୧୯ ପର୍ଯ୍ୟନ୍ତ ବଢ଼ିଲା ଫର୍ମ ପୂରଣ ଅବଧି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର :ଯୁକ୍ତ୨ରୁ ୩୭ ହଜାର ଛାତ୍ରଛାତ୍ରୀ ଉଭାନ। ଅବିଶ୍ୱାସ୍ୟ ଲାଗୁଥିଲେ ବି ଏଭଳି ତଥ୍ୟ ଏବେ ପଦାକୁ ଆସିଛି। ୨୦୧୬-୧୭ ଶିକ୍ଷାବର୍ଷରେ ଯୁକ୍ତ୨ ପାଠ୍ୟକ୍ରମରେ ଯେତିକି ପିଲା ନାମ ଲେଖାଇଥିଲେ ପରୀକ୍ଷା ଦେଲା ବେଳକୁ ସେତିକି ନାହାନ୍ତି। ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଦେଖାମିଳୁନି। ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ କୁଆଡ଼େ ଗଲେ ତାହାକୁ ନେଇ ଚିନ୍ତାରେ ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ନୂତନ ସିଲାବସ୍ ଅନୁଯାୟୀ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବାକୁ ଥିବା ବେଳେ ୩୭ ହଜାର ପିଲା ଉଭାନ ହେବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ଲଗାତାର ୩ ବର୍ଷ ହେଲା ଏଭଳି ସମସ୍ୟା ଦେଖାଦେଉଥିବାରୁ ଶିକ୍ଷାବିତ୍ମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
୨୦୧୬-୧୭ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏଥର ନୂତନ ସିଲାବସ୍ ଅନୁଯାୟୀ ପରୀକ୍ଷା ଦେବେ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ପିଲାଙ୍କ ସଂଖ୍ୟାକୁ ନେଇ ପରିଷଦ ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି। ୩,୪୩,୪୧୧ ଜଣ ପିଲା ୨୦୧୬-୧୭ ଶିକ୍ଷାବର୍ଷରେ ନାମ ଲେଖାଇଥିବା ବେଳେ ୩,୦୬,୩୯୪ ଛାତ୍ରଛାତ୍ରୀ ଏବେ ସୁଦ୍ଧା ଫର୍ମ ପୂରଣ କରିଛନ୍ତି। ଫର୍ମ ପୂରଣ ଲାଗି ୩ଟି ତାରିଖ ଦିଆଯାଇଥିଲା। କଲେଜରେ ନାମଲେଖା ପରେ ଛାତ୍ରଛାତ୍ରୀ କାହିଁକି ଅଧାରୁ ପାଠ ଛାଡ଼ୁଛନ୍ତି ତାହା ବି ଏବେ ଅନେକଙ୍କୁ ବିସ୍ମିତ କରିଛି।
ଗତ ୩ ବର୍ଷର ତଥ୍ୟକୁ ଦେଖିଲେ ଯୁକ୍ତ୨ରେ ପିଲାଙ୍କ ନାମଲେଖା ସଂଖ୍ୟା ବି ଧୀରେ ଧୀରେ କମିବାରେ ଲାଗିଛି। ୨୦୧୪-୧୫ ଶିକ୍ଷାବର୍ଷରେ ୩,୫୫,୯୮୦ ଜଣ ପିଲା ନାମ ଲେଖାଇଥିଲେ। ସେମାନଙ୍କ ମଧ୍ୟରୁ ପରୀକ୍ଷା ଦେବା ଲାଗି ୩,୦୭,୯୧୪ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ୪୭,୬୬୬ ଛାତ୍ରଛାତ୍ରୀଙ୍କ ଦେଖା ମିଳି ନ ଥିଲା। ୨୦୧୫-୧୬ରେ ୩,୭୫,୬୪୬ ଜଣ ପିଲା ନାମ ଲେଖାଇ ଥିବାବେଳେ ସେଥିରୁ ୩,୨୨,୭୪୪ ଜଣ ଛାତ୍ରଛାତ୍ରୀ ୨୦୧୭ରେ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିଲେ। ୫୨,୯୦୨ ଜଣ ପିଲା ଯୁକ୍ତ୨ ପରୀକ୍ଷା ଦେଇ ନ ଥିଲେ। ୨୦୧୫ ପରୀକ୍ଷା ବେଳେ ୩୬ ହଜାର, ୨୦୧୪ରେ ୨୯ ହଜାର ଛାତ୍ରଛାତ୍ରୀଙ୍କ ଦେଖା ମିଳି ନ ଥିଲା।
୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ୩୦ ହଜାର କମ୍ ପିଲା ଯୁକ୍ତ୨ରେ ନାମ ଲେଖାଇଥିଲେ। ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ୩,୦୬,୩୯୪ ଜଣ ଛାତ୍ରଛାତ୍ରୀ ୨୦୧୮ରେ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଛନ୍ତି। ୩୭,୦୧୭ ଜଣ ପିଲାଙ୍କର ଦେଖା ନାହିଁ। ଏହି ପିଲାଙ୍କ ମଧ୍ୟରେ କଳା ବିଭାଗର ଅଧିକାଂଶ ଛାତ୍ରଛାତ୍ରୀ ରହିଛନ୍ତି। କଳା ବିଭାଗ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଦୁଇ ଲକ୍ଷ ଛୁଇଁ ପାରିନାହିଁ। କଳାରେ ୨,୨୩,୫୬୮ ପିଲା ନାମ ଲେଖାଇଥିବା ବେଳେ ୧,୯୫,୧୯୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ୨୪,୧୬୬ ଛାତ୍ରଛାତ୍ରୀଙ୍କ ଦେଖା ମିଳୁନି। ବିଜ୍ଞାନ ବିଭାଗରେ ନାମ ଲେଖାଇଥିବା ୯୨,୧୭୮ ଜଣ ପିଲାଙ୍କ ମଧ୍ୟରୁ ୮୭,୦୩୩ ଜଣ ଫର୍ମ ପୂରଣ କରିଛନ୍ତି। ବାଣିଜ୍ୟରେ ୨୭,୬୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪,୧୬୬ ଜଣ ଫର୍ମ ପୂରଣ କରିଛନ୍ତି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ଛାଟୋଇଙ୍କ କହିବାନୁଯାୟୀ, ଗତ କିଛି ବର୍ଷ ହେଲା ଏଭଳି ସମସ୍ୟା ହେଉଛି। ଯେତିକି ପିଲା ନାମ ଲେଖାଇଥାନ୍ତି ସେତିକି ପିଲା ପରୀକ୍ଷା ଦେଇ ନ ଥାନ୍ତି। ପ୍ରଥମ ବର୍ଷ ପରୀକ୍ଷା ଏବଂ ଦ୍ୱିତୀୟ ବର୍ଷରେ ଟେଷ୍ଟ ପରୀକ୍ଷା ଦେଇ ନ ପାରି କିଛି ପିଲା ଫର୍ମ ପୂୂରଣ କରିପାରନ୍ତି ନାହିଁ। ନାମଲେଖା ପରେ ବି ପିଲା ଅନ୍ୟ ପାଠ୍ୟକ୍ରମକୁ ପଳାଇ ଯାଇଥାନ୍ତି। ଅଧାରୁ ବି ପାଠ ଛାଡ଼ୁଥିବା ପିଲା ରହିଛନ୍ତି। ପରିବାରର ଅର୍ଥିକ ଅବସ୍ଥା ଭଲ ନ ଥିବାରୁ କେତେକ ପିଲା ଫର୍ମ ପୂରଣ କରିପାରି ନ ଥାନ୍ତି। ଯେଉଁଥିପାଇଁ ପିଲାଙ୍କ ସଂଖ୍ୟା କମିଥାଏ।
ପିଲାଙ୍କ ସଂଖ୍ୟା କମିଥିବାରୁ ପରିଷଦ ପକ୍ଷରୁ ଫର୍ମ ପୂରଣ ଲାଗି ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି। ଗତ ୧୬ ତାରିଖଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଲାଗି ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ୧୮ରୁ ୨୦ ତାରିଖ ମଧ୍ୟରେ ଫି’ ଦାଖଲ କରିବେ। କଲେଜ କର୍ତୃପକ୍ଷ ୨୮ ତାରିଖ ସୁଦ୍ଧା ଜୋନ୍ ଅଫିସରରେ ଡକ୍ୟୁମେଣ୍ଟ ଦାଖଲ କରିବାକୁ କୁହାଯାଇଛି। ଏହାଦ୍ୱାରା ଆଉ କିଛି ପିଲା ଫର୍ମର୍ ପୂରଣ କରିବାର ସୁଯୋଗ ପାଇବେ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।