପତି ଦାଶରଥି ନାୟକ, ବିବେକାନନ୍ଦ ଦାଶ, ବିଜୟ ଦ୍ୱିବେଦୀ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ମହାସଂଘ ପକ୍ଷରୁ ସ୍ମାରକପତ୍ରରେ କୁହାଯାଇଛି ଯେ ୨୦୦୮ ପରଠାରୁ ସ୍କୁଲ କଲେଜରେ ଯୋଗ୍ୟ ବିବେଚିତ ଶିକ୍ଷକ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ, ସ୍କୁଲ କଲେଜରେ ଖାଲିଥିବା ଶିକ୍ଷକ ପଦ ପୂରଣ, ବ୍ଲକଗ୍ରାଣ୍ଟ ଉଚ୍ଛେଦ କରାଯାଇ ଚାକିରି ସର୍ତ୍ତ ସହ ପୂର୍ଣ୍ଣ ଅନୁଦାନ ପ୍ରଦାନ, ସ୍କୁଲ କଲେଜର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ୭ମ ବେତନ କମିସନ୍‌ ଦରମା ୨୦୧୭ ଅକ୍ଟୋବର ୧ ପରିବର୍ତ୍ତେ ୨୦୧୬ ଜାନୁଆରି ପହିଲାରୁ ଲାଗୁ କରିବା, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ୬୧୦ ଅନୁଦାନପ୍ରାପ୍ତ ହାଇସ୍କୁଲ, ୬୦୯ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୪୮୮ ଅନୁଦାନପ୍ରାପ୍ତ କଲେଜକୁ ସରକାରୀ ମାନ୍ୟତା ଦେବା, ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କୁ ଏକ ହଜାର ଟଙ୍କା ଲେଖାଁଏ ଚିକିତ୍ସା ଭତ୍ତା ପ୍ରଦାନ, ସ୍ୱାସ୍ଥ୍ୟ ବୀମା ପରିସରଭୁକ୍ତ, ଅନୁଦାନପ୍ରାପ୍ତ ସ୍କୁଲ କଲେଜରୁ ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ସରକାରୀ ଗ୍ରାଚ୍ୟୁଇଟି ପ୍ରଦାନ, ରାଜ୍ୟ ହାରରେ ଦରମାପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ୧୮ ବର୍ଷ ଚାକିରି ପରେ ପ୍ରାଧ୍ୟାପକ ପଦକୁ ପଦୋନ୍ନତି ଦେବାକୁ ଦାବି କରାଯାଇଛି। ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରତିନିଧିଦଳ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି। ପ୍ରତିନିଧି ଦଳରେ ସିପିଆଇର ଅଭୟ ସାହୁ, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସନ୍ତୋଷ ଦାସ, ଲିବେରେସନ୍‌ କମ୍ୟୁନିଷ୍ଟ ପାର୍ଟିର ଯୁଧିଷ୍ଠିର ମହାପାତ୍ର, ବିଶ୍ୱ ଶିକ୍ଷକ ମହାସଂଘ ସାଧାରଣ ସଂପାଦକ ଅମିୟ ମହାନ୍ତି ପ୍ରମୁଖ ଏହି ଗଣଧାରଣାରେ ସାମିଲ ହୋଇ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର