ମୌଳିକ ସୁବିଧାରୁୁ ବଞ୍ଚିତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଅଞ୍ଚଳରେ ଥିବା ଗ୍ରାମ

ବିପଦଜନକ ଭାବେ ନାଳରେ ପଶି ସ୍କୁଲ ଯାଉଛନ୍ତି ପିଲା, ବର୍ଷା ଦିନେ ପାଠପଢ଼ାରେ ବନ୍ଧା ହେଉଛି ଡୋରି

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ମୌଳିକ ସୁବିଧା। ରାଜ୍ୟ ସରକାର ମୋ ଗାଁ ମୋ ବିକାଶ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଏହାର ଚିତ୍ର କିନ୍ତୁ ଓଲଟା। ଉପାନ୍ତରେ ଥିବା ଗ୍ରାମ ଗୁଡିକର ଅବସ୍ଥାକୁ ଦେଖିଲେ ଏହି ଯୋଜନା ରାଇଘର ଅଞ୍ଚଳରେ ବାଟମାରଣା ହେଉଥିବା ଏକପ୍ରକାର ସ୍ପଷ୍ଟ ହୋଇ ପଡ଼ୁଛି। ବିକାଶ ନାଁ ରେ ଏଠାରେ ଠିକାଦାର ପୋଷା ନୀତିରେ ଅନୁଦାନ ଆତ୍ମସାତ ହେଉଥିବା ବେଳେ ଲୋକଙ୍କ ଅବସ୍ଥା ଏବଂ କୁନି କୁନି ପିଲାମାନଙ୍କ ଭବିଷ୍ୟତ ଏଠି ଅନ୍ଧାରରେ ରହିଛି। ବର୍ଷା ଦିନେ ଏହି ଅଞ୍ଚଳର ପିଲାମାନେ ବିପଦଜନକ ଭାବେ ନାଳ ଅତିକ୍ରମ କରି ପାଠ ପଢିବାକୁ ସ୍କୁଲକୁ ଯାଉଥିବା ବେଳେ ପ୍ରବଳ ବର୍ଷା ହେଲେ ଏମାନଙ୍କର ପାଠ ପଢାରେ ଡୋରି ବନ୍ଧା ଯାଇଥାଏ। ସ୍ଥାନୀୟ ବ୍ଲକର ଏଭଳି ଏକ ସୀମାନ୍ତ ଗ୍ରାମ ବରାହଗୁଡା ଯେଉଁଠାରେ ବିକାଶର ପାଦ ପଡ଼ିନଥିବା ବେଳେ ଗ୍ରାମବାସୀ ନିଜ ପ୍ରଚେଷ୍ଟାରେ ସଂଘର୍ଷ କରି ବଞ୍ଚି ଆସୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାଇ, ରାଇଘର ବ୍ଲକ ଗୋନା ପଞ୍ଚାୟତର ସୀମାନ୍ତରେ ରହିଛି ବରାହଗୁଡା ଗ୍ରାମ। ଏହି ଗ୍ରାମ ଠାରୁ ପ୍ରାୟ ୮ ଶହ ମିଟର ଦୂରରେ ରହିଛି ଗୁଡ଼ିପାରା। ରାଇଘର ସଦର ଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଥିବା ବରାହଗୁଡା ଗ୍ରାମରେ ପ୍ରାୟ ୨୮ରୁ ଅଧିକ ପରିବାରରେ ୧୫୦ରୁ ଉର୍ଦ୍ଧ୍ବ ଲୋକ ରହୁଥିବା ବେଳେ ଏହି ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଉପାନ୍ତ ଅଞ୍ଚଳରେ ରହିଥିବା ସହିତ ବର୍ଷା ଦିନେ ଏହି ଗ୍ରାମକୁ ଯିବା ସମ୍ଭବ ହେଉନଥିବାରୁ ଏଠାରେ କୌଣସି ସରକାରୀ ଅଧିକାରୀ କିମ୍ବା ରାଜନେତା ଓ ଜନପ୍ରତିନିଧିଙ୍କ ପାଦ ପଡ଼ୁନଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ବରାହଗୁଡା ଗ୍ରାମର ପିଲାମାନଙ୍କ ପାଠପଢା ପାଇଁ  ଗୁଡ଼ିପାରା ଠାରେ ପ୍ରାଥମିକ ବିଦ୍ୟାଳୟ ରହିଛି। ଏଥିସହିତ ଉକ୍ତ ବିଦ୍ୟାଳୟରେ ଜାମପାଣି, ଭାଟିପାରା, ପୂଝାରୀପାରା ଏବଂ ଗୁଡ଼ିପାରା ଗ୍ରାମର ପିଲାମାନେ ପାଠ ପଢୁଛନ୍ତି। ବରାହଗୁଡା ଗ୍ରାମରୁ ଗୁଡ଼ିପାରା ଗ୍ରାମକୁ ପ୍ରାୟ ୮ ଶହ ମିଟର ରାସ୍ତାରେ ଏକ ନାଳଟିଏ ବୋହିଯାଇଛି। ସରକାରଙ୍କ ପକ୍ଷରୁ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇନଥିବା ବେଳେ ଏହି ନାଳରେ ପୋଲଟିଏ ମଧ୍ୟ ନାହିଁ। ତେଣୁ ବର୍ଷା ଦିନେ ଏହି ରାସ୍ତା ଦେଇ ଯାତାୟାତରେ ସ୍ଥାନୀୟ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ମୁଖ୍ୟତଃ ଏହି ଦିନେ ପିଲାମାନେ ନାଳରେ ବନ୍ୟା ଆସିଲେ ନାଳ ଅତିକ୍ରମ କରି ନପାରି ସ୍କୁଲ ଯାଉନଥିବା ଦେଖିବାକୁ ମିଳୁଛି। ନାଳରେ ଅଳ୍ପ ପାଣି ହେଲେ ଗ୍ରାମବାସୀଙ୍କ ସହାୟତାରେ ପିଲାମାନେ ଅତିକ୍ରମ କରି ସ୍କୁଲ ଯାଇଥାନ୍ତି। ଫଳରେ ଏଠାକାର ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଏହି ରାସ୍ତାର ତୁରନ୍ତ ମରାମତି କରିବା ସହିତ ନାଳରେ ଏକ ପୋଲ ନିର୍ମାଣ ପାଇଁ ଗୋନା ଗ୍ରାମର ଜଗନ୍ନାଥ ନାୟକଙ୍କ ସହିତ ବରାହଗୁଡା ଗ୍ରାମର ମଙ୍ଗୁ ଗଣ୍ଡ, କମୁଲୁ ଗଣ୍ଡ, ଜୟସିଂ ଗଣ୍ଡ, ମାଙ୍ଗୁ ଗଣ୍ଡ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର