‘ନିରାମୟ’ରେ ମିଳୁନି ଜୀବନ ରକ୍ଷାକାରୀ ଔଷଧ : ଔଷଧ ତାଲିକା ବଢ଼ୁଛି, ସାଧାରଣ ଔଷଧ ସଂକଟ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ‘ନିରାମୟ’ ଯୋଜନାରେ ମିଳୁନି ଲାଇଫ୍ ସେଭିଂ ବା ଜୀବନରକ୍ଷାକାରୀ ଔଷଧ। ସରକାରୀ ଡାକ୍ତରଖାନାକୁ ଆସୁଥିବା ଉଚ୍ଚ ରକ୍ତଚାପ ରୋଗୀଙ୍କଠାରୁ ଆରମ୍ଭ କରି ସାଧାରଣଭାବେ ଆବଶ୍ୟକ ଔଷଧ ମଧ୍ୟ ମିଳୁନାହିଁ। କେବଳ କ୍ୟାପିଟାଲ ହସ୍ପିଟାଲ ନୁହେଁ ରାଜଧାନୀର ଅନ୍ୟ ସିଏଚ୍‌ସି ଓ ପିଏଚ୍‌ସିରେ ମଧ୍ୟ ଏସବୁ ଔଷଧ ଉପଲବ୍ଧ ହେଉନାହିଁ। ଗୋଟିଏ ପଟେ ରାଜ୍ୟ ଔଷଧ ଯୋଗାଣ ନିଗମ ପ୍ରତିବର୍ଷ ‘ନିରାମୟ’ ଯୋଜନାରେ ଔଷଧର ସଂଖ୍ୟା ବଢ଼ାଇ ଚାଲିଥିବା ବେଳେ ସାଧାରଣ ଔଷଧ ଉପଲବ୍ଧ ନ ହେବ ଏହା ଉପରେ ପ୍ରଶ୍ନବାଚୀ ଲଗାଇଛି।

ଉଚ୍ଚ ରକ୍ତଚାପ ରୋଗୀମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଔଷଧ ହେଉଛି ଟେଲ୍‌ମିସାଟ୍ରନ୍ ୪୦ ବଟିକା। ଗତ କିଛିଦିନ ହେବ ଏହା ରାଜଧାନୀର ସରକାରୀ ଡାକ୍ତରଖାନାଗୁଡ଼ିକରେ ମିଳୁନାହିଁ। ଏହାର ଦାମ୍ ଯଦିଓ ଅଧିକ ନୁହେଁ ମାତ୍ର ସାଧାରଣ ଲାଇଫ ସେଭିଂ ଔଷଧ ହିସାବରେ ଏହା ଡାକ୍ତରଖାନାଗୁଡ଼ିକରେ ଉପଲବ୍ଧ ହେବା କଥା। ମାତ୍ର ତାହା ରୋଗୀଙ୍କୁ ମିଳୁନାହିଁ। କ୍ୟାପିଟାଲ ହସ୍ପିଟାଲରେ ଏହାର ବଦଳରେ ସମାନ ‌କମ୍ପୋଜିସନ୍ ଥିବା ଅନ୍ୟ ଔଷଧ ଦିଆଯାଉଛି। ମାତ୍ର ରୋଗୀମାନେ ଏଥିରେ ସନ୍ତୁଷ୍ଟ ହେଉ ନାହାନ୍ତି, ଫେରି ଯାଉଛନ୍ତି। ଅପରପକ୍ଷରେ ଡାକ୍ତରଖାନାରେ ରୋଗୀମାନେ ଆବଶ୍ୟକତାଠାରୁ ଅଧିକ ଔଷଧ ପାଇଁ ଦାବି କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଡାକ୍ତର ଯେତିକି ଦିନ ପାଇଁ ଔଷଧ ଲେଖୁଛନ୍ତି ତାଠାରୁ ଅଧିକ ଔଷଧ ଦେବା ପାଇଁ ରୋଗୀ ଅଡ଼ି ବସୁଛନ୍ତି। ଏପରିକି ଜଣେ ଜଣେ ବ୍ୟକ୍ତି ଏକାଧିକ ବ୍ୟକ୍ତିଙ୍କ ନାଁରେ ଔଷଧ ନେଉଥିବା ମଧ୍ୟ ନଜରକୁ ଆସିଛି।

ସମାନ ଅବସ୍ଥା ମଧ୍ୟ ଆଜିଥ୍ରୋମାଇସିନ୍‌ ବଟିକାର। ସାଧାରଣଭାବେ ଥଣ୍ଡା ଓ ଜ୍ବର ପାଇଁ ଦିଆଯାଉଥିବା ଏହି ଔଷଧ ମଧ୍ୟ ମିଳୁନାହିଁ। କାଁ ଭାଁ କିଛି ସରକାରୀ ଡାକ୍ତରଖାନାରେ ଏହା ମିଳୁଥିବା ବେଳେ ସବୁଆଡ଼େ ଏହା ଉପଲବ୍ଧ ହେଉନାହିଁ। ଏହା ବଦଳରେ ସମାନ କମ୍ପୋଜିସନ୍ ଥିବା ଅନ୍ୟ ଔଷଧ କ୍ୟାପିଟାଲ ହସ୍ପିଟାଲରେ ଦିଆଯାଉଛି। ‘ନିରାମୟ’ ଯୋଜନା କାର୍ଯ୍ୟକାରୀ ହେବା ପରେ ଔଷଧର ଷ୍ଟକ୍ ଜାଣିବା ପାଇଁ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟୋର ରହିଛି। ଏଠାରେ କେଉଁ ଡାକ୍ତରଖାନାରେ କେଉଁ ପରିମାଣର ଔଷଧ ଉପଲବ୍ଧ ହେଉଛି ତାହା ଜଣାପଡ଼ିଥାଏ। ତେବେ ଔଷଧ ସଂପୂର୍ଣ୍ଣଭାବେ ଶେଷ ହେବା ପୂର୍ବରୁ କାହିଁକି ଔଷଧ ଦିଆଗଲା ନାହିଁ ତାହା ଅନେକଙ୍କ ମନରେ ସନ୍ଦେହ ସୃଷ୍ଟ କରିଛି।

ନିଗମର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ୨୦୧୮/୧୯ ପାଇଁ ପରଚେଜ୍ ଅର୍ଡର ବା ପିଓ ପଠାଯାଇଛି। ଔଷଧ‌ ଯୋଗାଣ ପାଇଁ ୭୦ ଦିନ ସମୟ ରହିଥାଏ। ତେବେ ୩/୪ ମାସ ପାଇଁ ଔଷଧର ଷ୍ଟକ୍ ରହିଥିବା ସମୟରେ ପିଓ ଦିଆଯାଇଥାଏ। ତେଣୁ ଔଷଧ ଶେଷ ହେବା ବେଳକୁ ନୂଆ ଔଷଧ ଆସିସାରିଥାଏ। ଜିଲ୍ଲା ଓ‌ୟାର ହାଉସ୍‌କୁ ଔଷଧ ଯୋଗାଣ ହେବା ପରେ ସେଠାରେ ବିଭିନ୍ନ ଡାକ୍ତରଖାନାକୁ ଯାଇଥାଏ। ତେବେ ଅଧିକାଂଶ ଔଷଧର କଞ୍ଚାମାଲ ଚାଇନାରୁ ଆସୁଥିବାରୁ ନିକଟରେ କଞ୍ଚା ମାଲ ଦର ବଢ଼ି ଯାଇଛି। ଯାହାଫଳରେ ଟେଣ୍ଡର ନେଇଥିବା କମ୍ପାନି ସେହି ଅର୍ଥରେ ଔଷଧ ଯୋଗାଇବାକୁ କୁଣ୍ଠାବୋଧ କରୁଛନ୍ତି। ତେଣୁ ଔଷଧ ଯୋଗାଣରେ ବିଳମ୍ବ ହେଉଛି। ତେବେ ଏଭଳି ସଂକଟକୁ ଏଡ଼ାଇବା ପାଇଁ ପ୍ରତି ଜିଲ୍ଲା ସିଡିଏମ୍‌ଓମାନଙ୍କୁ ୨୦ ପ୍ରତିଶତ ଅର୍ଥ ଔଷଧ କିଣିବା ପାଇଁ ଦିଆଯାଉଛି। ସେହି ଅର୍ଥରେ ସିଡିଏମ୍‌ଓ ଅତିକମ୍‌ରେ ୧ମାସ ପାଇଁ ଔଷଧ କିଣିପାରିବେ। ଯାହାଫଳରେ ଡାକ୍ତରଖାନାରେ ଲୋକମାନଙ୍କୁ ସବୁବେଳେ ଔଷଧ ଉପଲବ୍ଧ ହୋଇପାରିବ।

ତେବେ ଟେଲ୍‌ମିସାଟ୍ରନ୍ ୪୦ ବଟିକା ଆଜି କ୍ୟାପିଟାଲ ହସ୍ପିଟାଲ ଓ ବ୍ରହ୍ମପର ମେଡିକାଲରେ ଉପଲବ୍ଧ ହେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ରାଜଧାନୀର ଅନ୍ୟ ସରକାରୀ ଡାକ୍ତରଖାନାରେ ତାହା ଉପଲବ୍ଧ ହେବା ପାଇଁ ଆଉ କିଛିଦିନ ସମୟ ଲାଗିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର