ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବ୍ରହ୍ମପୁର: ୪୦ ଲକ୍ଷ ହିତାଧିକାରୀ କାଳିଆ ଯୋଜନାରୁ ଆର୍ଥିକ ସହାୟତା ପାଇ ସାରିଛନ୍ତି। ବାକି ୨୧ ଲକ୍ଷ ହିତାଧିକାରୀଙ୍କ ସହାୟତା ରାଶିକୁ ଚକ୍ରାନ୍ତ କରି ଅଟକା ଯାଇଛି। ସମ୍ପୃକ୍ତ ହିତାଧିକାରୀମାନେ ଭୋଟ୍‌ ଦେବା ବେଳେ ତା’ର ଉଚିତ ଜବାବ ଦେବେ। ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ। ଶୁକ୍ରବାର ଦିନ ପାଟପୁର ଠାରୁ ସାନପାରଳାଖେମୁଣ୍ଡି ଯାଏଁ ନିର୍ବାଚନ ପ୍ରଚାର ରୋଡ୍‌ ସୋ’ରେ ଏ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି କହିଛନ୍ତି କି ଫାଇଲିନ୍‌ ଓ ହୁଡୁହୁଡୁ ଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ପରେ କୌଣସି କେନ୍ଦ୍ରୀୟ ନେତା ରାଜ୍ୟକୁ ଆସିଲେ ନାହିଁ, କିନ୍ତୁ ଏବେ ଭୋଟ୍‌ ମାଗିବାକୁ ଆସୁଛନ୍ତି।

ଆଜି ସକାଳେ ପାଟପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରି ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ବସ୍‌ରେ ବସି ପାଟପୁର ଗାନ୍ଧୀଛକରୁ ରୋଡ୍‌ ସୋ’ ଆରମ୍ଭ କରି ଭୋଟର୍‌ମାନଙ୍କ ଆଶୀର୍ବାଦ କାମନା କରି କହିଥିଲେ: ଆପଣମାନେ ମୋତେ ଆଶୀର୍ବାଦ ଦିଅନ୍ତୁ।

ଏହି ରୋଡ୍‌ ସୋ’ରେ ସ୍ଥାନୀୟ ବିଧାୟକ ଓ ସାଂସଦ ଏବଂ ବହୁ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।

ଏହା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଶେରଗଡ଼-ହିଞ୍ଜିଳି ଗସ୍ତ କରି ନିଜ ପାଇଁ ପ୍ରଚାର କରିବେ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ନିମନ୍ତେ ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ନିର୍ବାଚନ ପ୍ରଚାର ଅଭିଯାନ।

ସମ୍ବନ୍ଧିତ ଖବର