ଓଡ଼ିଶାକୁ ନିପା ଭୟ!, ଜିଲ୍ଲା ମେଡିକାଲ ଓ ମେଡିକାଲ କଲେଜ ସଜାଗ ରହିବାକୁ ନିର୍ଦେଶ
ଭୁବନେଶ୍ୱର ଏମ୍ସରେ ଖୋଲିଲା ସ୍ୱତନ୍ତ୍ର ଓ୍ଵାର୍ଡ, ପଶୁପକ୍ଷୀଙ୍କ ଖଣ୍ଡିଆ ଫଳ ନ ଖାଇବାକୁ ପରାମର୍ଶ
ଭୁବନେଶ୍ୱର : କେରଳରେ ନିପା ଭୂତାଣୁର ଭୟବହତାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଆଗତୁରା ପଦକ୍ଷେପ ନେଇଛନ୍ତି। ନିପା ଭୂତାଣୁ ଉପରେ ଦୃଷ୍ଟି ରଖିବା ସହ ସଜାଗ ରହିବାକୁ ରାଜ୍ୟର ୩୦ଟି ଜିଲ୍ଲା ମେଡିକାଲ୍ ଓ ୫ଟି ମେଡିକାଲ କଲେଜ କର୍ତୃପକ୍ଷଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବ୍ରଜକିଶୋର ବ୍ରହ୍ମା ‘ସମ୍ବାଦ’କୁ କହିଛନ୍ତି ଯେ ଓଡ଼ିଶାରେ ଏପର୍ଯ୍ୟନ୍ତ ନିପା ଭୂତାଣୁ ସମ୍ପର୍କରେ କିଛି ବି ରିପୋର୍ଟ ଆସିନି। ତେଣୁ ଓଡ଼ିଶାର ଲୋକେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ତଥାପି ଆଗୁଆ ପଦକ୍ଷେପ ସ୍ୱରୂପ ସମସ୍ତଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ମଙ୍ଗଳବାର ଏନେଇ ସେମାନଙ୍କ ନିକଟକୁ ଚିଠି କରାଯାଇଥିଲା। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଚିଠି ମଧ୍ୟ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ସାନି ନିର୍ଦେଶନାମା ଜାରି କରିବେ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ବାଦୁଡ଼ି ଓ ଘୁଷୁରିଙ୍କଠାରୁ ଏହି ରୋଗ ବ୍ୟାପୁଥିବା ନଜରକୁ ଆସିଛି। ମୁଖ୍ୟତଃ ବାଦୁଡ଼ି ଖାଇଥିବା ଫଳ ଦ୍ୱାରା ଏହା ବ୍ୟାପୁଛି। ଏଣୁ ଲୋକେ ଫଳ ଖାଇବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଖଣ୍ଡିଆ ଫଳ ଖାଇବା ଅନୁଚିତ୍। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପିଥାଏ।
ଭୁବନେଶ୍ୱର ଏମ୍ସ କର୍ତୃପକ୍ଷ ମଧ୍ୟ ‘ନିପା’ ଭୂତାଣୁକୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି। ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ରୋଗୀ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସ୍ୱତନ୍ତ୍ର ଓ୍ଵାର୍ଡ ପ୍ରସ୍ତୁତ କରାଯାଇଛି। ଏମ୍ସ ଡିନ୍ ପ୍ରଫେସର ଡାକ୍ତର ବିକାଶ ଭାଟିଆ କହିଛନ୍ତି ଯେ ଆମ ନିକଟରେ ଆଜି ଦିନରେ ଏ ସଂକ୍ରାନ୍ତ କୌଣସି କେସ୍ ନାହିଁ। ଯେହେତୁ କେରଳରେ ଏହି ଭୂତାଣୁ ବ୍ୟାପୁଛି ତେଣୁ ଏହା ପୂର୍ବରୁ ଆମେ ସ୍ୱତନ୍ତ୍ର ଓ୍ଵାର୍ଡ ପ୍ରସ୍ତୁତ କରି ରଖିଛୁ। ଯଦି କୌଣସି ରୋଗୀ ଆସିବେ ତେବେ ତାଙ୍କୁ ସେଠାରେ ରଖାଯାଇ ସ୍ୱତନ୍ତ୍ର ଚିକିତ୍ସା କରାଯିବ।
ଓୟୁଏଟି ଉଦ୍ୟାନ ବିଭାଗ ମୁଖ୍ୟ ଦିଲ୍ଲୀପ ଦାଶଙ୍କ କହିବାନୁଯାୟୀ ଓଡ଼ିଶାରେ ଏହି ଭୂତାଣୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ତେଣୁ ଭୟଭୀତ ହେବା ଉଚିତ୍ ନୁହେଁ। ବାଦୁଡ଼ି ଦ୍ୱାରା ଖଣ୍ଡିଆ ହୋଇଥିବା ଫଳ ଖାଇବା ଯୋଗୁଁ ଏହା ବ୍ୟାପୁଥିବା ଦେଖିବାକୁ ମିଳୁଛି। ତେଣୁ ଲୋକେ ସତର୍କ ହେବା ଆବଶ୍ୟକ। ଫଳଗୁଡ଼ିକ ସଂକ୍ରମିତ ହେଲେ ତାହାର ପ୍ରଭାବ ପଡ଼େ। ପୂର୍ବରୁ ବିହାରରେ ‘ଲିଚୁ’ ଫଳରୁ ଭୂତାଣୁ ବ୍ୟାପୁଥିବା ନଜରକୁ ଆସିଥିଲା।
ମେଡିକାଲ ବିଶେଷଜ୍ଞଙ୍କ କହିବାନୁଯାୟୀ ବାଦୁଡ଼ି ତଥା ପକ୍ଷୀ ଆଞ୍ଚୁଡ଼ିଥିବା କିମ୍ବା ଖାଇଥିବା କୌଣସି ଫଳ ଖାଇଲେ ଏହି ଭୂତାଣୁ ମଣିଷ ଶରୀରକୁ ଆସିଥାଏ। ଘୁଷୁରି ଓ ବାଦୁଡ଼ି ସଂସ୍ପର୍ଶରେ ଆସିଲେ କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁଲେ ଏହି ଭୂତାଣୁ ସଂକ୍ରମିତ ହୋଇପାରେ। ଭୂତାଣୁ ସଂକ୍ରମଣ ହେବା ମାତ୍ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଝାପ୍ସା ଦେଖାଯିବ, ମୁଣ୍ଡ ବୁଲାଇବ, ମୁଣ୍ଡରେ ଯନ୍ତ୍ରଣା ହେବ, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବ, ୪ରୁ ୫ ଦିନ ଧରି ଜ୍ୱର ଲାଗିରହିବ। ଯଦି ଏଭଳି କୌଣସି ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ। ଏପର୍ଯ୍ୟନ୍ତ ନିପା ଭୂତାଣୁର ମୁକାବିଲା ଲାଗି କୌଣସି ଔଷଧ କିମ୍ବା ଟିକା ବାହାରି ନାହିଁ। ତେଣୁ ନିଜକୁ ଯେତେ ସମ୍ଭବ ସତର୍କର୍ ରଖିପାରିବେ ସେତେ ଭଲ।
ବିଶେଷଜ୍ଞଙ୍କ କହିବାନୁଯାୟୀ ପକ୍ଷୀଙ୍କ ଦ୍ୱାରା ଖଣ୍ଡିଆ ହେବାର କିଛି ସମୟ ମଧ୍ୟରେ ଫଳ ବିଷାକ୍ତ ହେବାର ଆଶଙ୍କା ରହୁଛି। ବିଷାକ୍ତ ହେବା ଲାଗି କୌଣସି ସମୟ ସୀମା ନ ଥାଏ। ତେଣୁ ଖଣ୍ଡିଆ ହୋଇଥିବା ଫଳ ନ ଖାଇବା ଉଚିତ। ଅଧିକ ସଂଖ୍ୟାରେ ବାଦୁଡ଼ି ରହୁଥିବା ସ୍ଥାନର ଫଳ ଖାଇବା ଅନୁଚିତ୍। ସଂକ୍ରମିତ ରୋଗୀ ଓ ପଶୁମାନଙ୍କ ପାଖକୁ ନ ଯିବା ଉଚିତ। ଘୁଷୁରି ଓ ଘୁଷୁରି ପାଳନ କରୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଆବଶ୍ୟକ। ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ହେବ।