ତିଥିରେ ବ୍ୟତିକ୍ରମ : ଏବର୍ଷ ଏକାଦଶୀରେ ବାହୁଡ଼ା, ଦ୍ବାଦଶୀରେ ସୁନାବେଶ

ପୁରୀ : ବାହୁଡ଼ା ଦଶମୀରେ ଏଥର ବାହୁଡ଼ିବେ ନାହିଁ ଶ୍ରୀବିଗ୍ରହ। ଜନ୍ମବେଦୀରେ ରହିବେ। ହରିଶୟନ ଏକାଦଶୀ ଦିନ ହେବ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଗରୁଡ଼ ଶୟନ ଦ୍ବାଦଶୀ ଦିନ ହେବ ଶ୍ରୀବିଗ୍ରହଙ୍କ ସୁନାବେଶ। ଏଥର ଏପରି ତିଥିର ବ୍ୟତିକ୍ରମ ଦେଖା ଦେଇଛି। ଏହି ତିଥି ଅନୁଯାୟୀ ମହାପ୍ରଭୁଙ୍କ ବାହୁଡ଼ା ଏବଂ ସୁନାବେଶକୁ ସ୍ବୀକୃତି ଦେଇଛି ମୁକ୍ତିମଣ୍ଡପ। ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀବିଗ୍ରହଙ୍କ ପର୍ବପର୍ବାଣୀରେ ଦିନ ଗଣନା ଅନୁଯାୟୀ ହୋଇଥାଏ। ତାହାକୁ ଭିତ୍ତି କରି ଶ୍ରୀମନ୍ଦିରର ରୀତିନୀତି ଧାର୍ଯ୍ୟ କରାଯାଏ। ପରମ୍ପରା ଅନୁଯାୟୀ, ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥାନ୍ତି। ସେଠାରେ ୮ଦିନ ରହିବା ପରେ ୯ମ ଦିନ ଅର୍ଥାତ୍ ଦଶମୀ ତିଥିରେ ବାହୁଡ଼ି ଆସନ୍ତି। ବାହୁଡ଼ିବା ପରଦିନ ହରିଶୟନ ଏକାଦଶୀରେ ହୁଏ ସୁନାବେଶ।

ହେଲେ ଏଥର ତିଥିରେ ହୋଇଛି ବ୍ୟତିକ୍ରମ। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚ ଯାତ୍ରାର ନବମ ଦିନ ଦଶମୀ ତିଥିରେ ପଡ଼ୁନାହିଁ। ହରିଶୟନ ଏକାଦଶୀ ଦିନ ଠାକୁରଙ୍କ ବାହୁଡ଼ା ଯାତ୍ରା ହେବ। ଗତ କିଛିବର୍ଷ ଧରି ହରିଶୟନ ଏକାଦଶୀରେ ସୁନାବେଶ ହେଉଥିବା ବେଳେ ଏଥର ସେହିଦିନ ଠାକୁରଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରାର ପରଦିନ ଅର୍ଥାତ୍ ଗରୁଡ଼ ଶୟନ ଏକାଦଶୀରେ ଠାକୁରଙ୍କ ସୁନା‌ବେଶ ହେବ। ଏହାକୁ ଅନୁମୋଦନ କରିଛି ଶ୍ରୀମନ୍ଦିର ମୁକ୍ତିମଣ୍ଡପ। ମୁକ୍ତିମଣ୍ଡପ ଦ୍ବାରା ଅନୁମୋଦିତ ରାଧାରମଣ ପ୍ରେସ ପଞ୍ଜିକାରେ ଏହା ଉଲ୍ଲେଖ କରାଯାଇଛି। କେବଳ ଏ ବର୍ଷ ନୁହେଁ, ପୂର୍ବରୁ ୧୯୭୬ ମସିହାରେ ମଧ୍ୟ ଏକାଦଶୀ ଦିନ ଠାକୁରଙ୍କ ବାହୁଡ଼ା ଯାତ୍ରା ହୋଇଥିଲା। ବାହୁଡ଼ା ଯାତ୍ରା ଦିନ ସକାଳ ୫ଟା ୪୦ରୁ ପରଦିନ ରାତି ୩ଟା ୨୧ ପର୍ଯ୍ୟନ୍ତ ଥିଲା ଏକାଦଶୀ ତିଥି। ଏହା ପରଦିନ ହୋଇଥିଲା ସୁନାବେଶ। ସେହିପରି ୧୯୪୯ ମସିହାରେ ମଧ୍ୟ ଦଶମୀ ଦିନ ନବମ ଦିନ ହେଉନଥିବାରୁ ବାହୁଡ଼ା ହୋଇ ନଥିଲା। ପରଦିନ ସକାଳୁ ସଂଧ୍ୟା ୬ଟା ୫୫ ପର୍ଯ୍ୟନ୍ତ ଏକାଦଶୀ ତିଥି ଥିବା ବେଳେ ସେହିଦିନ ଠାକୁର ବାହୁଡ଼ିଥିଲେ। ପରଦିନ ହୋଇଥିଲା ସୁନାବେଶ। ଅର୍ଥାତ୍ ଦ୍ବାଦଶୀ ତିଥିରେ ହୋଇଥିଲା। ଏ ସମ୍ପର୍କରେ ମୁକ୍ତିମଣ୍ଡପ ସଦସ୍ୟ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ପୂର୍ବତନ ସଦସ୍ୟ ଜଗନ୍ନାଥ ରଥ କୁହନ୍ତି, ଠାକୁରଙ୍କ ଯାନିଯାତ୍ରା ଲୋକଙ୍କୁ ଦେଖି କରାଯାଇଛି। ଏହାବ୍ୟତୀତ ସୁନାବେଶ ଶାସ୍ତ୍ରୀୟ ପରମ୍ପରା ନୁହେଁ। ଏହା ପର୍ଯ୍ୟାୟ କ୍ରମେ ରଥଯାତ୍ରା ସହ ଯୋଡ଼ି ହୋଇଛି। ତେଣୁ ଏହା ନିର୍ଦ୍ଦିଷ୍ଟ ତିଥିରେ ହେବା ଧାର୍ଯ୍ୟ ନୁହେଁ। ସେହିପରି ଗବେଷକ ଡ. ନରେଶ ଦାଶ କୁହନ୍ତି, ବାହୁଡ଼ା ଠାକୁରଙ୍କ ଯାତ୍ରା। ଏହା ରଥଯାତ୍ରା ଆରମ୍ଭରୁ ରହିଛି। ଯାହା ଶ୍ରୀଗୁଣ୍ଡିଚା ଯାତ୍ରାର ୯ମ ଦିନରେ ହୋଇଥାଏ। ଏହା ଧାର୍ଯ୍ୟ। ମାତ୍ର ସୁନାବେଶ ରଥଯାତ୍ରା ସଂସ୍କୃତି ସହ ପରେ ଯୋଡ଼ାଯାଇଛି। ତେଣୁ ଏଥିପାଇଁ ନିର୍ଦ୍ଦିଷ୍ଟ ତିଥି ରହିବାର ଶାସ୍ତ୍ରୀୟ ମତ ନାହିଁ। ଜୋତିର୍ବିଦ୍ୟା ବାଚସ୍ପତି ଗଣନାକାର ବୈକୁଣ୍ଠ ନାୟକ କୁହନ୍ତି, ସୁନାବେଶର ତିଥି ଧାର୍ଯ୍ୟ ନୁହେଁ। ମାତ୍ର ବାହୁଡ଼ା ଧାର୍ଯ୍ୟ। ନବମ ଦିନରେ ଠକୁର ବାହୁଡ଼ିବାର ବିଧି ରହିଛି। ଏଥର ଏକାଦଶୀରେ ବାହୁଡ଼ା ପଡ଼ିବା ନୂଆ ନୁହେଁ। ପୂର୍ବରୁ ଅନେକ ସମୟରେ ଏପରି ତିଥି ବ୍ୟତିକ୍ରମ ହୋଇଛି।

ସମ୍ବନ୍ଧିତ ଖବର