ଭୁବନେଶ୍ୱର : ମଦମୁକ୍ତ ହେବ ଓଡ଼ିଶା। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଏହି ଡାକରା ଦିଆଯାଇଥିଲେ ମଧ୍ୟ ସରକାର ଏ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି। କୃଷକମାନଙ୍କ ଦାବି ସମ୍ପର୍କରେ ସମସ୍ତ ରାଜନୈତିକ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ରାଜନୈତିକ ଉଦ୍ଦେଶ୍ୟରେ ଶତ ମୁଖ ହୋଇ ନିଶା ନିବାରଣକୁ ଅଣଦେଖା କରିଛନ୍ତି। ବିଭିନ୍ନ ସମୟରେ ବିରୋଧ ଉଗ୍ରରୂପ ନେଉଥିଲେ ମଧ୍ୟ ସରକାର ନିଦା ବିଷ୍ଣୁ ସାଜିଛନ୍ତି। ଏଣୁ ଆସନ୍ତା ନିର୍ବାଚନ ପୂର୍ବରୁ ୧୯୫୬ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ ପୂର୍ଣ୍ଣ କାର୍ଯ୍ୟକାରିତା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଆସନ୍ତାକାଲି କଟକ ରେଳ ଷ୍ଟେସନରୁ ଏକ ଦଳ ଓ ୬ ତାରିଖ ଦିନ ଡେଲାଙ୍ଗ ଗାନ୍ଧୀପୀଠ ବେରବୋଇରୁ ଏକ ଦଳ ପଦଯାତ୍ରାରେ ବାହାରି ୭ ତାରିଖ ଦିନ ଲୋୟର ପିଏମଜିରେ ଏକାଠି ହେବେ ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅଭିଯାନର ସଭାପତି ପଦ୍ମଚରଣ ନାୟକ ଓ ସମ୍ପାଦକ ରମାକାନ୍ତ ମଣ୍ଡଳ। ‘ଓଡ଼ିଶାରୁ ମଦ ହଟିବ ନ ହେଲେ ନବୀନ ଗାଦିରୁ ହଟିବେ’ ଆହ୍ବାନ ନେଇ ଅଭିଯାନ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିବ। ତେବେ ଏହା ପ୍ରଥମ ନୁହେଁ, ଗତବର୍ଷ ଜାନୁଆରି ୩୦ ତାରିଖରେ ଭୁବନେଶ୍ବର ଓ ଚଳିତ ଜାନୁଆରି ୩୦ ତାରିଖରେ ଦିଲ୍ଲୀ ଠାରେ ଅଭିଯାନର ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୨ଟି ରାଜ୍ୟରୁ ଏକ ହଜାର କର୍ମୀ ଯୋଗଦେଇ ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ଶପଥ ନେଇଛନ୍ତି। ଏ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ପ୍ରତିନିଧିଦଳ ଭେଟି ସ୍ମାରକପତ୍ର ପ୍ରଦାନ କରିଛି। ଚଳିତବର୍ଷ ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳିତ ହେଉଥିବାରୁ ସାରା ଭାରତ ମଦମୁକ୍ତ ହେଲେ ଜାତିର ପିତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଅନ୍ୟମାନଙ୍କ ମଧ୍ୟରେ ଅଭିଯାନର ଅଦ୍ବୈତ ପାତ୍ର, ପ୍ରିୟନାଥ ଆଚାର୍ଯ୍ୟ, ରମାକାନ୍ତ ମଣ୍ଡଳ, ବିଜୟ କୁମାର ସ୍ବାଇଁ, ଅପର୍ଣ୍ଣା ନାୟକ, ମଳୟ ତ୍ରିପାଠୀ, ଇନ୍ଦୁମତି ସାହୁ, ବାଣୀ ଦାସ, ଖଗେଶ୍ବର ବଳ, ଅର୍ଜୁନ ସାମନ୍ତରାୟ, କାହ୍ନୁଚରଣ ବେହୁରା, କନକ ମଞ୍ଜରୀ ଭଞ୍ଜ ଓ ମଦ ବିରୋଧୀ ନେତ୍ରୀ ସୁମନୀ ଝୋଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ଠାରୁ ନିଶା ନିବାରଣ ପଦଯାତ୍ରା
/sambad/media/post_attachments/wp-content/uploads/2019/02/nisa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)