ଆଜି ଚତୁର୍ଦ୍ଧା ମୂର୍ତିଙ୍କ ନୀଳାଦ୍ରି ବିଜେ

ମା ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ, ୧୬ ତାରିଖ ଚନ୍ଦ୍ରଗ୍ରହଣ ପାଇଁ ସଅଳ ହେବ ନୀତି, ଭୋର ୫ଟାରେ ହେବ ରାତି ପହୁଡ଼

ପୁରୀ : ସରିଲା ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଶ୍ରୀମନ୍ଦିର ବାହାରେ ପତିତଜନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଆସନ୍ତାକାଲି (ସୋମବାର) ଚତୁର୍ଦ୍ଧା ମୂର୍ତି ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଆଜି ବିଳମ୍ୱିତ ରାତିରେ ନୀତି ଶେଷ ପରେ ଆସନ୍ତାକାଲିର ନୀତି ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି। ତେବେ ୧୬ ତାରିଖରେ ଚନ୍ଦ୍ରଗ୍ରହଣ ଥିବାରୁ ଆସନ୍ତାକାଲି ସଅଳ ନୀତି ସାରିବାକୁ ନିର୍ଘଣ୍ଟ ହୋଇଛି।

ନିର୍ଘଣ୍ଟ ନୀତି ଅନୁଯାୟୀ, ଆସନ୍ତାକାଲି ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୫ଟାରେ ବେଶ ଶେଷ ହେବ। ସାଢ଼େ ୬ଟାରେ ଗୋପାଳବଲ୍ଲଭ, ୭ଟାରୁ ୮ଟା ସକାଳଧୂପ, ସାଢ଼େ ୮ଟାରେ ମଇଲମ, ସାଢ଼େ ୯ଟାରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ପୂର୍ବାହ୍ଣ ୧୧ଟାରେ ବେଶଶେଷ, ସାଢ଼େ ୧୦ଟାରୁ ସାଢ଼େ ୧୧ଟା ମଧ୍ୟାହ୍ନ ଧୂପ, ପୂର୍ବାହ୍ଣ ୧୧ଟା ୪୫ରୁ ମଧ୍ୟାହ୍ନ ମଇଲମ ଓ ବେଶ, ୧୨ଟା ୧୫ରେ ସଂଧ୍ୟା ଆଳତି, ଅପରାହ୍ଣ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ସଂଧ୍ୟା ଧୂପ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ। ସାଢ଼େ ୩ଟାରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେବ। ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ରାତି ସାଢ଼େ ୧୨ଟା ମଧ୍ୟରେ ରୁନ୍ଧା ସରିବା ପରେ ଅପରାହ୍ଣ ଗୋଟାଏରେ ଦଇତାପତି ସର୍ବାଙ୍ଗ, ଗୋଟାଏ ୧୦ରେ ଶ୍ରୀମୁଖ ଖଣ୍ଡୁଆ, ରାତି ଗୋଟାଏ ୧୫ରୁ ୨ଟା ୧୫ ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ। ଶ୍ରୀମୁଖ ଖଣ୍ଡୁଆ ମଇଲମ ପରେ ରାତି ୨ଟା ୪୫ରେ ଚକା ପୋଛା, ରାତି ୩ଟାରେ ସିଂହାସନ ଧୁଆ, ରାତି ୩ଟା୧୦ ସୁଦ୍ଧା ମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ ପରେ ସାଢ଼େ ୩ଟାରେ ମହାସ୍ନାନ ଶେଷ ହେବ। ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା୧୫ରେ ଦ୍ବାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତି ପହୁଡ଼ ହେବ।

ସମ୍ବନ୍ଧିତ ଖବର