୧୬ ଜିଲ୍ଲାରେ ନିଶ୍ଚେତକ ବିଶେଷଜ୍ଞ ନାହାନ୍ତି : ଏଲ୍‌ଏସ୍‌ଏଏସ୍‌ଙ୍କ ଭରସାରେ ଚାଲିଛି ଅସ୍ତ୍ରୋପଚାର

ଭୁବନେଶ୍ୱର : ରାଜ୍ୟରେ ନିଶ୍ଚେତକ ବିଶେଷଜ୍ଞଙ୍କର ଘୋର ଅଭାବ ଦେଖାଦେଇଛି। ସମୁଦାୟ ୨୦ଜଣ ନିଶ୍ଚେତକ ଡାକ୍ତର ଜିଲ୍ଲା ଚିକିତ୍ସାଳୟମାନଙ୍କରେ ଅସ୍ତ୍ରୋପଚାର କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ୧୬ ଜିଲ୍ଲାରେ ନିଶ୍ଚେତକ ଡାକ୍ତର ପଦବି ଖାଲି ପଡ଼ିଛି। କେଇ ମାସର ପ୍ରଶିକ୍ଷଣ ଆଧାରରେ ଏଲଏସ୍‌ଏଏସ୍‌ (ଲାଇଫ୍‌ ସେଭିଙ୍ଗ୍‌ ଆନାସ୍ଥେଟିକ୍‌ ସ୍କିଲ୍‌ଡ୍‌) ଅର୍ଥାତ୍‌ କୁଶଳୀ ଜୀବନରକ୍ଷା ନିଶ୍ଚେତକଙ୍କ ଭରସାରେ ରାଜ୍ୟରେ ଅସ୍ତ୍ରୋପଚାର ଚାଲିଛି। ଏଭଳି ପ୍ରଶିକ୍ଷଣ ପ୍ରାପ୍ତ ଡାକ୍ତର ବି ସବୁ ସ୍ଥାନରେ ନାହାନ୍ତି। ଏହା ହିଁ ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ବୟାନ କରୁଛି।

ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ପାଇଁ ପଦବି ରହିଛି। କିନ୍ତୁ ଡାକ୍ତରଙ୍କ ଅଭାବ ଯୋଗୁଁ ଅଧାରୁ ଅଧିକ ଜିଲ୍ଲାରେ ଏହି ପଦବି ଖାଲି ପଡ଼ିଛି। ବାଲେଶ୍ୱର, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁରରେ ଜଣେ ହେଲେ ନିଶ୍ଚେତକ ଡାକ୍ତର ନାହାନ୍ତି। ବୌଦ୍ଧ ଜିଲ୍ଲାରେ ନା ବିଶେଷଜ୍ଞ ନା କୁଶଳୀ ଜୀବନରକ୍ଷା ନିଶ୍ଚେତକ କେହି ବି ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, କେବଳ ଜରୁରୀକାଳୀନ ପ୍ରସବ ପାଇଁ ଏଲଏସ୍‌ଏଏସ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଏମ୍‌ବିବିଏସ୍‌ ଡାକ୍ତରଙ୍କୁ କିଛି ମାସ ତାଲିମ ଦିଆଯାଇ ପ୍ରସବ ସମୟରେ ସ୍ପାଇନାଲ ଆନେସ୍ଥେସିଆ ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ସେମାନେ ସାଧାରଣ ଆନେସ୍ଥେସିଆ ଦେଇପାରିବେ ନାହିଁ। ସେମାନଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ନୁହେଁ। କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ରାଉରକେଲାକୁ ମିଶାଇ ୩୨ଟି ଡାକ୍ତରଖାନାରେ ୭୦ଜଣ ଏଲଏସ୍‌ଏଏସ୍‌ ରହିଛନ୍ତି। କେଉଁଠି ମେଞ୍ଚାଏ ତ ଆଉ କେଉଁଠି କେଞ୍ଚାଏ। ୬ ଜିଲ୍ଲାରେ ଉପଖଣ୍ଡ ଓ ସିଏଚ୍‌ସିରେ ଏଲଏସ୍‌ଏଏସ୍‌ ମଧ୍ୟ ନାହାନ୍ତି।

ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍‌ସା ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତି କମ୍‌ରେ ୩ଜଣ ନିଶ୍ଚେତକ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଥିଲା। ପରବର୍ତୀ ସମୟରେ ସରକାରଙ୍କ ପକ୍ଷରୁ ୨ଜଣ ନିଶ୍ଚେତକ ଡାକ୍ତର ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଧାର୍ଯ୍ୟ ପଦବିରେ ଆବଶ୍ୟକ ଡାକ୍ତର ମଧ୍ୟ ନିଯୁକ୍ତ ହୋଇପାରି ନାହାନ୍ତି। ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ନିଶ୍ଚେତକ ଡାକ୍ତର ବାହାରୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଆଲୋଚନା ହେଉଛି।

ଓମ୍‌ସାର ସଭାପତି ଡା. ନିରାକାର ଭଟ୍ଟ କହିଛନ୍ତି, ରାଜ୍ୟ ସରକାର ଯଦି ଡାକ୍ତରମାନଙ୍କୁ ସମୟାନୁବର୍ତ୍ତିତ ପଦୋନ୍ନତି ଦିଅନ୍ତେ, ତେବେ ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିବ ନାହିଁ। ଏହାସହ ଠିକା/ଆଡହକ୍‌ରେ ନିଯୁକ୍ତ ହେଉଥିବା ଡାକ୍ତରଙ୍କୁ ଓପିଏସ୍‌ସି ଜରିଆରେ ପ୍ରତିବର୍ଷ ଯଦି ୩ ପ୍ରତିଶତ ଗ୍ରେସ୍‌ ମାର୍କ ଦିଆଯିବ, ତେବେ ଆସନ୍ତା ୫ବର୍ଷ ମଧ୍ୟରେ ସେମାନେ ସ୍ଥାୟୀ ନିଯୁକ୍ତି ପାଇପାରିବେ। ଫଳରେ ଡାକ୍ତରଙ୍କ ଅଭାବ ଧୀରେ ଧୀରେ କମିପାରିବ।

ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ଏଚ୍‌.ଏସ୍‌ ବ୍ରହ୍ମା କହିଛନ୍ତି, ରାଜ୍ୟରେ ନିଶ୍ଚେତକ ଡାକ୍ତରଙ୍କ ଅଭାବ ରହିଛି। କେବଳ ପ୍ରସବଜନିତ ଆନେସ୍ଥେସିଆ ପାଇଁ ଏଲଏସ୍‌ଏଏସ୍‌ମାନଙ୍କୁ ନିଯୁକ୍ତି ଦିଆଯାଇଛି। ନିକଟରେ ପି.ଜି କରିଥିବା ୯୦ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଏଥିରେ ଆନେସ୍ଥେଟିକ୍‌ ଡାକ୍ତର ରହିଛନ୍ତି। ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଏକ ଡିପ୍ଲୋମା ସିପିଏସ୍‌ ୨ବର୍ଷିଆ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଫଳରେ ଯେଉଁ ଯେଉଁ ଚିକିତ୍ସାଳୟଗୁଡ଼ିକରେ ଆନେସ୍ଥେଟିକ୍‌ ଡାକ୍ତରଙ୍କ ଅଭାବ ରହିଛି, ତାହା ପୂରଣ ହୋଇପାରିବ ବୋଲି ଡା. ବ୍ରହ୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର