ଆଜି ନିଳାଦ୍ରୀ ବିଜେ, ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

ପୁରୀ: ପତିତଜନଙ୍କୁ ଦର୍ଶନ ଦେବା ସହିତ ଘୋଷଯାତ୍ରା ଶେଷ କରିବା ପରେ ବୁଧବାର ରାତି ଚତୁର୍ଦ୍ଧା ମୂରତି ରତ୍ନମଣ୍ଡପକୁ ବିଜେ କରିବେ। ରଥାରୁଢ଼ ଚତୁର୍ଦ୍ଧା ମୂରତି ପୁଣି ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ସିଂହଦ୍ୱାରରେ ରଥାରୁଢ଼ ମହାପ୍ରଭୁଙ୍କୁ ଭକ୍ତମାନେ ହର୍ଷୋଲ୍ଲାସ ସହିତ ‘ରସଗୋଲା’ ଭୋଗ ଅର୍ପଣ କରୁଛନ୍ତି। କେହି କେହି ଏହି ପ୍ରସାଦକୁ ଖୁସିରେ ବାଣ୍ଟୁଛନ୍ତି। ଶ୍ରୀମନ୍ଦିର ପରଂପରା ଅନୁସାରେ ଶ୍ରୀଜିଉମାନଙ୍କୁ ବର୍ଷର କେବଳ ଗୋଟିଏ ଦିନ (ନିଳାଦ୍ରୀ ବିଜେ) ଅବସରରେ ବାହାରୁ ପ୍ରସ୍ତୁତ ରସଗୋଲା ଭୋଗ ଅର୍ପଣ କରାଯାଇ ଥାଏ।

ରସଗୋଲା ଭୋଗ ପାଇ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ସକାଳ ୬ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୬ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୭ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୭ଟାରେ ବେଶଶେଷ ହୋଇଥିଲା। ସାଢ଼େ ୮ଟାରେ ଗୋପାଳବଲ୍ଲଭ, ୯ଟାରୁ ୧୦ଟା ସକାଳଧୂପ, ପୂର୍ବାହ୍‌ଣ ୧୦ଟା ୧୫ରେ ମଇଲମ, ୧୦ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ପୂର୍ବାହ୍‌ଣ ୧୧ଟାରେ ବେଶଶେଷ, ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧ୍ୟାହ୍ନଧୂପ, ଅପରାହ୍‌ଣ ୧ଟା ୨୦ରେ ମଇଲମ ଓ ବେଶ, ସାଢ଼େ ଗୋଟାଏରେ ସଂଧ୍ୟାଆଳତି, ଅପରାହ୍‌ଣ ୨ଟାରୁ ୩ଟା ସଂଧ୍ୟାଧୂପ ନୀତି ଅନୁଷ୍ଠିତ ହୋଇଥିଲା।

ଅପରାହ୍‌ଣ ୩ଟାରୁ ସଂଧ୍ୟା ୫ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସଂଧ୍ୟା ସାଢ଼େ ୫ଟାରେ ସିଂହାସନ ମାଜଣା କରାଯିବ। ସଂଧ୍ୟା ୬ଟାରେ ପୁଷ୍ପାଞ୍ଜଳି ପରେ ସାଢ଼େ ୬ଟାରେ ପହଣ୍ଡି ଆରମ୍ଭ ହେବ। ରାତି ୧୧ଟାରେ ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ତିନି ରଥରୁ ଚାରଫିଟା ପରେ ସମୟକୁ ଚାହିଁ ଅନ୍ୟାନ୍ୟ ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କର୍ତୃପକ୍ଷ ସୂଚନା ଦେଇଛି।

ସମ୍ବନ୍ଧିତ ଖବର