ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଲେ ନିରଞ୍ଜନ

କଂଗ୍ରେସରେ ‘ଓ୍ଵାନ୍‌ ମ୍ୟାନ୍‌, ଓ୍ଵାନ୍‌ ପୋଷ୍ଟ’ ପ୍ରସଙ୍ଗ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ‘ଓ୍ଵାନ୍‌ ମ୍ୟାନ୍‌, ଓ୍ଵାନ୍‌ ପୋଷ୍ଟ’ ବିବାଦ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏ ନେଇ ଜଣକ ପରେ ଜଣେ ନେତା ମୁହଁ ଖୋଲି ବିବାଦୀୟ ମନ୍ତବ୍ୟ ଦେଉଥିବାରୁ କଂଗ୍ରେସ କର୍ମକର୍ତାମାନଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି। ତେବେ ଆଜି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସରେ ‘ଓ୍ଵାନ୍‌ ମ୍ୟାନ୍‌, ଓ୍ଵାନ୍‌ ପୋଷ୍ଟ’ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଗତକାଲି ପ୍ରଚାର କମିଟି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଦେଇଥିବା ମତାମତକୁ ସମର୍ଥନ କରିଛନ୍ତି। ଏ ନେଇ ଟ୍ଵିଟ୍‌ କରି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତିି ଯେ ଜଣେ ବ୍ୟକ୍ତି ଉଭୟ ଦଳୀୟ ପଦବି ଓ ନିର୍ବାଚିତ ପ୍ରତିନିଧି ଭାବେ ରହିପାରିବେନି। ତାଙ୍କୁ ଗୋଟିଏ ପଦବିରେ ରହି ଅନ୍ୟଟି ଛାଡ଼ିବାକୁ ହେବ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଯଦି ଦଳୀୟ ପଦବିରେ ଥିବା ଯେ କୌଣସି ବ୍ୟକ୍ତିଙ୍କର ନିର୍ବାଚନରେ ବିଜୟ ସମ୍ଭାବନା ଥିଲେ, ତାଙ୍କୁ ଲଢ଼ିବା ପାଇଁ ସୁଯୋଗ ମିଳିବ। ଏ କ୍ଷେତ୍ରରେ ବିଜୟ ସମ୍ଭାବନା ହିଁ ହେବ ମାପକାଠି। ‘ଓ୍ଵାନ୍‌ ମ୍ୟାନ୍‌, ଓ୍ଵାନ୍‌ ପୋଷ୍ଟ’ ନେଇ କୌଣସି ବିବାଦ ନାହିଁ। ଏ ନେଇ ସେ କୌଣସି ମନ୍ତବ୍ୟ ଦେଇନାହାନ୍ତିି। ଏଭଳି କ୍ଷେତ୍ରରେ ପିସିସିର ୩ଜଣ କାର୍ଯ୍ୟକାରୀ ସଭାପତି କ’ଣ ନିର୍ବାଚନରେ ଲଢ଼ିବେନି ବୋଲି ସେ ପାଲଟା ପ୍ରଶ୍ନ ପଚାରିଥିଲେ। ସେ ନିଜେ ନିର୍ବାଚନରେ ଛିଡ଼ା ହେବେ ବୋଲି ଏହି ପ୍ରସଙ୍ଗରେ କହିଥିଲେ। ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଟିକେଟ୍‌ ଦିଆଯିବ ବୋଲି ପିସିସି ସଭାପତି ସ୍ପଷ୍ଟ କରି ଦେଇଛନ୍ତି। ଆଗାମୀ ୨୦୧୯ ନିର୍ବାଚନ ପାଇଁ ଟିକେଟ୍‌ ବଣ୍ଟନ କ୍ଷେତ୍ରରେ ଯୁବକ, ମହିଳା ଓ ନୂଆ ଚେହେରାକୁ ଗୁରୁତ୍ୱ ଦିଆଯିବ। ଗତ ୯ ତାରିଖରେ ରାଜ୍ୟର ୩୩ଟି ସାଂଗଠାନିକ ଜିଲ୍ଲାରେ ୨୨ଜଣ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ‘ଓ୍ଵାନ୍‌ ମ୍ୟାନ୍‌, ଓ୍ଵାନ୍‌ ପୋଷ୍ଟ’ ବିବାଦ ମୁଣ୍ଡ ଟେକିଥିଲା। ଏହି ବିବାଦ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଖୋର୍ଧା ଜିଲ୍ଲା କଂଗ୍ରେସ କମିଟିର ନୂଆ ସଭାପତି ସୁରେଶ ରାଉତରାୟ। ଏଭଳି ନିଷ୍ପତ୍ତିକୁ ସେ ମାନିବେ ନାହିଁ। ଯଦି ନିର୍ବାଚନରେ ଲଢ଼ିବେନି, ତେବେ ଏତେ ଦିନ ଧରି ନିର୍ବାଚନମଣ୍ଡଳୀର କାମ କରିବାର ମୂଲ୍ୟ କ’ଣ ବୋଲି ସେ ପଚାରିଥିଲେ। ତେବେ ପିସିସି ସଭାପତିଙ୍କର ସ୍ପଷ୍ଟୋକ୍ତି ପରେ ସେହି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣି ହୋଇଯାଇଛି।

ସମ୍ବନ୍ଧିତ ଖବର