କୋକ୍ ଓଭେନ ବନ୍ଦ ପାଇଁ ନୋଟିସ୍: ନୀଳଚଳରେ ତାଲା

ଯାଜପୁର/ଦାନଗଦୀ : କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍‌ କାରଖାନାରେ ଆସନ୍ତାକାଲି ଠାରୁ ତାଲା ପଡ଼ିବ। କୋ‌ଇଲା ନଥିବାରୁ ଏହି ଭଳି ପରିସ୍ଥିତି ଉପୁଜିଛି। ନୀଳାଚଳ କାରଖାନାର ଇଡି(ୱାର୍କସ) ତଥା ପାରିଚାଳକ ଭି.କେ ପାରୁଥୀଙ୍କ ପକ୍ଷରୁ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ଉପ ନିର୍ଦେଶକଙ୍କୁ ଆଜି ଚିଠି ଲେଖି କାରଖାନାରେ କୋଇଲା ନଥିବାରୁ ୨୭ତାରିଖରୁ କୋକ୍‌ ଓଭେନ୍‌କୁ ବନ୍ଦ କରିଦିଆଯିବ ବୋଲି ଜଣାଇ ଦେଇଛନ୍ତି। ଏହି ଖବର ଆଜି ପ୍ରଚାର ହେବା ପରେ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଘୋର ବିରୋଧ କରାଯାଇଛି ।

କୋକ୍ ଓଭେନ ବନ୍ଦ ହେଲେ କାରଖାନା ୬ଶହ କୋଟି ଟଙ୍କା ହରାଇବ ଏବଂ ୪ହଜାର ଲୋକ ପ୍ରଭାବିତ ହେବେ । କୋକ୍ ଓଭେନ ବନ୍ଦ ହୋଇଗଲେ ପାୱାର ପ୍ଲାଣ୍ଟ ମଧ୍ୟ ବନ୍ଦ ହୋଇଯିବ । ଫଳରେ ଉଭୟ ୟୁନିଟ୍‌ରେ କାର୍ଯ୍ୟରତ ସ୍ଥାୟୀ ଏବଂ ଯୋଗାଣ ଶ୍ରମିକ ନିଯୁକ୍ତି ହରାଇବେ । କୋକ୍‌ ଓଭେନରେ ୨୩୫ ସ୍ଥାୟୀ ଏବଂ ୩୪୦ ଯୋଗାଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ପାୱାର ପ୍ଲାଣ୍ଟର ୮୫ ଜଣ ସ୍ଥାୟୀ ଓ ୧୧୦ ଯୋଗାଣ ଶ୍ରମିକ ପ୍ରତ୍ୟକ୍ଷ ଭାବେ ଜୀବିକା ହରାଇବେ । ଏହା ସହ ପରୋକ୍ଷରେ ହଜାର ହଜାର ଶ୍ରମଜୀବୀ ମଧ୍ୟ ଜୀବିକ ହରାଇବା ନିଶ୍ଚିତ ହୋଇଯାଇଛି। ଏହା ସହିତ ନୀଳାଚଳ ଘରୋଇ କରଣ ପଦକ୍ଷେପରେ ମୂଲ୍ୟାୟନ ପ୍ରଭାବିତ ହେବ । ନୀଳାଚଳକୁ ୮୫୦୦ କୋଟି ଟଙ୍କାରେ ଘରୋଇ ଶିଳ୍ପପତିଙ୍କ ହାତକୁ ଟେକି ଦେବାକୁ ହୋଇଥିବା ଉଦ୍ୟମ ହୋଇଛି। ତେବେ କୋକ୍ ଓଭେନ ବନ୍ଦ ପରେ ଏହାର ମୂଲ୍ୟାୟନ ୭ଶହ କୋଟିରୁ କମିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏକ ବଡ଼ କ୍ଷତିକୁ ରୋକିବାକୁ ହେଲେ କୋକ୍ ଓଭେନକୁ କାର୍ଯ୍ୟକ୍ଷମ କରି ରଖିବା ଦରକାର ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ ୨୩ ମାର୍ଚ୍ଚରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ କମ କର୍ମଚାରୀଙ୍କୁ ନେଇ କାରଖାନା ଚଳାଇବାକୁ ପରାମର୍ଶ ଦେଇଥିଲେ। ନୀଳାଚଳ କର୍ତ୍ତୃପକ୍ଷ କୋଇଲା ଅଭାବ ଦର୍ଶାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ନୋଟିସ କରିବା ଫଳରେ ଯେଉଁ କ୍ଷତି ଘଟିବ, ତାହା ଅପୂରଣୀୟ । କୋକ୍‌ ଓଭେନ ଚଳାଇବା ସହ ଶ୍ରମ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ ଶ୍ରମିକଙ୍କ ସମସ୍ତ ବକେୟା ଦରମା, ଭତ୍ତା ପ୍ରଦାନ କରିବାକୁ ମିଳିତ ମଞ୍ଚ ତରଫରୁ ଦାବି କରାଯାଇଛି ।

ସମ୍ବନ୍ଧିତ ଖବର