ନଦୀରେ ପ୍ରବାହିତ ବନ୍ୟାଜଳର ପରିମାଣ ହ୍ରାସ ପାଉଥିବାରୁ ବନ୍ୟା ପାଇଁ ଆତଙ୍କିତ ନ ହେବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର : ଜନସାଧାରଣଙ୍କର ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ ବିଗତ ୨୪ ଘଣ୍ଟା ମଧ୍ୟରେ ମହାନଦୀ ଅବବାହିକାର ତଳମୁଣ୍ଡରେ ଖୁବ୍‌ କମ୍‌ ବର୍ଷା ହୋଇଛି। ଏତଦ୍‌ବ୍ୟତୀତ ତେଲ ନଦୀ ଅବାହିକାରେ ବର୍ଷାର ପରିମାଣ ଯଥେଷ୍ଟ ହ୍ରାସ ପାଇଛି। ତତ୍‌ସହିତ ମହାନଦୀରେ ପ୍ରବାହିତ ବନ୍ୟାଜଳ ମଧ୍ୟରୁ ଆଶିଂକ ବନ୍ୟାଜଳ ଇତିମଧ୍ୟରେ ନଦୀର ପାର୍ଶ୍ୱବର୍ତ୍ତୀ ଉପନଦୀ ଏବଂ ଖାଲୁଆ ଅଞ୍ଚଳରେ ପ୍ରବେଶ କରିଛି। ଏଥିପାଇଁ ନଦୀରେ ପ୍ରବାହିତ ବନ୍ୟାଜଳର ପରିମାଣରେ ହ୍ରାସ ପରିଲକ୍ଷିତ ହେଉଛି।

ଆଜି ସନ୍ଧ୍ୟା ୬ଟା ସୁଦ୍ଧା ତେଲନଦୀର ପଥରଲା ଠାରେ ସେକେଣ୍ଡ ପିଛା ୩.୫୩ ଲକ୍ଷ ଘନଫୁଟ, ମହାନଦୀର ଖଇରମାଳଠାରେ ସେକେଣ୍ଡ ପିଛା ୫.୧୪ ଲକ୍ଷ ଘନଫୁଟ, ବରମୂଳଠାରେ ସେକେଣ୍ଡ ପିଛା ୯.୨୦ ଲକ୍ଷ ଘନଫୁଟ ଏବଂ ମୁଣ୍ଡଳୀ ଠାରେ ସେକେଣ୍ଡ ପିଛା ୮.୩୫ ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଅଛି। ଏସବୁକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଦ୍ୱାରା ମୁଣ୍ଡଳୀ ନିକଟରେ ତା୧୫.୦୮.୨୦୧୯ ରିଖ ସକାଳ ସୁଦ୍ଧା ପ୍ରତି ସେକେଣ୍ଡ ପିଛା ପ୍ରାୟ ୧୦.୫୦ ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହ ହେବ ବୋଲି ଅନୁମାନ କରାଯାଇଥିଲା। ବର୍ତ୍ତମାନ ପୁନଃ ଆକଳନ କରାଯାଇଥିବା ତଥ୍ୟ ଅନୁସାରେ ବନ୍ୟାଜଳ କିଛି ମାତ୍ରାରେ ହ୍ରାସ ପାଇ ପ୍ରତି ସେକେଣ୍ଡ ପିଛା ପ୍ରାୟ ୯.୫୦ ଲକ୍ଷରୁ ୧୦.୦୦ ଲକ୍ଷ ଘନଫୁଟ ମଧ୍ୟରେ ପ୍ରବାହିତ ହେବ ବୋଲି ଅନୁମାନ କରାଯାଉଅଛି।

ଏଣୁ ଜନସାଧାରଣଙ୍କୁ ଅନୁରୋଧ ଯେ ସେମାନେ ବନ୍ୟା ପାଇଁ ଆତଙ୍କିତ ହୁଅନ୍ତୁ ନାହିଁ। ନଦୀ ବନ୍ଧରେ ଯଦି କୌଣସି ସ୍ଥାନରେ ଘଳିଆ ପଡ଼ିବା କିମ୍ବା ବନ୍ୟାଜଳ ବନ୍ଧ ଉପରେ ପ୍ରବାହିତ ହେବା କାହାର ଦୃଷ୍ଟିକୁ ଆସେ ତେବେ ତୁରନ୍ତ ନିକଟସ୍ଥ ଜଳସମ୍ପଦ ବିଭାଗର ଅଧିକାରୀ ବା କର୍ମଚାରୀମାନଙ୍କୁ ଜଣାଇ ବନ୍ୟା ପରିସ୍ଥିତିର ମୁକାବିଲାରେ ସହଯୋଗ ପାଇଁ ଅନୁରୋଧ କରାଯାଉଛି।

ସମ୍ବନ୍ଧିତ ଖବର