ପାଇଖାନା ନଥାଇ ପୁରସ୍କାର

ନିର୍ମଳ ଗ୍ରାମ ପଞ୍ଚାୟତର ଅସଲ ଚିତ୍ର

ଦଶରଥପୁର : ପ୍ରତିଘରେ ଶୌଚାଳୟ ନାହିଁ। ଯାହା ବି ଅଛି ନଗଣ୍ୟ। ୧୦ ଭାଗରୁ ଭାଗେ ଘରେ ରହିଛି ଶୌଚାଳୟ। ଅର୍ଥାତ୍‌ ୨୩୬୮ ମଧ୍ୟରୁ ମାତ୍ର ୨୧୪ ପରିବାରରେ ଶୌଚାଳୟ ଅଛି। ୨୧୫୭ ପରିବାରରେ ଶୌଚାଳୟ ନାହିଁ। ଅଥଚ ୨୦୧୦ ମସିହାରେ ଯେଉଁ ରିପୋର୍ଟ ଦିଆଯାଇଛି ସେଥିରେ ପ୍ରତି ଘରେ ପାଇଖାନା ଅଛି ବୋଲି ଦର୍ଶାଯାଇଛି। ଏମିତି ଭୁଲ୍‌ ତଥ୍ୟ ଦେଇ ଦଶରଥପୁର ବ୍ଲକର ଅସନଝର ପଞ୍ଚାୟତ ହାତେଇଛି ନିର୍ମଳ ଗ୍ରାମ ପଞ୍ଚାୟତ ପୁରସ୍କାର। ଯେଉଁ ବିଭାଗର ରିପୋର୍ଟ ଆଧାରରେ ପୁରସ୍କାର ମିଳିଥିଲା, ସେହି ବିଭାଗ ପୁଣି ଗୋହି ଖୋଳିଛି। ଏଭଳି ସାଂଘାତିକ ଘଟଣା ସଂପର୍କରେ ଜଣାପଡ଼ିବା ପରେ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ମିଳିଥିବା ତଥ୍ୟ ଅନୁଯାୟୀ, ଅସନଝର ପଞ୍ଚାୟତରେ ମୋଟ ୧୨୪୬ ପରିବାର ବସବାସ କରୁଛନ୍ତି। ଏହି ସମସ୍ତ ପରିବାରକୁ ୨୦୧୦ ମସିହା ସୁଦ୍ଧା ନିର୍ମଳ ଗ୍ରାମ ପଞ୍ଚାୟତ ଯୋଜନାରେ ସାମିଲ କରାଯାଇ ଶୌଚାଳୟ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥିଲା। ପଞ୍ଚାୟତର ସମସ୍ତ ପରିବାରରେ ଶୌଚାଳୟ ଥିବାରୁ ଯାଜପୁର ଜିଲ୍ଲାରେ ଦଶରଥପୁର ବ୍ଲକ୍‌ର ଅସନପୁର ପଞ୍ଚାୟତ ଶ୍ରେଷ୍ଠ ବିବେଚିତ ହୋଇଛି। ଏଥିପାଇଁ କେନ୍ଦ୍ରରେ ଥିବା ତତ୍କାଳୀନ ୟୁପିଏ ସରକାର ୨୦୧୦-୧୧ ଆର୍ଥିକ ବର୍ଷରେ ଅସନଝର ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ ହିସାବରେ ନିର୍ମଳ ଗ୍ରାମ ପଞ୍ଚାୟତ ପୁରସ୍କାର ଦେଇଥିଲା। ଅସନପୁର ପଞ୍ଚାୟତର ତତ୍କାଳୀନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ଦିବାକର ସାମଲ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ମାତ୍ର ଏବେ ଏହା ମିଛ ବୋଲି ଖୋଦ୍‌ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପ୍ରମାଣିତ କରିଛି।

୨୦୧୨ ମସିହା ବିଭାଗୀୟ ସର୍ଭେ ରିପୋର୍ଟ ଅନୁଯାୟୀ, ପଞ୍ଚାୟତର ମୋଟ ୨୩୬୮ ପରିବାର ମଧ୍ୟରୁ ମାତ୍ର ୨୧୪ ପରିବାରରେ ଶୌଚାଳୟ ରହିଛି। ୨୧୫୭ ପରିବାରରେ ଶୌଚଳୟ ନାହିଁ। ୨୦୪ ଦଳିତ ପରିବାର ମଧ୍ୟରୁ ୩୧ ଜଣକର ଶୌଚାଳୟ ଥିବାବେଳେ ଅନୁସୂଚିତ ଜନଜାତିର ୨୪ ପରିବାର ମଧ୍ୟରୁ କାହାରି ଘରେ ଶୌଚାଳୟ ନାହିଁ। ବିପିଏଲ ୧୨୪ ପରିବାରରୁ ୩୧ ଜଣକର ଶୌଚାଳୟ ଥିବାବେଳେ ଦଳିତ ବିପିଏଲ ୭୧ ପରିବାର ମଧ୍ୟରୁ ୧୯ ଜଣକର ଶୌଚାଳୟ ରହିଛି। ସେହିପରି ଏପିଏଲ ପରିବାର ୧୧୨୨ ପରିବାର ମଧ୍ୟରୁ ୯୦ ଜଣଙ୍କର ଶୌଚାଳୟ ଥିବା ବେଳେ ଏପିଏଲ ଦଳିତ ୧୩୩ ପରିବାରରୁ ୧୨ ଜଣଙ୍କ ଘରେ ଶୌଚାଳୟ ରହିଛି। ଅନ୍ୟାନ୍ୟ ବର୍ଗର ୩୧ ପରିବାରର ଶୌଚାଳୟ ଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ପ୍ରଶ୍ନ ଉଠୁଛି ଯେଉଁ ବିଭାଗ ସର୍ବାଧିକ ଶୌଚାଳୟ ଥିବା ଦର୍ଶାଇ ରିପୋର୍ଟ ଦେଇଥିଲା ଏବଂ ସେହି ରିପୋର୍ଟ ଆଧାରରେ ପୁରସ୍କାର ପାଇଁ ସରକାରଙ୍କୁ ସୁପାରିସ୍‌ କରାଯାଇଥିଲା। ପୁରସ୍କାର ବି ମିଳିଥିଲା। ସେହି ବିଭାଗ ପୁଣି ମାତ୍ର ଦୁଇବର୍ଷ ପରେ କେମିତି ସର୍ଭେ କଲା ଓ ସର୍ଭେ ରିପୋର୍ଟରେ ପ୍ରକୃତ ସ୍ଥିତି ଦର୍ଶାଇଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ସମ୍ବନ୍ଧିତ ଖବର