ନିପା ଭୟ ଘାରିଲା : ଗୋଆ ଛାଡ଼ୁଛନ୍ତି ଶହଶହ ଶ୍ରମିକ

ବାଲେଶ୍ୱର/ଭୋଗରାଇ/କଟକ : ଗୋଆରେ ଓଡ଼ିଆ ଶ୍ରମିକ ‘ନିପା’ରେ ଆକ୍ରାନ୍ତ ହୋଇଥିବା ନେଇ ‘ସମ୍ବାଦ’ରେ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ସତ ହେବାରେ ଲାଗିଛି। ସେଠାରେ କାମ କରୁଥିବା ଶହଶହ ଶ୍ରମିକ ଏବେ ଭୟରେ ଘରମୁହାଁ ହୋଇଛନ୍ତି। ଆଜି ବାଲେଶ୍ୱରରେ ୧୨ ଜଣ ପହଞ୍ଚଛନ୍ତି। ସେମାନେ ନିଜ ନିଜ ଘରକୁ ଚାଲି ଯାଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ଜିଲ୍ଲା ପ୍ରଶାସନ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିନାହିଁ। ଏଣେ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ୮ ଜଣ ଅସୁସ୍ଥଙ୍କୁ ଡିଜାଷ୍ଟର୍‌ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି। ସେମାନେ ‘ନିପା’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଆସନ୍ତାକାଲି ସେ ସଂକ୍ରାନ୍ତୀୟ ରିପୋର୍ଟ ପ୍ରକାଶ ପାଇବ।

ଗୋଆରେ ହୋଟେଲ୍‌ବୟ ଭାବେ କାମ କରୁଥିବା ବାଲେଶ୍ୱର ଭୋଗରାଇ ଅଞ୍ଚଳର ଦୁଇ ଭାଇ ବରେନ୍ଦ୍ର ଜେନା ଓ ଉତ୍ତମ ଜେନାଙ୍କ ମୃତ୍ୟୁ ହେବା ଏବଂ ସେହି ସମୟରେ ହଠାତ୍‌ ଆଉ କିଛି ଯୁବକଙ୍କୁ ସମାନ ଲକ୍ଷଣ ଦେଖାଯିବା ପରେ ‘ନିପା’ ନେଇ ସନ୍ଦେହ ପ୍ରକାଶ ପାଇଛି।

ଗତ ମେ ମାସରେ ଗୋଆରେ ନିପା ରୋଗକୁ ନେଇ ଆତଙ୍କ ଖେଳି ଯାଇଥିଲା। ଏହା ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ କାଳେ ଏମାନେ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି, ଭୋଗରାଇ ଅଞ୍ଚଳର ଲୋକମାନଙ୍କ ମନରେ ଆଶଙ୍କା ରହିଥିଲା। ସେଇଥିପାଇଁ ସେମାନଙ୍କ ଦାବି କ୍ରମେ ଗୋଆରୁ ଫେରିଥିବା ୮ ଜଣ ଅସୁସ୍ଥଙ୍କୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କଟକ ଏସ୍‌ସିବିରେ ଭର୍ତ୍ତି କରିଥିଲା। ସେମାନେ ସମସ୍ତ ଏସ୍‌ସିବିର ସ୍ୱତନ୍ତ୍ର ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି। ଆଜି ସେମାନଙ୍କୁ ଡିଜାଷ୍ଟର ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କର କିଛି ପରୀକ୍ଷା ରିପୋର୍ଟ ଆସିଥିବା ବେଳେ ଭୁବନେଶ୍ୱର ଆଞ୍ଚଳିକ ମେଡିକାଲ ସେଣ୍ଟରକୁ ପରୀକ୍ଷା ପାଇଁ ଯାଇଥିବା ରକ୍ତ ନମୁନାର ପରୀକ୍ଷା ରିପୋର୍ଟ ଆସନ୍ତାକାଲି ଆସିବ। ଏହି ରିପୋର୍ଟ ଆସିବା ପରେ ଅସୁସ୍ଥତାର କାରଣ ‘ନିପା’ ଭାଇରସ୍‌ କି ନା, ତାହା ଜଣାପଡିବ ବୋଲି ଏସ୍‌ସିବିର ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା ସୂଚନା ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ନିପା ଭାଇରସ୍‌ର କୌଣସି ଲକ୍ଷଣ ଜଣାପଡୁନଥିବା ଡାକ୍ତର ମହାରଣା ସୂଚନା ଦେଇଛନ୍ତି।

ଏହି ଖବର ପ୍ରଚାରିତ ହୋଇଯିବା ପରେ ଗୋଆରେ କାମ କରୁଥିବା ଭୋଗରାଇ ଅଞ୍ଚଳର ଶହ ଶହ ଯୁବକଙ୍କ ପରିବାର ଆତଙ୍କିତ ହୋଇ ପଡ଼ିଛନ୍ତି। ତେଣୁ ରୋଗ ହେଉ କି ନହେଉ ଗୋଆରୁ ଘରକୁ ଫେରି ଆସିବାକୁ ସେମାନେ ନିଜ ନିଜ ପିଲାମାନଙ୍କ ଉପରେ ଚାପ ପକାଉଛନ୍ତି। ତେଣୁ ଭୂତାଣୁ ଭୟ ଓ ପରିବାରର ଚାପରେ ଏହି ଯୁବକମାନେ ଗୋଆ ଛାଡ଼ିବା ଆରମ୍ଭ କରିଛନ୍ତି। ଆଜି ସଂଧ୍ୟାରେ ଅମରାବତୀ ଏକ୍ସପ୍ରେସ୍‌ରେ ସେଠାରୁ ନିମାତପୁରର ୧୨ ଜଣ ଯୁବକ ବାଲେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ହେଲେ ବାପି ଦଳେଇ(୨୨), ଗୌତମ ଦଳେଇ(୨୫), ସପନ ଜେନା(୨୩), କାର୍ତ୍ତିକ ଜେନା(୨୫), ଦେବ କୁମାର ଜେନା(୨୪) ଓ ଶିବୁ ଜେନା(୨୨)। ମାତ୍ର ଅନ୍ୟମାନେ ଷ୍ଟେସନରେ ପହଞ୍ଚି କେଉଁଆଡ଼େ ପଳାଇଯିବାରୁ ସେମାନଙ୍କ ପରିଚୟ ମଧ୍ୟ ମିଳିନାହିଁ। କାଳେ ସେମାନଙ୍କ ଦ୍ୱାରା କୌଣସି ଭୂତାଣୁ ଆସିଥିବା ତେଣୁ ପ୍ରଥମେ ଡାକ୍ତରୀ ପରୀକ୍ଷା କରାଇ ତା’ ପରେ ଘରକୁ ଘରକୁ ଯିବା ପାଇଁ ଦାବି କରାଯାଇଥିଲା। ଏନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ମଧ୍ୟ ଥିଲା। ମାତ୍ର ଷ୍ଟେସନ ପହଞ୍ଚିବା ପରେ ଉକ୍ତ ସେମାନଙ୍କୁ ଡାକ୍ତରଖାନାକୁ ନେବା ପାଇଁ କିଛି ବ୍ୟବସ୍ଥା କରାଯାଇ ନଥିଲା। ଯେଉଁଥିପାଇଁ ସମସ୍ତେ ନିଜନିଜ ଘରକୁ ଫେରିଯାଇଥିଲେ। ଏଭଳି ଘଟଣାକୁ ପ୍ରଶାସନ ହାଲୁକା ନେଇଥିବା ସ୍ପଷ୍ଟ ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏ ସମ୍ପର୍କରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଫେରୁଥିବା ଯୁବକମାନଙ୍କର କୌଣସି ନିର୍ଦ୍ଦିଷ୍ଟ ପରିଚୟ ଜାଣିନଥିବାରୁ କାହାକୁ ସେଠାରେ ଅଟକାଇବେ ବୋଲି ପ୍ରଶ୍ନ କରିଛନ୍ତି। କିନ୍ତୁ ସେମାନେ ନିଜଆଡ଼ୁ ଯଦି ଚିକିତ୍ସା ହେବାକୁ ଚାହିଁବେ ତାହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର