କଟକ: ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ଓ ନାଟ୍ୟ ସଙ୍ଗଠକ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ରଥଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ବର୍ଷ ହୋଇଥିଲା। ୧୦୦ରୁ ଊର୍ଧ୍ୱ ନାଟକ ରଚନା କରିଥିବା ପ୍ରଫେସର ରଥ ନିଜର ସାହିତ୍ୟିକ କୃତି ଲାଗି ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସେଥିମଧ୍ୟରୁ ଉଲ୍ଲେଖ ଦାବିକରେ। ନାଟକ ରଚନା ସହ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ ପାରଦର୍ଶିତା ଥିଲା। ସେ ଜଣେ ଜାତୀୟସ୍ତରରେ ସ୍ୱୀକୃତ ନାଟ୍ୟ ସଙ୍ଗଠକ ଥିଲେ। ତାଙ୍କର ପରିଚାଳନାରେ ୧୯୯୩ ମସିହାଠାରୁ କଟକରେ ଇଣ୍ଡିଆ ଥିଏଟର ଅଲମ୍ପିଆଡ ଅନୁଷ୍ଠିତ ହୋଇ ଆସୁଥିଲା। ଏଥିରେ ଦେଶ-ବିଦେଶର ଜଣାଶୁଣା ନାଟ୍ୟ-ଅନୁଷ୍ଠାନ ଯୋଗଦାନ କରୁଥିଲେ।
ପ୍ରଫେସର ରଥ ବୃତ୍ତିରେ ଅଧ୍ୟାପକ ଥିଲେ। ୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁରଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ରଥ। କଟକ ଶେଖବଜାରସ୍ଥିତ ବାସଭବନରେ ତାଙ୍କର ମରଶରୀରକୁ ଶେଷ ଦର୍ଶନ ଲାଗି ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/kartik-1.jpg)