ନିତି ଆୟୋଗ ବୈଠକ : ସ୍ବତନ୍ତ୍ର ପାହ୍ୟା ମାନଦଣ୍ଡ ବଦଳାଇବାକୁ ନବୀନଙ୍କ ଦାବି, ‘ପ୍ରାକୃତିକ ବିପର୍ଯ୍ୟୟ’କୁ ଯୋଡ଼

ଓଡ଼ିଶାକୁ ଫୋକସ୍ ରାଜ୍ୟର ମାନ୍ୟତା ଦାବି ଦୋହରାଇଲେ, ମହିଳା ସଶକ୍ତିକରଣ ଓ କୃଷିକ୍ଷେତ୍ରକୁ ଗୁରୁତ୍ବ ଦେବାକୁ ପରାମର୍ଶ

ଭୁବନେଶ୍ବର : ଦୀର୍ଘ ବର୍ଷ ହେଲା ଓଡ଼ିଶା ଦାବି କରୁଥିଲା ‘ସ୍ବତନ୍ତ୍ର ପାହ୍ୟା’ ମାନ୍ୟତା। କିନ୍ତୁ କେନ୍ଦ୍ର ସରକାରଙ୍କ ଯୁକ୍ତି ଥିଲା, ସ୍ବତନ୍ତ୍ର ପାହ୍ୟା ମାନ୍ୟତା ପାଇଁ ଥିବା ମାନଦଣ୍ଡରେ ଓଡ଼ିଶା ଆସୁ ନାହିଁ। ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ‘ଯୋଗ୍ୟତା’ ତାଲିକାକୁ ବଦଳାଇବାକୁ ଦାବି କରିଛନ୍ତି। ସ୍ବତନ୍ତ୍ର ପାହ୍ୟା ମାନଦଣ୍ଡରେ ‘ପ୍ରାକୃତିକ ବିପର୍ଯ୍ୟୟ’କୁ ‌େଯାଡ଼ିବା ଉପରେ ଜୋର ଦେଇଛନ୍ତି। କାରଣ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଓଡ଼ିଶା ସାଂଘାତିକ କ୍ଷତି ସହୁଛି। ଆଜି ନୂଆଦିଲ୍ଲୀ‌େର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିତି ଆୟୋଗର ପଞ୍ଚଦଶ ସାଧାରଣ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଏମିତି ଦାବି କରିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟକୁ ଏକ ମାନଦଣ୍ଡ ଭାବେ ରଖାଗଲେ, ଓଡ଼ିଶା ସ୍ବତନ୍ତ୍ର ପାହ୍ୟା ମାନ୍ୟତା ପାଇବାରେ କୌଣସି ସମସ୍ୟା ହେବ ନାହିଁ। ମାନଦଣ୍ଡ ତାଲିକାକୁ ସଂଶୋଧନ କଲା ଯାଏ ବିକଳ୍ପ ବାଟ ବି ରଖିଛନ୍ତି ନବୀନ। ପାଞ୍ଚ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କରିଥିବା ଦାବିକୁ ନିତି ଆୟୋଗ ବୈଠକରେ ଦୋହରାଇଛନ୍ତି। ସେ କହିଛନ୍ତି, ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ ସ୍ବରୂପ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବା ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ଫୋକସ୍ ରାଜ୍ୟ ଭାବେ ଘୋଷଣା କରାଯାଉ ଏବଂ ନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ନିମନ୍ତେ ଥିବା ସମସ୍ତ ସୁବିଧା ସୁଯୋଗ ସେହି ରାଜ୍ୟକୁ ପ୍ରଦାନ କରାଯାଉ।

ବୈଠକରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଗତ ଦଶନ୍ଧିରେ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାରେ ଦାରିଦ୍ର୍ୟ ହାର ସର୍ବାଧିକ କମିଛି। ଏକଦା ଓଡ଼ିଶାରେ ଖାଦ୍ୟାଭାବ ହେଉଥିଲା ବେଳେ ଏବେ ଧାନ ଉତ୍ପାଦନରେ ବଳକା ରାଜ୍ୟ ପାଲଟିଛି। ବିପର୍ଯ୍ୟୟ ସମୟରେ ଏକଦା‌ ଅସହାୟ ହୋଇପଡ଼ୁଥିବା‌ ଏହି ରାଜ୍ୟ ଏବେ ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ମାନର କାର୍ଯ୍ୟ କରିପାରୁଛି।
ରାଜ୍ୟ ତଥା ଦେଶର ବିକାଶ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତି ସ୍ତରରେ ଆମକୁ ମହିଳା ସଶକ୍ତିକରଣ କରିବାକୁ ପଡ଼ିବ। ଯେହେତୁ ବାରମ୍ବାର ନିର୍ବାଚନ ଦେଶରେ ବିକାଶର ପରିବେଶକୁ ପ୍ରଭାବିତ କରୁଛି, ତେଣୁ ଏକ ସମୟରେ ନିର୍ବାଚନ ହେବା ଭଲ। କୃଷି ‌କ୍ଷେତ୍ରକୁ ସବୁବେଳେ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଶୁଷ୍କ ଅଞ୍ଚଳରେ ଦ୍ବିତୀୟ ସବୁଜ ବିପ୍ଳବ ପାଇଁ ଜଳସମ୍ପଦର ସୁବିନିଯୋଗର ଆବଶ୍ୟକତା ରହିଛି। ପରିବେଶ ଓ ଅର୍ଥନୀତିର ବିକାଶ ଏକା ସ‌ଙ୍ଗରେ ଚାଲିବା ଉଚିତ।

ମୁଖ୍ୟମନ୍ତ୍ରୀ ଆହୁରି ଦାବି କରିଥିଲେ ଯେ ପିଏମ୍-କିଷାନ୍ ଯୋଜନାରେ ଭୂମିହୀନ ଚାଷୀ ପରିବାର ଓ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଉ। ୨୦୧୯ ଏପ୍ରିଲ୍ ୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ନ ଥିବା ଜଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସାମିଲ କରାଯାଉ। ଜଳଛାୟା, କମାଣ୍ଡ୍ ଏରିଆ ବିକାଶ ଓ ପାନୀୟ ଜଳ ‌ପାଇଁ କେନ୍ଦ୍ର ସରକାର ଅଧିକ ସମ୍ବଳ ଆବଣ୍ଟନ କରନ୍ତୁ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୩ରେ ୧୦୦ କିମ୍ବା କମ୍ ଜନସଂଖ୍ୟା ଥିବା ବସତିକୁ ଅନ୍ତର୍ଭୁକ୍ତ କରାଯାଉ। କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର ରେଳ ସଂଯୋଗ ପାଇଁ ଥିବା ପ୍ରକଳ୍ପକୁ ତ୍ବରାନ୍ବିତ କରାଯାଉ। ବ୍ୟାଙ୍କ ସେବାରୁ ବଞ୍ଚିତ ଥିବା ଗ୍ରାମପଞ୍ଚାୟଗୁଡ଼ିକୁ ବ୍ୟାଙ୍କ ସେବା ସମ୍ପ୍ରସାରିତ କରାଯିବା ଉଚିତ। ଏହା ବ୍ୟତୀତ କୋଇଲା ବିକ୍ରୟ ମୂଲ୍ୟର ରୟାଲଟି ହାର ୧୪ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ।

ସମ୍ବନ୍ଧିତ ଖବର