‘ରାଜ୍ୟ ସରକାର ତୈଳ ଦର ଉପରୁ ଭାଟ୍‌ କମାନ୍ତୁ’

ନବୀନଙ୍କୁ ନିରଞ୍ଜନଙ୍କ ଟ୍ଵିଟ୍‌

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ୍‌, ଡିଜେଲ୍‌ ଦର କମିବାର ନାଁ ଧରୁନାହିଁ। କେନ୍ଦ୍ର ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଳାଇଛି ବିଜେଡି। ସମଗ୍ର ରାଜ୍ୟରେ ବିକ୍ଷୋଭ, ପ୍ରତିବାଦ ଜାରି ରଖିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଳ ଦେଇ ରାଜ୍ୟ ବିଜେପି ନେତାମାନେ ରାଜ୍ୟ ସରକାର ଟିକସ(ଭାଟ୍‌) ହ୍ରାସ କରିବାକୁ ଦାବି କରୁଛନ୍ତିି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ମଧ୍ୟ ଧାରଣା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସମାଲୋଚନା କରିଛି। ଏହା ଭିତରେ ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧିର ଶିକାର ହୋଇ ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକେ। ଏହି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟାଗେର୍ଟ କରିଛନ୍ତିି।

ଆଜି ରାଜ୍ୟ କଂଗ୍ରେସ ମୁଖିଆ ଶ୍ରୀ ପଟ୍ଟନାୟକ ଟ୍ଵିଟ୍‌ ଯୋଗେ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଠକିବା ବନ୍ଦ କରନ୍ତୁ। ଯଦି ତୈଳ ଦର ବୃଦ୍ଧି ନେଇ ସେ ଏତେ ଉଦ୍‌ବିଗ୍ନ, ତେବେ ସେ ଟିକସ ହ୍ରାସ କରନ୍ତୁ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ସମସ୍ତ କ୍ଷମତା ରହିଛି। ସେ ଚାହିଲେ ମୂଲ୍ୟଯୁକ୍ତ କର ବା ଭାଟ୍‌ କମାଇ ତୈଳ ଦର ହ୍ରାସ କରିପାରିବେ। ତାଙ୍କୁ କିଏ ଅଟକାଇଛି ଟିକସ ହ୍ରାସ କରିବା ପାଇଁ ବୋଲି ସେ ପଚାରିଛନ୍ତି। ପୂର୍ବରୁ ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଥିଲା ରାଜ୍ୟ କଂଗ୍ରେସ। ଏହା ବିଜେଡିକୁ ସୁହାଉଥିଲା। ଆଜି ଦଳ ତା’ର ରଣକୌଶଳ ପରିବର୍ତନ କରି କେବଳ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆକ୍ରମଣ କରିଛି। ଏହି ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିଥିବା ବିଜେଡି ପାଇଁ କଂଗ୍ରେସର ଏଭଳି ରଣକୌଶଳ ଚିନ୍ତାର କାରଣ ପାଲଟିଛି। ତେବେ ଏହା ବିଜେପିକୁ ଯେ ସୁହାଇବ ସେଥିରେ ସନ୍ଦେହ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର