ପୁରୀ ଜିଲ୍ଲାରେ ବାଟବଣା ହେବାରେ ଲାଗିଛି ‘ନିରାମୟ’ ଯୋଜନା, ଓପିଡି ଟିକେଟ୍‌ ବଦଳରେ ଡାକ୍ତରମାନେ ଚିରୁକୁଟିରେ ‌ଔଷଧ ଲେଖି ବାହାରୁ କିଣିବାକୁ ବାଧ୍ୟ କରୁଛନ୍ତି

ପୁରୀ : ସରକାରୀ ଡାକ୍ତରଖାନାକୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କୁ ‘ନିରାମୟ’ ଯୋଜନାରେ ମିଳିବ ମାଗଣା ଔଷଧ। ଏହି ମହତ୍ବକାଂକ୍ଷୀ ଯୋଜନାକୁ ଫଳପ୍ରଦ କରିବା ପାଇଁ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ନିରାମୟ କାଉଣ୍ଟର ଖୋଲାଗଲା। ଏ ବାବଦରେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁରୀ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ଅପାରଗତା ଯୋଗୁଁ ଏହା ବାଟବଣା ହେବାରେ ଲାଗିଛି। ଡାକ୍ତରମାନେ ନିରାମୟ ବଦଳରେ ବାହାରୁ ଔଷଧ କିଣିବାକୁ ରୋଗୀମାନଙ୍କୁ ବାଧ୍ୟ କରୁଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ସମିତିର ମୁରବୀମାନେ ଏ ସଂପର୍କରେ ଭଲ ଭାବେ ଅବଗତ ଥିଲେ ମଧ୍ୟ ମୁହଁ ଖୋଲୁନାହାନ୍ତି। ସବୁଠୁ ବଡ଼ କଥା ହେଲା, ନିରାମୟ କାଉଣ୍ଟର ସତ୍ତ୍ବେ ଚିକିତ୍ସାଳୟ ପରିସରରେ ବେସରକାରୀ ଔଷଧ ଦୋକାନ ରହିବା। ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଜାଣିଶୁଣି ଏଭଳି ଦୁର୍ନୀତିକୁ ପ୍ରଶୟ ଦେଉଥିବା ଅଭିଯୋଗ ହୋଇଛି।

୨୦୧୫ ମସିହାରେ ସରକାର ଆରମ୍ଭ କରିଥିଲେ ‘ନିରାମୟ’ ଯୋଜନା। ଏବେ ନିରାମୟ କେନ୍ଦ୍ରରେ ପ୍ରାୟ ୬୦୦ ପ୍ରକାରର ଔଷଧ ମିଳୁଛି। ଜିଲ୍ଲାସ୍ତରରେ ଔଷଧ କ୍ରୟ ବାବଦକୁ ୬୦ କୋଟି ଟଙ୍କା ଯୋଗାଇ ଦିଆଯାଉଛି। ତଥାପି ନିରାମୟ କେନ୍ଦ୍ରର ସ୍ଥିତି ବଦଳୁନି। ଓପିଡି ଟିକେଟ୍‌ ବଦଳରେ ଡାକ୍ତରମାନେ ଚିରୁକୁଟିରେ ‌ଔଷଧ ଲେଖି ବାହାରୁ କିଣିବାକୁ ବାଧ୍ୟ କରୁଛନ୍ତି। ସ୍ବାସ୍ଥ୍ୟବସ୍ଥା ଖରାପ ଯୋଗୁଁ ପୁଷ୍ପା ପଣ୍ଡା ନାମ୍ନୀ ଜଣେ ମହିଳା କିଛି ଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ନିରାମୟ ବଦଳରେ ବାହାର ଔଷଧ ‌ଦୋକାନରୁ ଔଷଧ କିଣିବାକୁ ବାଧ୍ୟ କରିଥିଲେ। ଏଥି ପାଇଁ ପୁଷ୍ପାଙ୍କୁ ପ୍ରାୟ ୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏହା କେବଳ ଉଦାହରଣ ମାତ୍ର। ଲାଞ୍ଚଖୋର ମନୋବୃତ୍ତି ରଖି ଓପିଡିରେ ବସୁଥିବା ଡାକ୍ତରମାନେ ରୋଗୀଙ୍କୁ ଏମିତି ଶୋଷଣ କରୁଛନ୍ତି। ଯଦି କେହି ନିରାମୟ କେନ୍ଦ୍ର କଥା ପଚାରିଲା, ‌ସେ ଔଷଧରେ ଦେହ ଭଲ ହେବନି କହି କଥା ଟାଳି ଦେଉଛନ୍ତି।

ଗୋଟିଏ ପଟେ ସରକାର ନିରାମୟ କେନ୍ଦ୍ରରୁ ସୁବିଧା ନେବାକୁ କହୁଥିବା ବେଳେ ପୁରୀ ଜିଲ୍ଲାର ଅଧିକାଂଶ ଡାକ୍ତରଖାନା ପରିସରରେ ଔଷଧ ଦୋକାନ ରହିବା ବ୍ୟବସ୍ଥାଗତ ତ୍ରୁଟିକୁ ଦର୍ଶାଉଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବି ଏଥିରୁ ବାଦ୍ ପଡ଼ିନି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରବେଶ ପଥରେ ଏକ ବଡ଼ ଔଷଧ ଦୋକାନ ରହିଛି। ଯେଉଁ ଅଜଣା ବ୍ୟକ୍ତି ଅବା ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ନିରାମୟ କେନ୍ଦ୍ର ସଂପର୍କରେ ଜାଣିନାହାନ୍ତି, ସେମାନେ ଏହି ଦୋକାନୀମାନଙ୍କ ଶୋଷଣର ଶିକାର ହେଉଛନ୍ତି। ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ ସ୍ଥାନରେ ବି ସମାନ ଅବସ୍ଥା। ଏଠାରେ ବେସରକାରୀ ଦୋକାନ ଖୋଲିବାକୁ ସୁଯୋଗ ଦେଇ ଲକ୍ଷ ଲକ୍ଷ ଟଙ୍କା ମୁନାଫା ଉଠାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିସି କ୍ୟାମେରା ଲାଗିଛି, ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। ଉପରିସ୍ଥ ଅଧିକାରୀ, ରୋଗୀ କଲ୍ୟାଣ ସମିତି ଚାହିଁଲେ ଏ ସଂପର୍କରେ ସହଜରେ ଜାଣିପାରନ୍ତେ। ତଥାପି ଏଥିପ୍ରତି କାହାରି ନଜର ନପଡ଼ିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ଜରୁରୀ ବୈଠକରେ ଉପସ୍ଥିତ ଥିବାରୁ ତାଙ୍କ ମତାମତ ନେବା ସମ୍ଭବ ହୋଇନି।

ସମ୍ବନ୍ଧିତ ଖବର