‘ନିର୍ଭୟ’ ପରୀକ୍ଷା ସଫଳ

ବାଲେଶ୍ୱର/ଚାନ୍ଦିପୁର : ଭାରତୀୟ ପ୍ରତିରକ୍ଷା ଗବେଷଣା ବିଜ୍ଞାନୀଙ୍କୁ ଆଜି ବଡ଼ଧରଣର ସଫଳତା ମିଳିଛି। କ୍ରମାଗତ ତିନି ତିନିଥର ବିଫଳତା ପରେ ଆଜି ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିଶାଇଲ୍‌ ‘ନିର୍ଭୟ’ର ୫ମ ପରୀକ୍ଷା ସଫଳ ହୋଇଛି। ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ଓ ଡିଆରଡିଓର ମିଳିତ ସହଯୋଗରେ ଏହି ପରୀକ୍ଷଣ ହୋଇଥିଲା। ଚାନ୍ଦିପୁର ଆଇଟିଆରର ୩ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ପୂର୍ବାହ୍ନ ୧୧:୨୧ରେ ଏହି ପରୀକ୍ଷଣ କରାଯାଇଥିଲା।

ଆଇଟିଆର ସୂତ୍ର ଅନୁଯାୟୀ ନିର୍ଭୟ କ୍ଷେପଣାସ୍ତ୍ର ଯେକୌଣସି ପାଗରେ ମଧ୍ୟ ଉଡ଼ାଣ କରିପାରିବାର କ୍ଷମତା ରଖିଛି। ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ଏହି କ୍ଷେପଣାସ୍ତ୍ରଟି ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ ପରେ ଏକ ଉଡ଼ାଜାହାଜ ଭଳି ଉଡ଼ିପାରିବ। ଏହାକୁ କଣ୍ଟ୍ରୋଲ ରୁମ୍‌ରୁ ନିୟନ୍ତ୍ରଣ କରାଯାଇ ଏକାଧିକ ଲକ୍ଷ୍ୟସ୍ଥଳରେ ଆକ୍ରମଣ କରାଯାଇପାରିବ। ଏଥିରେ ଏକ ସଙ୍ଗରେ ୨୪ ପ୍ରକାର ଯୁଦ୍ଧାସ୍ତ୍ର ବ୍ୟବହାର ହୋଇ ପାରିବ। ଏହାର ପ୍ରଥମ ପରୀକ୍ଷଣ ୨୦୧୩ ମାର୍ଚ୍ଚ ୧୨ତାରିଖରେ ହୋଇଥିଲା। ୨୦୧୪ ଅକ୍ଟୋବର ୧୭ରେ ଏହାର ପରୀକ୍ଷଣ ସଫଳ ହୋଇଥିଲା। ଏହାପରେ ୨୦୧୫ ଅକ୍ଟୋବର ୧୬ ପରୀକ୍ଷଣରେ କ୍ଷେପଣାସ୍ତ୍ରଟି ୧୨୮ କିମି ଯିବାପରେ ପଥଚ୍ୟୁତ ହୋଇଥିଲା। ପୁଣିଥରେ ୨୦୧୬ ଡିସେମ୍ବର ୨୧ରେ ପରୀକ୍ଷା ସମୟରେ କ୍ଷେପଣାସ୍ତ୍ରଟି ୭ଶହ ସେକେଣ୍ଡ ଭିତରେ ବନ୍ଦହୋଇ ଯାଇଥିଲା।

ଆଜିର ସଫଳତା ପ୍ରତିରକ୍ଷା ବିଜ୍ଞାନୀଙ୍କୁ ଖାଲି ଆଶ୍ୱସ୍ତ କରିନି, ବେଶ୍‌ ଉତ୍ସାହିତ ମଧ୍ୟ କରିଛି। ଏହାର ଲକ୍ଷ୍ୟ ଭେଦ କ୍ଷମତା ୧ହଜାରରୁ ୧୫ଶହ କିମି ରହିଛି। ନିର୍ଭୟ କ୍ଷେପଣାସ୍ତ୍ରର ଲମ୍ବ ୬ମିଟର, ମୋଟେଇ ୦.୫୨ମିଟର ଏବଂ ଓଜନ ୧୫ଶହ କିଗ୍ରା ବୋଲି ଜଣାପଡ଼ିଛି। ଶବ୍ଦଠାରୁ ୦.୮ରୁ ୦.୯ ମାଚ୍‌ ବେଗରେ ଗତି କରିପାରିବ ବୋଲି ଡିଆରଡିଓର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଏହାସହ ଏଥିରେ ଅତ୍ୟାଧୁନିକ କୌଶଳର ମୋଟର ବୁଷ୍ଟର ବ୍ୟବହାର କରାଯାଇଛି। ଟର୍ବୋ ଫ୍ୟାନ୍‌ ଓ ଟର୍ବୋ ଜେଟ ଇଞ୍ଜିନ୍‌ ବ୍ୟବହାର କରାଯାଇ ଏହା ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ଦ୍ୱାରା ପରିଚାଳିତ ହେଉଛି। କ୍ଷେପଣାସ୍ତ୍ରଟି ଉତକ୍ଷେପଣ ପୂର୍ବରୁ ଉପଯୁକ୍ତ ସ୍ଥାନରେ ଅବସ୍ଥାପିତ ହେଲାପରେ ଇଞ୍ଜିନ ଆପେଆପେ ଅନ୍‌ ହେବା ସହିତ ବୁଷ୍ଟର ମୋଟର ଠାରୁ ଅଲଗା ହୋଇଥାଏ। ଗତିଶୀଳ ହେବାପରେ ଏହାକୁ ଅତି ସହଜରେ ରାଡାର ଓ ଆଇଏଏଫ ଏୟାରକ୍ରାଫ୍ଟ ଦ୍ୱାରା ଟ୍ରାକ୍‌ କରାଯାଇ ପାରିବ।

ସମ୍ବନ୍ଧିତ ଖବର