କଙ୍କଡାହାଡ଼ ବ୍ଲକ୍‌ ମହାବିରୋଡ଼ ଡାକ୍ତରଖାନାରେ ଡାକ୍ତର ନାହାନ୍ତି; ନର୍ସଙ୍କ ହାତରେ ସ୍ୱାସ୍ଥ୍ୟ ସେବା

କଙ୍କଡ଼ାହାଡ଼ : କଙ୍କଡାହାଡ଼ ବ୍ଲକ୍‌ ମହାବିରୋଡ଼ ଡାକ୍ତରଖାନା ଉପରେ ୧୦ଟି ପଞ୍ଚାୟତ ମହାବିରୋଡ଼, କୁଟୁରିଆ, ଝିଲ୍ଲୀ, ବାମ, ଗଡ଼ପଳାଶୁଣି, ପଙ୍ଗାତିରା, ବିରିବୋଲାଇ, ଘାଗରାମୁଣ୍ଡା, ଚାନ୍ଦପୁର, ଦଶୀପୁର ପଞ୍ଚାୟତର ୫୦ ହଜାରରୁ ଅଧିକ ଜନସାଧାରଣ ନିର୍ଭର କରି ଆସୁଛନ୍ତି । ଦୀର୍ଘ ଦିନ ହେଲା ଏହି ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ନାହାନ୍ତି। କେବଳ ନର୍ସ ସାହା ଭରସା। ସେଥିପାଇଁ ଅଞ୍ଚଳର ରୋଗୀମାନେ ସାମାନ୍ୟ ଥଣ୍ଡା କି ଜ୍ୱର ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁ ରୋଗୀମାନଙ୍କ ଆର୍ଥିକ ସ୍ଥିତି ଭଲ ସେମାନେ ଅନୁଗୁଳ, ଢେଙ୍କାନାଳ, ତାଳଚେର ଡାକ୍ତରଖାନା ଯାଇ ଚିକିତ୍ସିତ ହେଉଛନ୍ତି। ଯେଉଁମାନଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ, ସେମାନେ ଗାଁ’ରେ ରହୁଥିବା ନକଲି ଡାକ୍ତର (କ୍ବାକ)ମାନଙ୍କ ଶୋଷଣରେ ଶିକାର ହେଉଛନ୍ତି । ୫ଟି ମୋ ସରକାର ଉପରେ ମହାବିରୋଡ଼ ଡାକ୍ତରଖାନାରେ ଏକ ବୋର୍ଡ ଲଗାଯାଇଛି। ଏତେ ବଡ଼ ଅଞ୍ଚଳରେ ଜଣେ ଡାକ୍ତର, ଫାର୍ମାସିଷ୍ଟ ନଥିବା ବେଳେ ଏହା କ’ଣ ମୋ ସରକାର ବୋଲି ସାଧାରଣରେ ଆଲୋଚନା ହେଉଛି। ଆଗାମୀ ଦିନରେ ମହାବିରୋଡ଼ ଡାକ୍ତରଖାନାରେ ଡାକ୍ତର ସହିତ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଦାବିପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର