ଶ୍ରୀଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ହୋଇନାହିଁ, ଏ ନେଇ କୌଣସି ଚିଠି ଆସିନାହିଁ : ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଅଶୋକ ମଲ୍ଲିକ

ନୂଆଦିଲ୍ଲୀ : ପୁରୀ ଶ୍ରୀମନ୍ଦିରରେ ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପତ୍ନୀଙ୍କୁ ଦୁର୍ବ୍ୟବହାର ହୋଇନାହିଁ । ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଅଶୋକ ମଲ୍ଲିକ ଶନିବାର ଏହା ଏହା ସ୍ପଷ୍ଟ କରିଛନ୍ତି । ରାଷ୍ଟ୍ରପତି ଭବନରୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନକୁ ଦୁର୍ବ୍ୟବହାର ଘଟଣା ନେଇ କୈାଣସି ଚିଠି ଆସିଥିବା କଥାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ମଲ୍ଲିକ୍ କହିଛନ୍ତି, ରାଷ୍ଟ୍ରପତି ଭବନରୁ ଏମିତି କୈାଣସି ଚିଠି ପଠାଯାଇନାହିଁ । ଯଦି ରାଷ୍ଟ୍ରପତି ଭବନ ପକ୍ଷରୁ ଏଭଳି ଚିଠି ଆସିଛି ବୋଲି କେହି ଅଭିଯୋଗ କରୁଛନ୍ତି, ତେବେ ସେହି ଚିଠିକୁ ସର୍ବସାଧାରଣରେ ପ୍ରକାଶ କରନ୍ତୁ । ଏ ନେଇ ଯେଉଁ ସବୁ ତଥ୍ୟ ପ୍ରକାଶ ପାଇଛି ତାହା ସବୁ କଳ୍ପନାଜଳ୍ପନା ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି ରାଷ୍ଟ୍ରପତିଙ୍କ ଗସ୍ତ ଦିନ କେତେ ଜଣ ସେବାୟତ ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ନିକଟକୁ ଆସିବାକୁ ଚାହିଁଥିଲେ କିନ୍ତୁ ସେମାନେ ସଫଳ ହୋଇପାରିନଥିଲେଏବଂ ସେହି ବିବାଦ ସେଠି ହିଁ ସମାପ୍ତ ହୋଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ରାଷ୍ଟ୍ରପତି ଭବନରୁ ଚିଠି ଆସିନଥିଲା କାହିଁକି ହେଲା ରିଜୋଲ୍ୟୁସନ? ଏହି ପ୍ରସଙ୍ଗ ଉଠାଇଲା କିଏ ? ରାଷ୍ଟ୍ରପତିଙ୍କ ନାଁରେ କାହିଁକି ସୃଷ୍ଟି କରାଗଲା ବିବାଦ?

Millennium Post

ଉଲ୍ଲେଖଯୋଗ୍ୟ କି ଗତ ମାର୍ଚ୍ଚ ୧୮ରେ ରାଷ୍ଟ୍ରପତି ସସ୍ତ୍ରୀକ ପୁରୀ ଶ୍ରୀମନ୍ଦିର ପରିଦର୍ଶନ ପାଇଁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା ବୋଲି ଖବର ପ୍ରକାଶ ପାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କ ଦେହରେ ଦୁଇଜଣ ସେବାୟତ ଘଷି ହୋଇ ଯାଇଥିଲେ ।ତେବେ ଏମିତି ଏକ ସାଙ୍ଘାତିକ ଅଭିଯୋଗ ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ ରାଷ୍ଟ୍ରପତି ଭବନରୁ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଏକ ଚିଠି ଆସିଥିଲା ବୋଲି କୁହାଯାଇଥିଲା ।ଏହି ଚିଠିରେ ଦର୍ଶାଯାଇଥିଲା ଯେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ବେଳେ ଦୁଇ ଜଣ ସେବାୟତ ତାଙ୍କ ଦେହରେ ଓ ପତ୍ନୀ ସବିତା କୋବିନ୍ଦଙ୍କ ଦେହରେ ଘଷି ହୋଇଯାଇଥିଲେ । ଖାଲି ସେତିକି ନୁହେଁ, ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ପରେ ସେବାୟତଙ୍କୁ କୌଣସି ଦକ୍ଷିଣା ଦେଇ ନଥିବା ନେଇ ମଧ୍ୟ ସେବାୟତ ଗଣମାଧ୍ୟମରେ ବୟାନ ଦେଇଥିଲେ । ଯାହାକୁ ନେଇ ମଧ୍ୟ ରାଷ୍ଟ୍ରପତି ଭବନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା ବୋଲି ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର