ଶ୍ରୀମନ୍ଦିର ପାଖକୁ ଯିବନି ଗାଡ଼ି

ପୁରୀ : ଶ୍ରୀମନ୍ଦିର ଚାରିପଟେ ବଢୁଥିବା ଟ୍ରାଫିକ ସମସ୍ୟା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଏକ ବଡ ପଦକ୍ଷେପ ହାତକୁ ନେଇଛି। ସିଂହଦ୍ବାର ପର୍ଯ୍ୟନ୍ତ ଭକ୍ତଙ୍କ ସ୍ବଚ୍ଛନ୍ଦ ଚଳପ୍ରଚଳ ପାଇଁ ଆଜିଠାରୁ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ବଡଦାଣ୍ଡର ଗ୍ରାଣ୍ଡ ସେଣ୍ଟର ନିକଟରେ ବ୍ୟାରିକେଡ୍ ପକାଯାଇଛି। ଏଣୁ ଏଣିକି ଆଉ କୌଣସି ଗାଡ଼ି ସିଂହଦ୍ବାର ପାଖକୁ ଯାଇପାରିବନି। ବାଇକ୍‌ ଯିବା ପାଇଁ ଏକ ନିର୍ଦ୍ଦିଷ୍ଟ ଜାଗାରେ ବ୍ୟାରିକେଡ୍‌ କରାଯାଇଛି। ଶ୍ରୀମନ୍ଦିର ଓ ଏହାର ଚାରିପାଖକୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଆଜି ସକାଳ ୬ଟାରୁ ଲାଗୁ ହୋଇଛି ଏହି କଟକଣା।

ବଡ଼ଦାଣ୍ଡରେ ଦୋଳବେଦୀ କୋଣ ରାସ୍ତାରୁ ଗ୍ରାଣ୍ଡ ସେଣ୍ଟର ପର୍ଯ୍ୟନ୍ତ ରାସ୍ତାରେ ବ୍ୟାରିକେଡ୍‌ ପକାଯାଇଛି। କଟକଣା ମୁତାବକ, ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଏଇଠାରୁ ଚାଲିଚାଲି ଯିବାକୁ ହେବ। ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗଙ୍କ ପାଇଁ ଏଠାରେ ବ୍ୟାଟେରି ଚାଳିତ ଗାଡ଼ିର ବ୍ୟବସ୍ଥା କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ମୁକ୍ତ ଜୋନ୍‌ରେ ଅର୍ଥାତ ସିଂହଦ୍ବାର ପର୍ଯ୍ୟନ୍ତ ଆଉ କେହି ଉଠା ଦୋକାନୀ ବସି ପାରିବେନାହିଁ। କୌଣସି ଭିକାରି ମଧ୍ୟ ଏଠାରେ ଭିକ୍ଷାବୃତ୍ତି କରିପାରିବେ ନାହିଁ। ମୁକ୍ତ ଜୋନ୍‌ ଅଞ୍ଚଳର ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟକରଣ ପାଇଁ ଫୁଲ କୁଣ୍ଡ ରଖାଯିବ। ସେହିଭଳି ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ସ୍ଥାୟୀ ଦୋକାନୀମାନେ ମଧ୍ୟ ଦୋକାନ ସମ୍ମୁଖରେ କୌଣସି ଜରି ପାଲ ଟାଣି ପାରିବେ ନାହିଁ। ଏଭଳି କଟକଣାକୁ ନେଇ ପୁରୀରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି। ବାଇକ୍ ଯିବାକୁ ‌ଯେତିକି ଜାଗା ଦିଆଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କିଛି ମତ ରଖିଥିବା ବେଳେ ଆଉ କିଛି ବ୍ୟବସାୟୀଙ୍କୁ ଥଇଥାନ ନକରି ଏଭଳି ମୁକ୍ତ ଅଞ୍ଚଳ ଓ କଟକଣାକୁ ସମାଲୋଚନା କରିଛନ୍ତି। ତେବେ ପୁରୀକୁ ଆସୁଥିବା ଭକ୍ତ ଓ ବୁଦ୍ଧିଜୀବୀ ଏଭଳି ପଦ‌କ୍ଷେପକୁ ସ୍ବାଗତ କରିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

ଉପଜିଲ୍ଲାପାଳଙ୍କ ସୂଚନା ମୁତାବକ, ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଶ୍ରୀମନ୍ଦିର ରହିଥିବାରୁ ଶ୍ରୀମନ୍ଦିର ଚାରିପାଖକୁ ମୁକ୍ତ ଅଞ୍ଚଳ ରଖିବା ଅପରିହାର୍ଯ୍ୟ ହୋଇପଡିଛି। ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ପୂର୍ବରୁ ଜାତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ଏହାକୁ ଏ-୧ କ୍ୟାଟେଗୋରି ଅନ୍ତର୍ଭୁକ୍ତ କରାଯାଇଛି। ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେଥି ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଭାରତ ବର୍ଷରେ ଅନ୍ୟ ମନ୍ଦିରରେ ଯେଉଁଭଳି ଦର୍ଶନ ବ୍ୟବସ୍ଥା ରହିଛି ସେହିଭଳି ବ୍ୟବସ୍ଥା ଶ୍ରୀମନ୍ଦିରରେ ପ୍ରଚଳନ କରାଯିବ। ଏବେ ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଉଛି। ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ଏହାକୁ ସବୁଦିନିଆ କରାଯିବ। ଏ ନେଇ ଯେଉଁ ଅଭିଯୋଗ ଆସିବ ତାକୁ ମଧ୍ୟ ଗୁରୁତ୍ବ ଦିଆଯିବ। ସ୍ଥାନୀୟ ଲୋକଙ୍କୁ ହଇରାଣ କରିବା ପ୍ରଶାସନର ଉଦ୍ଦେଶ୍ୟ ନୁହେଁ। ଏଠାରେ ଥିବା ବ୍ୟବସାୟୀମାନଙ୍କ ଗାଡ଼ି ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ନିର୍ଧାରଣ କରାଯାଇଛି। ବ୍ୟବସାୟୀମାନେ ସେମାନଙ୍କ ଗାଡ଼ିକୁ ଏମାର ମଠ ଏବଂ ରଙ୍ଗମହଲଠାରେ ପାର୍କିଂ କରିପାରିବେ। ସେହିପରି ଏହି ଅଞ୍ଚଳରେ ଥିବା ସପିଂ ମଲଗୁଡ଼ିକ ନିଜସ୍ବ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ ନ କଲେ ସେମାନଙ୍କ ବ୍ୟାବସାୟିକ ପ୍ରତିଷ୍ଠାନକୁ ବନ୍ଦ କରି ଦିଆଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଚାରିକଡ଼ରେ ଥିବା ସାହିବାସିନ୍ଦାମାନଙ୍କ ଶୃଙ୍ଖଳିତ ଗମନାଗମନ ପାଇଁ ମଧ୍ୟ ‌ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଗଲାବେଳେ ବଡ଼ଦାଣ୍ଡର ବାମପାର୍ଶ୍ବରେ ୨୫ ଫୁଟ୍‌ ଚଉଡ଼ାର ରାସ୍ତା ଛାଡ଼ି ଦିଆଯାଇଛି। ଆଗାମୀ ଦିନରେ ଫେରିବା ବାଟ ପରବର୍ତ୍ତନ ହେବ। ଏମାର ମଠ ଭିତରୁ ଏକ ରାସ୍ତା ସୃଷ୍ଟି କରାଯିବ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସଂପର୍କରେ ସ୍ଥାନୀୟ ଲୋକଙ୍କୁ କୌଣସି ପ୍ରାକ ସୂଚନା ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଉଠା ଦୋକାନୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର