ବଲାଙ୍ଗୀରରେ ଜଳସେଚନ ନେଇ ସାଲୁଜା-ପୂଜାରୀ ମୁହାଁମୁହିଁ

ମାଇଣ୍ଡ୍‌ ‌ୟୋର୍ ବଡି ଲାଙ୍ଗୁଏଜ୍ : ପୂଜାରୀ, ବଲାଙ୍ଗୀର ଜିଲ୍ଲା ଲୋକ ହେଇ ଲାଜ ଲାଗୁନି : ସାଲୁଜା, ଆଇନ୍ ଶୃଙ୍ଖଳା ସ୍ଥିତି ପାଇଁ ଅଟକିଛି ଲୋୟର୍ ସୁକ୍‌ତେଲ

ଭୁବନେଶ୍ବର : ବିଧାନସଭାର ପ୍ରଶ୍ନ କାଳରେ ସନ୍ତୋଷ ସିଂହ ସାଲୁଜା ଲିଖିତ ପ୍ରଶ୍ନ କରିଥ‌ିଲେ, ବଲାଙ୍ଗୀର ଜିଲ୍ଲାରେ କେଉଁ ସମୟସୀମା ଭିତରେ ସରକାର କି କି ଜଳସେଚନ ପ୍ରକଳ୍ପ ଦ୍ବାରା ୩୫% ଜମି ଜଳସେଚିତ କରିବେ?

ଜଳସମ୍ପଦ ବିଭାଗର ଭାରପ୍ରାପ୍ତ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ପଢ଼ିଥିଲେ, ୩୫% ଜଳସେଚନ କରିବା ପାଇଁ ଲୋୟର୍ ସୁକ୍‌ତେଲ ପ୍ରକଳ୍ପ, ଲୋୟର୍ ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ୨୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ୩୭ଟି ଆଡ଼ିବନ୍ଧ କାର୍ଯ୍ୟ ଚାଲୁ ରହିଛି।

ଶ୍ରୀ ସାଲୁଜା ଅତିରିକ୍ତ ପ୍ରଶ୍ନ କରିଥିଲେ, ମୁଁ ନିର୍ଦ୍ଦିଷ୍ଟ ଭାବେ ପଚାରିଛି, ବଲାଙ୍ଗୀରରେ କେଉଁ ସମୟସୀମା ଭିତରେ ୩୫% ଜଳସେଚନ ହେବ। ମନ୍ତ୍ରୀ ଭଲ ଭାବେ ପଢ଼ନ୍ତୁ। ସେ କେଉଁ ଭାଷା ଜାଣିଛନ୍ତି?

ମନ୍ତ୍ରୀ ଜବାବ ‌େଦଲେ, ମୁଁ ଓଡ଼ିଆ ଛାତ୍ର। ଭଲ ଭାବେ ଓଡ଼ିଆ ପଢ଼ି ଜାଣିଛି। ବିଧାୟକ ତାଙ୍କ ବ୍ୟବହାରରେ ସଂଯମତା ଆଣନ୍ତୁ। ଏଇଟା ଖେଳ ପଡ଼ିଆ ନୁହେଁ। ବିଧାନସଭା ଗୃହର ମର୍ଯ୍ୟାଦା ରଖନ୍ତୁ। ମୁଁ ମଧ୍ୟ ଅବିଭକ୍ତ ବଲାଙ୍ଗୀର ଲୋକ। ବଲାଙ୍ଗୀର ପାଇଁ ସରକାର କ’ଣ କରିଛନ୍ତି, କହିବି। ବିଧାୟକ ଧୈର୍ଯ୍ୟ ଧରନ୍ତୁ।

ଶ୍ରୀ ସାଲୁଜା କହିଲେ, ୨୦୦୦ ମସିହାରୁ ଲୋୟର୍ ସୁକ୍‌ତେଲ ପ୍ରକଳ୍ପ ଘୋଷଣା ହେଲାଣି। କିନ୍ତୁ ଏ ଯାଏ ଗୋଟିଏ ଇଞ୍ଚ୍ ଜମି ଜଳସେଚିତ ହୋଇପାରିଲାନି। ଲାଜ ଲାଗୁନି ବଲାଙ୍ଗୀର ଲୋକ କହୁଛନ୍ତି।

ମନ୍ତ୍ରୀଙ୍କୁ କୁହାଇ ନ ଦେଇ ସାଲୁଜା ବାରମ୍ବାର ଟିପ୍ପଣୀ କରିବାରୁ ଶ୍ରୀ ପୂଜାରୀ ଆହୁରି ରାଗିଯାଇ କହିଲେ, ମାଇଣ୍ଡ୍‌ ୟୋର୍ ବଡି ଲାଙ୍ଗୁଏଜ୍। ଆପଣ ଭଲ ବ୍ୟବହାର ପ୍ରଦର୍ଶନ କରନ୍ତୁ। ମୁଁ ସବୁ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉଦ୍ଦର ଦେବି।

ବିଧାନସଭାର ପ୍ରଶ୍ନକାଳରେ ବଲାଙ୍ଗୀରରେ ଜଳସେଚନ ପ୍ରସଙ୍ଗକୁ ନେଇ ଏମିତି ମୁହାଁମୁହିଁ ହୋଇଥିଲେ ସନ୍ତୋଷ ସିଂହ ସାଲୁଜା ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ସାଲୁଜା ସମଗ୍ର ରାଜ୍ୟରେ ବ୍ଲକ୍ ୱାରି ଜଳସେଚିତ ଜମିର ତାଲିକା ମାଗିବା ସହ ବଲାଙ୍ଗୀର ଜିଲ୍ଲାରେ କେଉଁ ସମୟସୀମା ମଧ୍ୟରେ କି କି ପ୍ରକଳ୍ପ ଦ୍ବାରା ୩୫ ପ୍ରତିଶତ ଜଳସେଚନ କରାଯିବ ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ ସେସବୁ ତଥ୍ୟ ଦେଇଥିଲେ ବି ୩୫ ପ୍ରତିଶତ ଜଳସେଚନ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଦର୍ଶାଇ ନ ଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଜଳସମ୍ପଦ ମନ୍ତ୍ରୀଙ୍କୁ ଉତ୍ତର ଦେବାକୁ ପଡ଼ିବ ବୋଲି ସେ କୁଆଡ଼େ ଚାଲିଯାଇଛନ୍ତି। କା’ ମନ୍ତ୍ରୀ କି ଉତ୍ତର ଦେବେ ବୋଲି ଶ୍ରୀ ସାଲୁଜା କଟାକ୍ଷ କରିଥିଲେ।

ମନ୍ତ୍ରୀ ବିଭିନ୍ନ ହିସାବ ଦେଇ ଦର୍ଶାଇଥିଲେ ବଲାଙ୍ଗୀରରେ ଏବେ ୩୩.୭% ଜମି ଜଳସେଚିତ ହୋଇସାରିଛି। ୩୫% ଲକ୍ଷ୍ୟ ପୂରଣ ପାଇଁ ଅବଶିଷ୍ଟ ଜମିକୁ ଖୁବ୍ ଶୀଘ୍ର ଜଳସେଚିତ କରାଯିବ। ନିର୍ଦ୍ଦିଷ୍ଟ କିଛି ଜାଗାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋୟର୍ ସୁକ୍‌ତେଲ ପ୍ରକଳ୍ପ ଅଟକିଛି। କିନ୍ତୁ ସରକାର ଏହି ପ୍ରକଳ୍ପ ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ନିଶ୍ଚିତ ଏହାର ନିର୍ମାଣ କରାଯିବ। ପ୍ରତି ମାସରେ ପ୍ରକଳ୍ପର ସମୀକ୍ଷା କରାଯାଇ ତ୍ବରାନ୍ବିତ କରାଯିବ। ଜନପ୍ରତିନିଧିମାନେ ମଧ୍ୟ ଏହି କାମରେ ସହଯୋଗ କରନ୍ତୁ।

ଶ୍ରୀ ସାଲୁଜାଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀଙ୍କ ତଥ୍ୟ ଥିଲା, ୨୦୦୯ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟ‌େର ୨୮.୬୯ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା କରାଯାଇଥିଲା। ୨୦୦୯ ଏପ୍ରିଲ୍‌ରୁ ୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଆଉ ଅଧିକ ୧୩.୨୦ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା ସୃଷ୍ଟି କରାଯାଇଛି। ବଲାଙ୍ଗୀର ଜିଲ୍ଲାର ମୋଟ ଚାଷ ଉପଯୋଗୀ ୩.୪୬ ଲକ୍ଷ ହେକ୍ଟର ମଧ୍ୟରୁ ବିଭିନ୍ନ ପ୍ରକଳ୍ପ ଦ୍ବାରା ୨୦୧୯ ମସିହା ମାର୍ଚ୍ଚ ମାସ ‌େଶଷ ସୁଦ୍ଧା ୧.୭୩ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନର ସାମର୍ଥ୍ୟ ସୃଷ୍ଟି କରାଯାଇଛି। ମୋହନ ମାଝୀ, ତାରା ପ୍ରସାଦ ବାହିନୀପତି ଓ ମୁକେଶ ମହାଲିଙ୍ଗ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର