ସୋନାଙ୍କୁ ନିରଞ୍ଜନଙ୍କ ସମର୍ଥନ, ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଭଜନ ‘ଆହେ ନୀଳ ଶୈଳ’କୁ ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ର ଭିନ୍ନ ଶୈଳୀରେ ଗାୟନ କରିଥିବା ନେଇ ବିବାଦ ସୃଷ୍ଟି ହୋଇଛି। ବିଶେଷ କରି ସେ କିଛି ଶବ୍ଦକୁ ସଠିକ୍‌ ଭାବେ ଉଚ୍ଚାରଣ କରିନଥିବା ପ୍ରତିବାଦରେ ତାଙ୍କ ବିରୁଦ୍ଧରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ସହିତ ତାଙ୍କର ପୋଷ୍ଟର ମଧ୍ୟ ଦାହ କରାଯାଇଛି। ଏଭଳି ମୁହୂର୍ତରେ ତାଙ୍କୁ ସମର୍ଥନ ଜଣାଇଛନ୍ତି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ସୋନାଙ୍କୁ ସମର୍ଥନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି।

ପିସିସି ସଭାପତି କହିଛନ୍ତି, ‘‘ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ର ଅଶ୍ଳୀଳ ଗୀତ ଗାଇନାହାନ୍ତି। ଓଡ଼ିଆ ଭାଷାକୁ ଟିକେ ବଙ୍କେଇ ଉଚ୍ଚାରଣ କରିଛନ୍ତି। ହେଲେ ସେ ଓଡ଼ିଆ ଝିଅଟିଏ। ଓଡ଼ିଶାରେ ଜନ୍ମ ହୋଇନାହାନ୍ତି, ଓଡ଼ିଆ ଶିଖିନାହାନ୍ତି କି ଓଡ଼ିଆ ପଢ଼ିନାହାନ୍ତି। କିନ୍ତୁ ଓଡ଼ିଆ ଭାଷା ପ୍ରତି ତାଙ୍କର କେତେ ଶ୍ରଦ୍ଧା! ସେଥିପାଇଁ ଓଡ଼ିଶା ବାହାରେ ମୁମ୍ବାଇରେ ଓଡ଼ିଆ ଗୀତ ଗାଉଛନ୍ତି। ଗାଇବା ବେଳେ କିଛି ଶବ୍ଦ ଏପାଖ ସେପାଖ ହୋଇଗଲା। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ହୋଇ ଓଡ଼ିଆରେ କହିନପାରି ଭାଷାକୁ ଅଶ୍ଳୀଳ ଭାବରେ କହୁଛନ୍ତି। ସେତେବେଳେ ସବୁ ଓଡ଼ିଆ ତାଳି ମାରୁଛନ୍ତିି। କେହି ଜଣେ ହେଲେ ବି ଏତଲା ଦେଉନାହାନ୍ତି। ଝିଅଟିଏ ଗାଇଦେଲା, ସେଇଟା ଆଖିକୁ ଦେଖାଗଲା,’’ ବୋଲି କହି ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରିଛନ୍ତି।

ସମ୍ବନ୍ଧିତ ଖବର