‘ନିରାମୟ’କୁ ନିମ୍ନମାନର ଔଷଧ ଭୟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇବା ପାଇଁ ଆରମ୍ଭ ହୋଇଛି ‘ନିରାମୟ’ ଯୋଜନା। ରାଜ୍ୟ ଔଷଧ ନିଗମ ପକ୍ଷରୁ ଏହି ଯୋଜନାରେ ସମସ୍ତ ସରକାରୀ ଡାକ୍ତରଖାନାକୁ ଔଷଧ ଯୋଗାଇ ଦିଆଯାଉଛି। ତେବେ ଅନେକ ସମୟରେ ଔଷଧ କମ୍ପାନିମାନଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଔଷଧ ନିମ୍ନମାନର ଥିବା ପରୀକ୍ଷା ରିପୋର୍ଟରୁ ଜଣାପଡ଼ୁଛି।

୨୦୧୭/୧୮ରେ ୧୩ଟି ଔଷଧ ସହିତ ୪୬ଟି ବ୍ୟାଚ୍‌ର ଔଷଧ ନିମ୍ନମାନର ଥିବା ସୂଚନା ମିଳିଛି। ତେବେ ଯେଉଁ କମ୍ପାନିମାନେ ଉତ୍ତମ ଗୁଣବତ୍ତା ଥିବା ଔଷଧ ଯୋଗାଇବାରେ ବିଫଳ ହେଉଛନ୍ତି ସେମାନଙ୍କୁ ନିଗମ ପକ୍ଷରୁ କଳାତାଲିକାଭୁକ୍ତ କରାଯାଉଛି। ଏ ପର୍ଯ୍ୟନ୍ତ ୪ଟି କମ୍ପାନିକୁ କଳାତାଲିକା ଭୁକ୍ତ କରାଯାଇଛି। ଫଳରେ ଏହି କମ୍ପାନିଗୁଡ଼ିକ ଆଗାମୀ ଦିନରେ ନିଗମର କୌଣସି ଟେଣ୍ଡର୍‌ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ।

ସୂଚନାନୁଯାୟୀ, ୨୦୧୭/୧୮ ବର୍ଷରେ ପାଣ୍ଟୋପ୍ରାଜୋଲ ବଟିକାର ୫ଟି ବ୍ୟାଚ୍‌, ଆଲବେଣ୍ଡାଜୋଲ ସିରିପ୍‌ର ୫ଟି ବ୍ୟାଚ୍‌, ଡାଇକ୍ଲୋଫିନାକ୍‌ ଓ ପାରାସିଟାମଲର ବଟିକାର ଗୋଟିଏ ଲେଖାଏଁ ବ୍ୟାଚ୍‌, କ୍ୟାଲସିୟମ୍‌ ଓ ଭିଟାମିନ୍‌ ଡି୩ ବଟିକାର ୫ଟି ବ୍ୟାଚ୍‌, ସିପ୍ରୋଫ୍ଲୋକ୍‌ିସିନ୍‌ ଡ୍ରପ୍‌, ଓଆରଏସ୍‌ର ୭ଟି ବ୍ୟାଚ୍‌, ଏଚ୍‌ସିଏଲ ଇଞ୍ଜେକସନ୍‌, ଆବଜରବେଣ୍ଟ କଟନ, ଫେରସ୍‌ ସଲଫେଟ୍‌ ଓ ଫଲିକ୍‌ ଏସିଡ ସିରପ୍‌ର ୮ଟି ବ୍ୟାଚ୍‌, ଆଇ.ଭି ସୋଡିୟମ୍‌ କ୍ଲୋରାଇଡ, ଆଇ.ଭି କମ୍ପାଉଣ୍ଡ ସୋଡିୟମ ଲାକ୍ଟେଟ୍‌ର ୭ଟି ଓ ଆଇ.ଭି ଡେକ୍ସଟ୍ରୋଜ୍‌ ଏଣ୍ଡ ସୋଡିୟମ୍‌ର ୨ଟି ବ୍ୟାଚ୍‌କୁ ମିଶାଇ ସମୁଦାୟ ୪୬ଟି ବ୍ୟାଚ୍‌ର ଔଷଧ ନିମ୍ନମାନର ଥିବା ଜଣାପଡ଼ିଛି। ଦେଶର ବିଭିନ୍ନ ଏନ୍‌ଏବିଏଲ୍‌ ପରୀକ୍ଷାଗାରରେ ହୋଇଥିବା ପରୀକ୍ଷା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି।

ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିରାମୟ ଯୋଜନା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ଡିଏମ୍‌ୟୁ ରାଜ୍ୟ ଔଷଧ ପରିଚାଳନା ୟୁନିଟ୍‌ ଜରିଆରେ ଔଷଧ କିଣାଯାଉଥିଲା। ଏଥିରେ ହସ୍ପିଟାଲକୁ ଔଷଧ ଯୋଗାଣ ସମୟରେ ହିଁ ଔଷଧର ଗୁଣବତ୍ତା ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଯାଉଥିଲା। ତେବେ ଅନେକ ସମୟରେ ଔଷଧର ନମୁନା ରାଜ୍ୟ ବାହାରକୁ ପଠାଯାଉଥିବାରୁ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିଲା। ଏହି ସମୟ ମଧ୍ୟରେ ଲୋକମାନେ କେତେକାଂଶରେ ଔଷଧ ସେବନ କରି ଦେଉଥିଲେ। ତେବେ ‘ନିରାମୟ’ ଯୋଜନା ଆରମ୍ଭ ହେବା ପରେ ଔଷଧର ଗୁଣବତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିରେ ଟେଣ୍ଡର ଜରିଆରେ ଔଷଧ ଯୋଗାଇବା ପାଇଁ ଅଂଶଗ୍ରହଣ କରୁଥିବା କମ୍ପାନି ଔଷଧ ଯୋଗାଇବା ପରେ ହିଁ ଔଷଧର ଗୁଣବତ୍ତା ଯାଞ୍ଚ ପାଇଁ ଏନ୍‌ଏବିଏଲ୍‌ ପରୀକ୍ଷାଗାରକୁ ପଠାଯାଉଛି। ଏଥିପାଇଁ ନିଗମ ଦେଶର ୧୨ଟି ଏନ୍‌ଏବିଏଲ ପରୀକ୍ଷାଗାର ସହିତ ଅନୁବନ୍ଧିତ ହୋଇଛି।

ଏନ୍‌ଏବିଏଲ ପରୀକ୍ଷାଗାରକୁ ରିପୋର୍ଟ ଆସିବା ପରେ ତାହା ବିଭିନ୍ନ ଜିଲ୍ଲାରେ ଥିବା ଔଷଧ ୟୁନିଟ୍‌କୁ ପଠାଯିବ କି ନାହିଁ ନିଷ୍ପତ୍ତି ନିଆଯାଉଛି। ଯେଉଁ ଔଷଧର ନିମ୍ନମାନର ବୋଲି ଜଣାପଡ଼ୁଛି ତାହାକୁ ସଙ୍ଗେ ସଙ୍ଗେ ଫେରାଇ ନେଇ ଆଉ ଏକ ନୂତନ ବ୍ୟାଚ୍‌ର ଔଷଧ ଯୋଗାଇ ଦେବାକୁ କମ୍ପାନିକୁ ନିର୍ଦେଶ ଦିଆଯାଉଛି। ଯେଉଁ କମ୍ପାନିର ଗୋଟିଏ ପ୍ରକାରର ଦୁଇଟି ବ୍ୟାଚ୍‌ର ଔଷଧ ନିମ୍ନମାନର ରହିଥିବା ଜଣାପଡ଼େ ସେହି କମ୍ପାନିକୁ ସେହି ଔଷଧ ପାଇଁ କଳାତାଲିକାଭୁକ୍ତ କରାଯାଉଛି। ଏଭଳି ୩ଟି କମ୍ପାନିର ଔଷଧ କଳାତାଲିକାଭୁକ୍ତ ହୋଇଛନ୍ତି। ସେହିପରି ଯେଉଁ କମ୍ପାନିର ୨ ପ୍ରକାରର ଔଷଧ ନିମ୍ନମାନର ବୋଲି ଜଣାପଡ଼େ ସେହି କମ୍ପାନିକୁ ନିଗମ ପକ୍ଷରୁ କଳାତାଲିକାଭୁକ୍ତ କରାଯାଉଛି। ଏ ପର୍ଯ୍ୟନ୍ତ ୪ଟି କମ୍ପାନି କଳାତାଲିକାଭୁକ୍ତ ହୋଇଛନ୍ତି। ସେହି କମ୍ପାନିମାନେ ନିଗମର କୌଣସି ଟେଣ୍ଡର୍‌ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ନାହିଁ।

୧୩ଟି ଏନ୍‌ଏବିଏଲ୍‌ ପରୀକ୍ଷାଗାରକୁ ବାଦ୍‌ ଦେଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟ ଦୁଇଟି ପରୀକ୍ଷାଗାର ରହିଛି। ଏହି ଦୁଇ ପରୀକ୍ଷାଗାରରେ ଯେ କୌଣସି ସମୟରେ ନିଗମକୁ ଆସିଥିବା ଔଷଧର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇ ପାରିବ। ରୋଗୀମାନଙ୍କୁ କିଭଳି ଉତ୍ତମ ଗୁଣବତ୍ତା ଥିବା ଔଷଧ ମିଳିପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର