ବାଣପୁର ଡାକ୍ତରଖାନାରେ ଡାକ୍ତର ଅଭାବ : ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟସେବା, ବଢୁଛି ଅସନ୍ତୋଷ

ବାଣପୁର : ଦେଢ ଶହ ବର୍ଷ ପୁରୁଣା ଇଂରେଜ ଅମଳର ବାଣପୁର ଡାକ୍ତରଖାନା। ୧୯୯୧ ମସିହାରେ ସରକାର ଏହାକୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେଇଛନ୍ତି। ମାତ୍ର ଏବେ ଏହି ଡାକ୍ତରଖାନାରେ ଦେଖାଦେଇଛି ଡାକ୍ତର ମରୁଡି। ଏହି ସ୍ବାସ୍ଥ୍ୟ କେନ୍ଦ୍ରର ବହିର୍ବିଭାଗରେ ଚିକିତ୍ସିତ ରୋଗୀ ସଂଖ୍ୟା ଜିଲାର ଅନ୍ୟ ଯେ କୌଣସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଅଧିକ। ଦୈନିକ ଛଅ ଶହରୁ ଊର୍ଦ୍ଧ୍ବ ରୋଗୀ ଏହି ଡାକ୍ତରଖାନାର ବର୍ହିବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଏଠାରେ କାର୍ଯ୍ୟରତ କତିପୟ କର୍ମଚାରୀ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ବିଫଳ ହେଉଛନ୍ତି। ବିଶେଷ କରି ଏଠାରେ ମଞ୍ଜୁରପ୍ରାପ୍ତ ୭ଟି ବିଶେଷଜ୍ଞ ପଦବି ମଧ୍ୟରୁ ୬ଟି ପଦବି ଖାଲି ପଡ଼ିଥିବା ବେଳେ ଏହାକୁ ପୂରଣ ନ କରି ସରକାର ପୁଣି ଏହି ଡାକ୍ତରଖାନା ପାଇଁ ୫ଟି ନୂଆ ଡାକ୍ତର ପଦବି ମଞ୍ଜୁର କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇବାର ୨୮ ବର୍ଷରୁ ଊର୍ଦ୍ଧ୍ବ ସମୟ ହୋଇଯାଇଥିଲେ ମଧ୍ୟ ଆବଶ୍ୟକୀୟ ଡାକ୍ତର, କର୍ମଚାରୀ ଓ ଭିତ୍ତିଭୂମି ଅଭାବରୁ ଏହା ଏକ ପ୍ରକାର ସ୍ଥାଣୁ ହୋଇପଡିଛି। ଫଳରେ ବାଣପୁର, ଗଞ୍ଜାମ ଜିଲାର ଖଲିକୋଟ ଏନଏସି ସମେତ ୨୦ରୁ ଊର୍ଦ୍ଧ୍ବ ପଞ୍ଚାୟତର ସହସ୍ରାଧିକ ରୋଗୀ ଉପଯୁକ୍ତ ସ୍ବାସ୍ଥ୍ୟ ସୁବିଧା ନପାଇବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ସରକାର ବାଣପୁର ଡାକ୍ତରଖାନା ପାଇଁ ୭ଟି ଡାକ୍ତର ପଦବି ମଞ୍ଜୁର କରିଥିବା ବେଳେ ୭ ଜଣ ଷ୍ଟାଫ୍ ନର୍ସ , ଜଣେ ଜନ୍ମ ମୃତ୍ୟୁ ପଞ୍ଜିକରଣ କର୍ମଚାରୀ ଜଣେ, ଜଣେ ଡ୍ରେସର , ଚାରି ଜଣ ସଫେଇ କର୍ମଚାରୀ , ୮ ଜଣ ୱାର୍ଡ ଆଟେଣ୍ଡାଣ୍ଟ ଓ ଜଣେ ରେଡିଓ ଗ୍ରାଫର ପଦବିକୁ ମଞ୍ଜୁର କରିଛନ୍ତି। ମାତ୍ର ଡାକ୍ତରଖାନାର ବାସ୍ତବ ଚିତ୍ର ବଡ଼ ବିକଳିଆ। ମେଡିସିନ୍ ବିଭାଗର ଏକ ମାତ୍ର ଡାକ୍ତର ମେଡିକାଲ ଅଫିସର ଭାବେ ଦାୟିତ୍ବ ତୁଲାଉଥିବା ବେଳେ ଶିଶୁ ରୋଗ ବିଶେଷଜ୍ଞ, ଭେଷଜ, ଶଲ୍ୟ ବିଶେଷଜ୍ଞ, ନିଶ୍ଚେତକ ଓ ସହକାରୀ ଶଲ୍ୟ ବିଶେଷଜ୍ଞ ଆଦି ୫ଟି ଡାକ୍ତରୀ ପଦବି ଖାଲି ପଡିଛି। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ଡାକ୍ତରଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ ଦିଆଯାଇଛି। ଏହା ଏକ ଗ୍ରେଡ-୧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ହୋଇଥିବା ସତ୍ତ୍ବେ ଏଠାରେ ନିଯୁକ୍ତ ଏକମାତ୍ର ଆୟୁଷ ଡାକ୍ତର ଜରୁରୀ ବିଭାଗରେ କାର୍ଯ୍ୟ କରୁଛନ୍ତି। ସେହିପରି ଜନ୍ମମୃତ୍ୟୁ ପଞ୍ଜିକରଣ , ଡ୍ରେସର , ରେଡିଓ ଗ୍ରାଫର ସହିତ ୩ଟି ସଫେଇ କର୍ମଚାରୀ ଓ ୩ଟି ଆଟେଣ୍ତାଣ୍ଟ ପଦବି ଦୀର୍ଘ ବର୍ଷ ଧରି ଖାଲି ପଡିଛି। ବିଶେଷତଃ ପ୍ରସୂତି ଓ ଶିଶୁ ରୋଗୀମାନେ ଚିକିତ୍ସା ଅଭାବରୁ ବ୍ରହ୍ମପୁର ଓ କଟକ ଯାଇ ଖର୍ଚ୍ଚାନ୍ତ ହେବା ସହ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଜିଲାର ଦ୍ବିତୀୟ ପୁଷ୍ଟିକର ପୁନର୍ବାସ କେନ୍ଦ୍ର ରୂପେ ମାନ୍ୟତା ପାଇଥିଲେ ମଧ୍ୟ କୈାଣସି ଶିଶୁ ରୋଗ ବିଶେଷଜ୍ଞଙ୍କୁ ଏଠାରେ ନିଯୁକ୍ତି ଦିଆଯାଇ ନାହିଁ। ଆଶ୍ଚର୍ଯ୍ୟ ଜନକ ବିଷୟ ହେଉଛି ଯେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ୭ଟି ବିଶେଷଜ୍ଞ ପଦବି ମଧ୍ୟରୁ ୬ଟି ପଦବି ପୂରଣ କରା ଯାଇ ନଥିବା ବେଳେ ରାଜ୍ୟ ସରକାର ଏହି ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଅତିରିକ୍ତ ୫ଟି ବିଶେଷଜ୍ଞ ପଦବି ମଞ୍ଜୁର କରିଛନ୍ତି। ତେବେ ସରକାର ଖାଲି ପଡିଥିବା ୬ଟି ପଦବିରେ ଡାକ୍ତରଙ୍କୁ ନିଯୁକ୍ତ ଦେଉନଥିବା ବେଳେ ନୂତନ ଭାବେ ମଞ୍ଜୁର ୫ଟି ଡାକ୍ତର ପଦବି କ’ଣ ପାଇଁ ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସେହିପରି ରୋଗୀଙ୍କ ସୁବିଧା ପାଇଁ ଡାକ୍ତରଖାନା ପରିସରରେ ଏକ୍ସରେ ମେସିନ ଲଗାଯାଇଛି। ମାତ୍ର ଦୀର୍ଘ ୮ବର୍ଷ ଧରି କେହି ରେଡିଓଗ୍ରାଫର ନାହାଁନ୍ତି। ଫଳରେ ରୋଗୀମାନେ ଘରୋଇ ଭାବରେ ଏକ୍ସରେ କରାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଅପରପକ୍ଷେ ବ୍ୟବହାର ନ ହୋଇ ଲକ୍ଷଲକ୍ଷ ଟଙ୍କାର ଏକ୍ସରେ ମେସିନଗୁଡିକ ନଷ୍ଟ ହେବାକୁ ବସିଲାଣି ବୋଲି ଅଭିଯୋଗ ହେଉଛି। ଏହି ସ୍ବାସ୍ଥକେନ୍ଦ୍ରଟି ମାତ୍ର ଗୋଟିଏ ସଫେଇ କର୍ମଚାରୀରେ ଚାଲିଛି। ଏଥିରୁ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଅନୁମେୟ। ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ଡାକ୍ତର ଓ କର୍ମଚାରୀମାନଙ୍କ ପାଇଁ ଆବଶ୍ୟକ ଷ୍ଟାଫ କ୍ବାର୍ଟର ନଥିବାରୁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ କୌଣସି ଡାକ୍ତର କିମ୍ବା କର୍ମଚାରୀ ରହୁନାହାଁନ୍ତି। ଫଳରେ ରାତିରେ କୈାଣସି ଅଘଟଣ ସମୟରେ ରୋଗୀମାନେ ବିଶେଷ ଅସୁବିଧାରେ ପଡୁଛନ୍ତି। ଅନ୍ୟ ପକ୍ଷରେ ବାଲୁଗାଁ ସ୍ବାସ୍ଥ୍ୟ କେନ୍ଦ୍ର ଓ ଦୁର୍ଘଟଣା ପ୍ରବଣ ୧୬ ନମ୍ବର ରାଜପଥରେ ଅବସ୍ଥିତ ସୁନାଖଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ମଧ୍ୟ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଏଠାକୁ ରେଫର କରାଯାଇଥାଏ। ମାତ୍ର ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବରୁ ଆହତମାନେ ସମୟୋପଯୋଗୀ ଚିକିତ୍ସା ପାଇ ନପାରି ଭୁବନେଶ୍ବର ଏବଂ ବ୍ରହ୍ମପୁର ସ୍ଥାନାନ୍ତର ହୋଇ ଅସୁବିଧାରେ ପଡିବା ସହ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର