୩ଟି ଜିଲ୍ଲାରେ ନାହିଁ ସରକାରୀ କ‌ଲେଜ

ଭୁବନେଶ୍ବର : ରାଜ୍ୟରେ ୨୭ଟି ଜିଲ୍ଲାରେ ୫୨ଟି ସରକାରୀ କଲେଜ ଅଛି। ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫ଟି ଲେଖାଏ ଅଛି। ତିନିଟି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଝାରସୁଗୁଡ଼ାରେ ଆଦୌ ସରକାରୀ କଲେଜ ନାହିଁ। ଏଠାରେ ସରକାରୀ କଲେଜ ଖୋଲିବା ପାଇଁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ବି ନାହିଁ। ବିଧାନସଭାରେ ବିଜେଡି ସଭ୍ୟ ସାଲୁଗା ପ୍ରଧାନଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁପସ୍ଥିତିରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଶ୍ନର ଉତ୍ତର ‌େଦଇଥିଲେ। କିଛି ବିଧାୟକ ଅତିରିକ୍ତ ପ୍ରଶ୍ନ କରି ନିଜ ନିଜ ଅଞ୍ଚଳରେ ସରକାରୀ କଲେଜ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ପୁଣି ବିଭିନ୍ନ କଲେଜରେ ଅଧ୍ୟାପକ ଅଭାବ ନେଇ ବି ଆପତ୍ତି ଉଠାଇଥ‌ିଲେ।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ପ୍ରଧାନ ଦାରିଙ୍ଗିବାଡ଼ିରେ ସରକାରୀ କଲେଜ ପାଇଁ ଦାବି କରିଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଭଦ୍ରକରେ ଏକକ ବିଶ୍ବବିଦ୍ୟାଳୟ ପାଇଁ ଦାବି ଉଠାଇଥି‌େଲ। ମୁଖ୍ୟ ପଦବି ସବୁ ଭାରପ୍ରାପ୍ତରେ ଚାଲିଥିବାରୁ ସରକାରୀ କଲେଜଗୁଡ଼ିକ ବାପା, ମା’ ଛେଉଣ୍ଡ ହୋଇଯାଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। କଂଗ୍ରେସ ବିଧ‌ାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର କଲେଜରେ ଅଧ୍ୟାପକ ଅଭାବ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସବୁ ଜିଲ୍ଲାରେ ମହିଳା ମହିବିଦ୍ୟାଳୟ ଖୋଲିବା ପାଇଁ ଭୂପିନ୍ଦର ସିଂହ ପ୍ରସ୍ତାବ ଦେଇଥିଲେ। ଝାରୁସୁଗୁଡ଼ା ସୀମାନ୍ତରେ ଡିଗ୍ରି କଲେଜ ଖୋଲିବା ପାଇଁ କିଶୋର ମହାନ୍ତି ପ୍ରସ୍ତାବ ଦେଇଥିଲେ। ଭବାନୀ ଶଙ୍କର ଭୋଇ ଅତିରିକ୍ତ ପ୍ରଶ୍ନ କରିଥିଲେ। ବିଧାୟକମାନଙ୍କ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର