ନୟାଗଡ଼: ରାଜ୍ୟର ବଡ଼ ବଡ଼ ସହର , ଅନ୍ୟାନ୍ୟ ଜିଲ୍ଲା ସଦର ମହକୁମା କରୋନା କଟକଣା ତଥା ଲକ୍ଡାଉନ୍ ପାଇଁ ଜନଶୂନ୍ୟ ହୋଇ ପଡ଼ିଛି। କେଉଁଠି ଏସ୍ପି ପଦାକୁ ବାହାରି ଲୋକଙ୍କୁ ତାଗିଦ୍ କରୁଛନ୍ତି, ତ ଆଉ କେଉଁଠି ଜିଲ୍ଲାପାଳ ଲୋକଙ୍କୁ ବୁଝାଉଛନ୍ତି। ମହାମାରୀ କରୋନାକୁ ନେଇ ସବୁଠି ତତ୍ପରତା, କିନ୍ତୁ ନୟାଗଡ଼ ଜିଲ୍ଲା ସଦର ମହକୁମାରେ କରୋନା କଟକଣା ଏକଦମ୍ ପ୍ରହସନରେ ପରିଣତ ହୋଇଛି। ନୟାଗଡ଼ ସହରରେ ମାଳମାଳ ମୋଟର ସାଇକେଲରେ ଲୋକ ଚକ୍କର୍ କାଟୁଛନ୍ତି। ସହରରେ ଯୁଆଡ଼େ ଚାହିଁବ ସିଆଡ଼େ ଲୋକ ବୁଲୁଛନ୍ତି। ସତେଯେମିତି ଅଘୋଷିତ ଭାବେ ନୟାଗଡ଼ ପୁଲିସ ଲକ୍ଡାଉନ୍କୁ ଉଠାଇ ଦେଇଛି। ଯାହାକୁ ନେଇ ନୟାଗଡ଼ର ବୁଦ୍ଧିଜୀବୀ, ସାଧାରଣ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଲାଣି। ନୟାଗଡ଼ ଓଲ୍ଡ ଟାଉନରେ ଆହୁରି ବିଚିତ୍ରସ୍ଥିତି ଦେଖିବାକୁ ମିଳିଛି। ଏଠାରେ ପୁଲିସର ପାଦ ପଡ଼ୁନଥିବା ବେଳେ, ଦୋକାନ ଗୁଡ଼ିକରେ ମେଳା ପରି ଗହଳି ଲାଗୁଛି। ଦିନ ୧୨ ଟା ପର୍ଯ୍ୟନ୍ତ ନୟାଗଡ଼ ମୁଖ୍ୟଛକରେ ଆଇଆଇସି କିମ୍ବା ଅନ୍ୟ ବଡ଼ ପୁଲିସ ବାବୁଙ୍କୁ ଦେଖିବାକୁ ମିଳୁନି। ସଭିଏଁ ବୋଧହୁଏ ଖରାକୁ ଡରି ଘରେ ଆରାମ କରୁଥିବା ବେଳେ, ଛକରେ ମୁତୟନ ଥିବା ଫୋର୍ସ ମନ ହେଲେ ଅଯଥା କାମରେ ବାହାରେ ବୁଲୁଥିବା ଲୋକଙ୍କୁ ଅଟକାଉଛନ୍ତି, ନହେଲେ ଯାଇ ଗଛ ଛାଇରେ ଛିଡ଼ା ହେଉଛନ୍ତି। ନୟାଗଡ଼ରେ କରୋନା କଟକଣା ଏକଦମ୍ ପ୍ରହସନରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ସାରା ଦେଶରେ କଡ଼ାକଡ଼ି ଭାବେ ଲକ୍ଡାଉନ ପାଳନ କରିବାକୁ ନିବେଦନ କରିଛନ୍ତି। କିନ୍ତୁ ଲକ୍ଡାଉନରେ ୫ ଦିନରେ ସାଧାରଣ ଜନତାଙ୍କ ଠାରୁ ନୟାଗଡ଼ ପୁଲିସ ଅଧିକ ଅତିଷ୍ଠ ହୋଇଗଲାଣି।
ଲକ୍ଡାଉନ ଆରମ୍ଭ ଦିନରୁ ନୟାଗଡ଼ ପୁଲିସ ଏହାକୁ ହାଲ୍କା ଭାବେ ନେଇଥିବା ବେଳେ, ଆଗାମୀ ଦିନରେ କଟକଣା ବଢିବ ବୋଲି ଆଶା କରାଯାଉଥିଲା। କିନ୍ତୁ ନୟାଗଡ଼ରେ ପୁଲିସ ବେଫିକର ଦିନକୁ ଦିନ ବଢିବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ପୁଲିସ କଡ଼ାକଡ଼ି ଲକ୍ଡାଉନ୍ ନିୟମ ପାଳନ କରୁଥିବା ଆମ ପ୍ରତିନିଧିଙ୍କ ଠାରୁ ସୂଚନା ମିଳିଛି। କିନ୍ତୁ ଜିଲ୍ଲା ସଦର ମହକୁମାରେ କିଛି ଅପାରଗ ପୁଲିସ ଅଧିକାରୀ ଲକ୍ଡାଉନ୍ ନିଜେ ଭାଙ୍ଗି ଦେଇଛନ୍ତି। ବନ୍ଦ ଥିବା ବିଭିନ୍ନ ମାର୍କେଟ୍ର କ୍ୟାବିନ୍ କନ୍ଦି, ଅପରିତ୍ୟକ୍ତ ଘରେ ନିଶାଡ଼ ଏକାଠି ହେଉଛନ୍ତି। କୋରେକ୍ସ ଠାରୁ ଆରମ୍ଭ କରି ମଦ, ଗଞ୍ଜଇେ ଆସର ଜମୁଛି। କିନ୍ତୁ ଟାଉନ ଥାନା ପୁଲିସ କିମ୍ବା ବଡ଼ ପୁଲିସ ବାବୁ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଛକରେ ମୁତୟନ ଥିବା ଓଏସ୍ଏପି ଫୋର୍ସ ସୁରକ୍ଷାକର୍ମୀ ନିଜକୁ ସର୍ବେସର୍ବା ମନେକରି ଡ୍ୟୁଟି କରୁଛନ୍ତି। କେଉଁଠି ପରିବା, ମେଡିସିନ୍ ପାଇଁ ଯାଉଥିବା ବ୍ୟକ୍ତିଙ୍କୁ ପିଟୁଛନ୍ତି, ତ ଆଉ କେଉଁଠି ମଳିମୁଣ୍ଡିଆ ଲୋକ ଦେଖିଲେ ମାରି ଗୋଡ଼ାଉଛନ୍ତି। ଏପରିକି ଏମାନଙ୍କ ଆକ୍ରୋଶରୁ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାଦ୍ ପଡ଼ୁନାହାନ୍ତି। ଲଜ୍ବାର କଥା ହେଲା ମହାମାରୀ ଭଳି ଅସମୟରେ ଲକ୍ଡାଉନ ସ୍ଥିତି ନେଇ ଧ୍ୟାନ ନଦେଇ ଏମାନେ ଜରୁରୀ କାମରେ ଯାଉଥିବା ଲୋକଙ୍କୁ ଗାଳି କରିବାକୁ କୌଣସି ଉପାୟ ନପାଇ ସେମାନଙ୍କ ହେଲମେଟ୍ ଚେକିଂ କରୁଛନ୍ତି। ଟାଉନ ଥାନା ପୁଲିସ ମଧ୍ୟ ଏଭଳି ହେଲମେଟ୍ ଚେକିଂକୁ ସମର୍ଥନ ଜଣାଇ ଚୁପ୍ ରହୁଛି। କିନ୍ତୁ ଖୋଦ୍ ଜିଲ୍ଲା ପ୍ରଶାସନ, ମ୍ୟୁନିସିପାଲିଟିର ପ୍ରମୁଖ ଅଧିକାରୀ ବିନା ହେଲମେଟ୍ରେ ଚକ୍କର କାଟୁଛନ୍ତି। ସନ୍ଧ୍ୟାରେ ନୟାଗଡ଼ ଛକରେ ଲୋକ ଦେଖାଣିଆ ଭାବେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଆସି ଖଟି ଜମାଉଛନ୍ତି। ହେଲେ ଦିନରେ ସେମାନଙ୍କର ଦେଖା ମିଳୁନି। ଯଦି ଏମାନେ ଦିନରେ ଏଠାରେ ଉପସ୍ଥିତି ରହି ଲକ୍ଡାଉନ୍ ସ୍ଥିତିର ଅନୁଧ୍ୟାନ କରନ୍ତେ, ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଭଳି ନୟାଗଡ଼ ମଧ୍ୟ ଜନଶୂନ୍ୟ ହୋଇଯାଆନ୍ତା। ଲକ୍ଡାଉନ୍ ଜାରି ହୋଇଥିବା ସମୟରେ ନୟାଗଡ଼ ପୁଲିସର ଏଭଳି ଅସ୍ବଭାବିକ ଆଚରଣ ସଭିଙ୍କୁ ଦ୍ବନ୍ଦ୍ବରେ ପକାଉଛି। ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନର ଏଭଳି ଖାମଖିଆଲି ମନୋଭବ ଯେ ବଡ଼ ଆଶଙ୍କାକୁ ଡାକି ନଆଣିବ ତାହା କହିହେବ ନାହିଁ। ଏବାବଦରେ ଏସ୍ପି ପ୍ରତ୍ୟୁଷ ଦିବାକରଙ୍କ ପ୍ରତିକ୍ରିୟା ଜାଣିବା ଲାଗି ଚେଷ୍ଟା କରାଯାଇଥିବା ବେଳେ, ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/d87gd87gd8g7dg7d84v5d4vd5gdggggggggggggggggggdgggggg.jpg)