ଅଭିନେତ୍ରୀ ନିକିତାଙ୍କ ସ୍ବାମୀ ଅଟକ

ହତ୍ୟା ଅଭିଯୋଗ ଆଣିଲେ ବାପା, ଶାଶୂ, ଶ୍ବଶୁରଙ୍କ ନାଁରେ ବି ଏତଲା

କଟକ : ଓଲିଉଡ୍‌ ତଥା ଓଡ଼ିଆ ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ଲକ୍ଷ୍ମିପ୍ରୀୟା ବେହେରା ଓରଫ ‘ନିକିତା’ଙ୍କ ରହସ୍ୟଜନକ ମୃତ୍ୟୁର ଗୋଟିଏ ଦିନ ପରେ ପୁଲିସ ତାଙ୍କ ସ୍ବାମୀଙ୍କୁ ଅଟକ ରଖିଛି। ନିକିତାଙ୍କ ବାପା ସନାତନ ବେହେରା ରବିବାର ଚାଉଳିଆଗଞ୍ଜ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ସ୍ବାମୀ ଲିପୁନ୍‌ ସାହୁଙ୍କ ସମେତ ଶ୍ବଶୁର ଲିଙ୍ଗରାଜ ସାହୁ ଏବ˚ ଶାଶୂ କୁନ୍ତଳା ସାହୁଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନା ପୁଲିସ ଦଫା ୩୦୨, ୩୦୬, ୪୯୮(ଏ) ଏବ˚ ୩୪ରେ ଏକ ମାମଲା(କେସ୍‌ ନ˚ ୮) ମାମଲା ରୁଜୁ କରିଛି। ପୁଲିସ ସ୍ବାମୀ ଲିପୁନକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟପଟେ ଆସନ୍ତାକାଲି ଚାଉଳିଆଗଞ୍ଜ ଥାନା ପୁଲିସ ଏବ˚ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ମିଳିଛି।

୨୦୧୬ ନଭେମ୍ବର ୨୫ ତାରିଖରେ ମହାନଦୀବିହାରର ସନାତନ ବେହେରାଙ୍କ ଝିଅ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ସଦର ଥାନା ଗୋପାଳପୁର ଅଞ୍ଚଳର ଲିଙ୍ଗରାଜ ସାହୁଙ୍କ ପୁଅ ଲିପୁନ୍‌ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ଏହି ଲୋକପ୍ରୀୟ ଅଭିନେତ୍ରୀ ଗତ ଶୁକ୍ରବାର ବାପ ଘରେ ଥିବା ବେଳେ ରାତି ପ୍ରାୟ ୧୦ଟା ବେଳେ ଛାତରୁ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସିଡିଏରେ ଥିବା ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ମୃତ୍ୟୁ ଘଟଣାରେ ମର୍କତନଗର ପୁଲିସ ଶବ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘଟଣାର ଗୋଟିଏ ଦିନ ପରେ ରବିବାର ରାତି ପ୍ରାୟ ୧୦ଟା ବେଳେ ନିକିତାଙ୍କ ବାପା ସନାତନ ବେହେରା ଚାଉଳିଆଗଞ୍ଜ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଥାନା ଅଧିକାରୀ ଅଜୟ ଦାସ ଘଟଣାର ତଦନ୍ତଭାର ଗ୍ରହଣ କରିଛନ୍ତି।

ନିକିତାଙ୍କ ବାପା ସନାତନ ଅଭିଯୋଗ କରିଛନ୍ତି ଯେ, ବାହାଘର ଆଠ ମାସ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ତା’ ପରେ ପାଟିତୁଣ୍ତ ଆରମ୍ଭ ହୋଇଥିଲା। ଶାଶୂ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। ଝିଅର ରୋଜଗାର ଉପରେ ଶାଶୂ ଘର ଲୋକଙ୍କ ଆଶା ଥିଲା। ବିବାହ ପରେ ‌ଟିଭି ପରଦାରେ କାମ କରିବାକୁ ସୁଯୋଗ ମିଳିନଥିଲା। ଯାହାଫଳରେ ରୋଜଗାର କମିଯାଇଥିଲା। ତାହାକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା। ୨୦୧୭ ଜୁନ ପରେ ଝିଅକୁ ଶାଶୂ ଘରୁ ବାହାର କରିଦେଲେ। ଭୁବନେଶ୍ବରରେ ଝିଅ, ସ୍ବାମୀ ସହିତ ନିଜ ଫ୍ଲାଟ୍‌ରେ ରହିଲେ। ଡେଲିଭରୀ ପରେ ଆମ ଘରେ ଝିଅ ରହୁଥିଲା। ଗତ ୪ ତାରିଖରେ ଜ୍ବାଇଁ ଆମ ଘରକୁ ଆସିଥିଲେ। ରାତି ସାଢେ଼ ୯ଟା ବେଳେ ତାଙ୍କ ଭିତରେ ସାମାନ୍ୟ ଝଗଡ଼ା ହେଇଥିଲା। ଘରେ ସମସ୍ତଙ୍କ ଭିତରେ ବେଶି ପାଟି ତୁଣ୍ତ ନକରି ଝିଅକୁ ଛାତ ଉପରକୁ ଡାକି ନେଇଥିଲେ। ଛାତ ଉପରକୁ ଯିବାର ପାଞ୍ଚ ମିନିଟ୍‌ ପରେ ଝିଅର ଚିତ୍କାର ସହିତ ଶବ୍ଦ ଶୁଣିିଲୁ। ଆମେ ଦୌଡ଼ି ଆସି ପହଞ୍ଚିଲା ବେଳକୁ ଜ୍ବାଇଁ କହିଲେ ଯେ, ନିକିତା ପଡ଼ିଗଲା। କିନ୍ତୁ ଝିଅକୁ ସେଦିନ ରାତିରେ ଜ୍ବାଇଁ ଠେଲିଦେଇଛନ୍ତି। ଚାରି ମାସର ଶିଶୁକୁ ଛାଡ଼ି ଗୋଟିଏ ମା’ କେବେ ଆତ୍ମହତ୍ୟା କରିନପାରେ। ଝିଅକୁ ନ୍ୟାୟ ମିଳିବା ସହିତ ଅଭିଯୁକ୍ତଙ୍କୁ ଦଣ୍ତ ମିଳୁ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି।

ଚାଉଳିଆଗଞ୍ଜ ଥାନା ଅଧିକାରୀ ଅଜୟ ଦାସ କହିଛନ୍ତି, ସନାତନ ବେହେରାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି। ସନାତନ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଲିପୁନ୍‌ ଛାତ ଉପରକୁ ନିକିତାଙ୍କୁ ଡାକି ନେଇଥିଲେ। ଛାତ ଉପରୁ ନିକିତାଙ୍କୁ ଠେଲି ମାରିଦେଇଛନ୍ତି। ଏସବୁ ଘଟଣା ଲିପୁନ୍‌ ନିଜ ବାପା-ମାଙ୍କ ପ୍ରରୋଚନାରେ କରିଥିବା ଅଭିଯୋଗ ହୋଇଛି। ତେଣୁ ଘଟଣାର ସବୁ ଦିଗକୁ ବିଚାରକୁ ନେଇ ତଦନ୍ତ କରାଯିବ ବୋଲି ଆଇଆଇସି ଶ୍ରୀଦାସ କହିଛନ୍ତି।

ସମ୍ବନ୍ଧିତ ଖବର