ବିମୁଦ୍ରୀକରଣକୁ ନେଇ ନିରଞ୍ଜନଙ୍କ ପ୍ରଶ୍ନ, କେତେ ବାଟ ଗଲା ମୋଦୀଙ୍କ କଳାଧନ ଖୋଜା?

ଭୁବନେଶ୍ବର: ବିମୁଦ୍ରୀକରଣର ଦୁଇ ବର୍ଷ ପୂରଣ ହୋଇଥିଲା ବେଳେ ଏହାର ବିଫଳତା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏକ ପ୍ରେସ୍ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ରିଜର୍ଭ ବ୍ୟାଙ୍କର ହିସାବ ଅନୁଯାୟୀ ବିମୁଦ୍ରୀକରଣ ଘୋଷଣା କରାଯିବା ସମୟରେ ଦେଶରେ ୧୫.୪୧ ଲକ୍ଷ କୋଟି ଟଙ୍କାର ୫୦୦ ଓ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳିତ ଥିଲା। ବିମୁଦ୍ରୀକରଣ ପରେ ରିଜର୍ଭ ବ୍ୟାଙ୍କ ନିକଟକୁ ତାହାର ପାଖାପାଖି ୯୯.୩ ପ୍ରତିଶତ ଅର୍ଥାତ ୧୫.୩୦ ଲକ୍ଷ କୋଟି ଟଙ୍କାର ନୋଟ୍ ଫେରିଲା। ଅବଶିଷ୍ଟ ୧୦,୭୨୦ କୋଟି ଟଙ୍କାର ଅଯୋଗ୍ୟ ଘୋଷିତ ନୋଟ୍ ଜମା ହୋଇ ନାହିଁ। ତେବେ ବିମୁଦ୍ରୀକରଣର ୬ ମାସ ପରେ ବିଦେଶୀ ବ୍ୟାଙ୍କଗୁଡ଼ିକରେ ପାଖାପାଖି ୭ ହଜାର କୋଟି ଟଙ୍କା ଜମା କରାଯାଇଥିଲା ଓ ତାହା କଳାଧନ ବୋଲି ଜାଣିବାକୁ ମିଳିଥିଲା। ବିମୁଦ୍ରୀକରଣର କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ନକଲି ୨ ହଜାର ଟଙ୍କିଆ ନୋଟ୍ ମଧ୍ୟ ଜବତ କରାଗଲା। ପରେ ନକଲି ୫୦୦ ଟଙ୍କିଆ ବଜାରକୁ ଆସିଲା। ମୋଦୀ ସରକାରଙ୍କ କଡ଼ା‌ ନଜର ସତ୍ତ୍ବେ ଉକ୍ତ କଳା ଟଙ୍କା ବିଦେଶକୁ କିପରି ଗଲା ଓ କିଏ ସେହି ଟଙ୍କା ଜମା କଲା, ଜାଲ୍ ନୋଟ୍ କିପରି ପ୍ରଚଳନ ହେଲା, ମୋଦୀ ତାହାର ଜବାବ ଦିଅନ୍ତୁ। ଏଥିରେ ସରକାରୀ କଳ ସଂପୃକ୍ତ କି ନୁହେଁ, ତାହା କେନ୍ଦ୍ର ସରକାର ସ୍ପଷ୍ଟ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ରାଫେଲ ପରି ଏହି ପ୍ରସଙ୍ଗ ଉପରେ ମଧ୍ୟ ମୋଦୀ ନିରବ ରହିିଥିବାରୁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର କିଛି ନେତା, ଦଳ ସହ ସୁସମ୍ପର୍କ ରଖିଥିବା ବ୍ୟକ୍ତିବିଶେଷ ଉକ୍ତ ଅର୍ଥ ଜମା କରିଥାଇପାରନ୍ତି ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ବିମୁଦ୍ରୀକରଣ କରି ସମଗ୍ର ଦେଶବାସୀଙ୍କୁ ମାସାଧିକ କାଳ ରାଜରାସ୍ତାରେ ଧାଡ଼ିବାନ୍ଧି ଛିଡ଼ା କରାଇଥିବା ଏବଂ ଏଥି ଯୋଗୁ କିଛି ଲୋକଙ୍କର ମୃତ୍ୟୁ ଘଟିଥିବାରୁ ଏହି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ମୋଦୀ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ପିସିସି ସଭାପତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର