ସମୁଦ୍ରରେ ବୁଡ଼ି ‘ନାଇଜର୍‌’ ଛାତ୍ର ମୃତ: ସହପାଠୀ ନିଖୋଜ

ମଉଜ ହେଲା କାଳ

ପୁରୀ : ଜଟଣୀସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ଜଣେ ଛାତ୍ର ଆଜି ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି। ତାଙ୍କର ଅନ୍ୟ ଜଣେ ସହପାଠୀ ନିଖୋଜ ଅଛନ୍ତି। ଅଗ୍ନିଶମ ସଂସ୍ଥାର ଆଗ୍ନିକମାନେ ସମୁଦ୍ରରେ ଖୋଜାଖୋଜି ଚଳାଇଥିଲେ ହେଁ ରାତିସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳି ପାରିନାହିଁ। ‘ନାଇଜର’ର ଏହି ଦୁଇ ଛାତ୍ର ସେମାନଙ୍କର ଅନ୍ୟ ୪ଜଣ ସହପାଠୀ ଓ ଦୁଇଜଣ ସହପାଠିନୀଙ୍କ ସହ ଆଜି ଅପରାହ୍ଣରେ ପୁରୀ ବୁଲି ଆସି ବେଲେଶ୍ୱର ମନ୍ଦିର ପଛପଟ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ଖବର ନେବାରେ ଜଣାପଡ଼ିଛି ଯେ ଜଟଣୀସ୍ଥିତ ‘ନାଇଜର’ ଆଜି (ଶନିବାର) ଛୁଟି ଥିବାରୁ ୭ ଜଣ ଛାତ୍ରଛାତ୍ରୀ ଏବଂ ଆଇଆଇଟିର ଜଣେ ଛାତ୍ର ମିଶି ଦୁଇଟି ଓଲା କାର୍‌ ଭଡ଼ାରେ ଆଣି ପୁରୀ ବୁଲିବାକୁ ଆସିଥିଲେ। ଛାତ୍ରୀ ଦୁଇ ଜଣ ପଞ୍ଚମ ବର୍ଷରେ ଅଧ୍ୟୟନ କରୁଥିିବା ବେଳେ ଅନ୍ୟ ୫ ଜଣ ପ୍ରଥମ ବର୍ଷର ଛାତ୍ର ଅଟନ୍ତି। ସେମାନେ ପୁରୀ ବୁଲାବୁଲି କରିବା ପରେ ବେଲେଶ୍ୱରକୁ ଯାଇଥିଲେ। ସେଠାରେ ସମୁଦ୍ରରେ ସମସ୍ତେ ଗାଧୋଉଥିଲେ। ଏହି ସମୟରେ ସମୁଦ୍ର ସ୍ରୋତରେ ଦୁଇ ଜଣ ଛାତ୍ର ଭାସି ଯାଇଥିଲେ। ଏହା ଜଣାପଡ଼ିବା ପରେ ଅନ୍ୟ ୬ ଜଣ ଛାତ୍ରଛାତ୍ରୀ ବିକଳରେ ଚିତ୍କାର କରିଥିଲେ। ଖବର ପାଇ ଚନ୍ଦ୍ରଭାଗା ମେରାଇନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବାରେ ପ୍ରାଞ୍ଜଲ ବେଲଓ୍ଵାର(୧୮)ଙ୍କ ଶବ ମିଳିଥିଲା। ସେ ଉତ୍ତରାଖଣ୍ଡ ନୈନିତାଲ ଅଞ୍ଚଳର ବୋଲି ଜଣାପଡ଼ିଛି। ଶବକୁ ପୁଲିସ ସଙ୍ଗେ ସଙ୍ଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ପୁଲିସ ରୁଜୁ କରି ପୁଲିସ ତଦନ୍ତ କରୁଛି।

ଅନ୍ୟପଟେ ସମୁଦ୍ରରେ ଏବେ ମଧ୍ୟ ହାଇଦ୍ରାବାଦର ଯତୀନ ସାଈ ବାଥୋଲା(୧୮) ନିଖୋଜ ଅଛନ୍ତି। ତାଙ୍କୁ ଚନ୍ଦ୍ରଭାଗା ମେରାଇନ ଥାନା ପୁଲିସ ଅଗ୍ନିଶମ ସଂସ୍ଥାର ଆଗ୍ନିକମାନଙ୍କ ସହ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲା। ସନ୍ଧ୍ୟା ହୋଇଯିବାରୁ ଖୋଜାଖୋଜି ବନ୍ଦ ରଖାଯାଇଛି। ଆସନ୍ତାକାଲି ସକାଳୁ ପୁଣି ଖୋଜାଖୋଜି ଚାଲିବ ବୋଲି ଜଣାପଡ଼ିଛି। ଖବର ପାଇ ‘ନାଇଜର’ରୁ ରେଜିଷ୍ଟ୍ରାର ଅଭୟ ନାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଛାତ୍ରଛାତ୍ରୀମାନେ ନାଇଜର କର୍ତ୍ତୃର୍ପକ୍ଷଙ୍କ ବିନାନୁମତିରେ ଲୁଚି ପୁରୀ ଆସିଥିବା ସେ କହିଛନ୍ତି। ପ୍ରାଞ୍ଜଲ ଓ ଯତୀନସାଈଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି। ସେମାନେ ଆସନ୍ତାକାଲି ପହଂଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର