କ୍ଷମତା ହାସଲ ପାଇଁ ବିଜେପି ନୀଚ ରାଜନୀତି କରୁଛି : ନିରଂଜନ

ଭୁବନେଶ୍ୱର : କଂଗ୍ରେସ ସର୍ବପୁରାତନ ଜାତୀୟସ୍ତରର ରାଜନୈତିକ ଦଳ । ଏହା ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତୀୟ ସମ୍ବିଧାନର
ପ୍ରଣେତା ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଭଳି ବ୍ୟକ୍ତିତ୍ୱଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଏବଂ ପରିଚାଳିତ ହେଉଛି । ଦେଶବାସୀଙ୍କ
ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣ, ମଠ ମନ୍ଦିର, ମସଜିଦ, ଗୀର୍ଜାକୁ ନେଇ କଂଗ୍ରେସ କେବେହେଲେ ବିଭାଜନର ମଂଜି ବୁଣିନାହିଁ । ବରଂ ଏହା
ଦେଶକୁ ସ୍ୱାଧୀନତା ଆଣିଦେବା ସହିତ ଦେଶକୁ ଏକତା ସୂତ୍ରରେ ବାନ୍ଧିରଖିବାର ପ୍ରଚେଷ୍ଟା ନିରନ୍ତର ଜାରି ରଖିଛି । ଏକଥା ଇତିହାସ ଜାଣିଛି ।
ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ମଧ୍ୟ ଦେଶବାସୀ ଜାଣନ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଯେଉଁଭଳି ଆକ୍ଷେପ
କରିଛନ୍ତି ତାହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ ଚୌକି ଦଖଲ ପାଇଁ ବିଜେପି ସବୁକିଛି କରିପାରୁଛି । ଗୋଆ, ମଣିପୁର ଭଳି ରାଜ୍ୟର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହିସବୁ ରାଜ୍ୟରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିନଥିଲେ ମଧ୍ୟ କଳେବଳେ କୌଶଳେ ଚୌକି ଦଖଲ କରିଛି । ଏଥିରୁ କିଏ ଚୌକିରେ ବସିବାକୁ ହୀନ ରାଜନୀତି କରୁଛି ତାହା ଜନସାଧାରଣ ବିଚାର କରିବେ । କଂଗ୍ରେସ ଅହିଂସା ନୀତିରେ ବିଶ୍ୱାସ କରେ ଏବଂ ଦେଶର ଏକତା, ଅଖଣ୍ଡତା, ସାର୍ବଭୌମତାବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ବିଜେପି ଜନସାଧାରଣଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣକୁ ନେଇ ବିଷ ମଂଜି ବୁଣିବାରେ ଲାଗିଛି ।

ଏହା ଚୌକି ଦଖଲ ପାଇଁ ବାରମ୍ବାର ନିଜର ନୀତି ବଦଳାଇବାରେ ଲାଗିଛି। ଏଭଳି ଏକ ରାଜନୈତିକ ଦଳର ମୁଖ୍ୟ କଂଗ୍ରେସର ନୀତି ଆଦର୍ଶ
ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ହାସ୍ୟାସ୍ପଦ ବୋଲି ନିରଂଜନ କହିଛନ୍ତି । କଂଗ୍ରେସ ନେତୃତ୍ୱରେ ଦେଶର ସାର୍ବଭୌମତ୍ୱ ବଜାୟ ରହିନଥିଲେ ଆଜି
ମୋଦି କେଉଁଠି ଥା’ନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି । ନିରଂଜନ କହିଛନ୍ତି, ନରେନ୍ଦ୍ର ମୋଦି କେବଳ ମିଛକଥା କହି ଲୋକଙ୍କୁ ଭୂଆଁ ବୁଲାଇ
ଚାଲିଛନ୍ତି । ସେ ଦେଶରେ ଏକଛତ୍ର ଶାସନ କରିବା ପ୍ରୟାସ କରୁଛନ୍ତି ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର