ନବୀନ ସରକାରଙ୍କୁ ନିରଞ୍ଜନଙ୍କ ଆହ୍ବାନ : କୃଷିଋଣ ଛାଡ଼, ଏମ୍ଏସ୍ପି ବୃଦ୍ଧି କର-ନଚେତ ଆନ୍ଦୋଳନ
ମୋଦୀଙ୍କ ବିକାଶ ଉପରେ ଲୋକଙ୍କ ଭରସା ନାହିଁ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ୍ ଡାକି ତୁରନ୍ତ କୃଷିଋଣ ଛାଡ଼ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଅନ୍ତୁ। ନଚେତ୍ କଂଗ୍ରେସ ସାରା ରାଜ୍ୟରେ ଆନ୍ଦୋଳନ କରିବ। ଆଜି ଅପରାହ୍ଣରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଏହିଭଳି ଆହ୍ବାନ ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପୂର୍ବାହ୍ନରେ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଲେ,ପୂର୍ବରୁ କଂଗ୍ରେସ କ୍ଷମତାରେ ଥିବା ବେଳେ ଦୁଇ ଦୁଇଥର କୃଷିଋଣ ଛାଡ଼ କରିଥିଲା। ଯଦି କଂଗ୍ରେସ କ୍ଷମତାକୁ ଆସେ ଋଣ ଛାଡ଼ କରିବା ସହିତ ଚାଷୀଙ୍କୁ ସୋଲାର ପମ୍ପ୍ସେଟ୍ ପ୍ରଦାନ ଏବଂ ୫ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବ। ଏହାଛଡ଼ା, ଚାଷୀଙ୍କ ପାଇଁ ଅଧିକ କ’ଣ କରିହେବ, ସେ ନେଇ ଇସ୍ତାହାର କମିଟି ଚିନ୍ତା କରୁଛି। ସେହିପରି ବାର୍ଧକ୍ୟଭତ୍ତାକୁ ୩୦୦ ଟଙ୍କାରୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ତେବେ ରାଜ୍ୟରେ ମୋଟ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଚାଷୀ ଥିବାରୁ ସେମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରାନଗଲେ ଅର୍ଥନୀତିର ଚିତ୍ର ବଦଳିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଚାଷୀ ପ୍ରସଙ୍ଗରେ ଉଭୟ ମୋଦୀ ଓ ନବୀନ ସରକାରଙ୍କ ବିରୁଦ୍ଧରେ ସେ ବର୍ଷିଥିଲେ। ରାଜ୍ୟ ସରକାରଙ୍କ ନେତୃତ୍ବରେ ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍ ପିଛା ୨୯୩୦ ଟଙ୍କା କରିବା ନେଇ ସଂକଳ୍ପ ପାରିତ ହୋଇଛି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ। ଚାଷୀଙ୍କୁ ସରକାର ଟଙ୍କାଟେ ଦେଲେ କି? ଛତିଶଗଡ଼ ସରକାରଙ୍କଠାରୁ ଆମ ସରକାର କିଛି ଶିଖୁନାହାନ୍ତିି। ଚାଷୀଙ୍କ ପାଇଁ ସରକାରଙ୍କର ଦରଦ ନାହିଁ। କେବଳ ପ୍ରଚାରରେ ବ୍ୟସ୍ତ। ସେହିପରି ପାରାଦୀପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶ୍ବାସନା ଦେଇଥିଲେ ଆଇଓସିଏଲ୍ରେ ଲକ୍ଷେ ଓଡ଼ିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମିଳିଛି ମାତ୍ର ୩୩୪ଜଣଙ୍କୁ ପିଅନ, ଚପରାଶି ନିଯୁକ୍ତି। ବରଗଡ଼ରେ ମୋଦୀ ଏମ୍ଏସ୍ପି ଦୁଇଗୁଣ କରାଯିବ ବୋଲି ଚାଷୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡ଼େ ଗଲା ବୋଲି ସେ ପଚାରିଥିଲେ।
କେବଳ ଧାନ ନୁହେଁ, ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ବା ଅନ୍ୟାନ୍ୟ ପ୍ରସଙ୍ଗରେ ଅଚଳାବସ୍ଥା ଦେଖାଦେଇଥିବା ଅଭିଯୋଗ କରି ଏଥିରେ ହସ୍ତେକ୍ଷପ କରିବାର ନୈତିକତା ମୁଖ୍ୟମନ୍ତ୍ରୀଙ୍କର ନାହିଁ କି ବୋଲି ଶ୍ରୀ ପଟ୍ଟନାୟକ ପଚାରିଥିଲେ। ସେହିପରି ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ନବୀନ ସରକାର ସଂସଦରେ ବିଶ୍ବାସ ପ୍ରସ୍ତାବ ଉପରେ ଆଲୋଚନା ହେଉ ବା ନୀତି ଆୟୋଗରେ ଆଲୋଚନାକୁ ବର୍ଜନ କରିବା କେତେଦୂର ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଥିଲେ। ଓଡ଼ିଶା ଗସ୍ତରେ ମୋଦୀଙ୍କ ବିକାଶ ବାକ୍ସ ପ୍ରସଙ୍ଗରେ ପିସିସି ସଭାପତି କହିଲେ ଯେ ମୋଦୀଙ୍କ ବିକାଶକୁ ଆଉ ଲୋକେ ବିଶ୍ବାସ କରୁନାହାନ୍ତିି। ସେହିପରି ନିଯୁକ୍ତି କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି। ତେବେ କଂଗ୍ରେସ ନିଯୁକ୍ତି, ମହିଳା, ଚାଷୀ, ଦଳିତ ଓ ଆଦିବାସୀଙ୍କ ବିକାଶ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇ ସ୍ବତନ୍ତ୍ର ଇସ୍ତାହାର କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଦଳୀୟ ଗଣମାଧ୍ୟମ ମୁଖ୍ୟ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।