ସବୁଜ ସଙ୍କେତ ନ ମିଳିବା ପର୍ଯ୍ୟନ୍ତ ହଟ୍‌ସ୍ପଟ ଜୋନ୍‌ ମଧ୍ୟରେ ରହୁଥିବା ଘର ଭିତରୁ ପଦାକୁ ବାହାରି ପାରିବେନି ଲୋକେ: ସୁବ୍ରତ ବାଗଚୀ

ଭୁବନେଶ୍ୱର: କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସମଗ୍ର ବିଶ୍ୱର ୨୦୮ଟି ରାଷ୍ଟ୍ରକୁ ସଂକ୍ରମିତ କରିଥିବା ବେଳେ ଭାରତର ସ୍ଥାନ ୨୮ ତମ ସ୍ଥାନରେ ରହିଛି ଓ ଭାରତର କରୋନା ସଂକ୍ରମିତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ୧୯ରେ ରହିଛି। ତେଣୁ, ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କର କୋଭିଡ୍‌-୧୯ ପାଇଁ ନିଯୁକ୍ତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ପରିସ୍ଥିତିର ଗୁରୁତ୍ୱକୁ ଦେଖି ରାଜ୍ୟରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସରକାର କରୋନାକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ରଣନୀତି ଆପଣାଇଛନ୍ତି। ଏ ସଂପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କର କୋଭିଡ୍‌-୧୯ ପାଇଁ ନିଯୁକ୍ତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ରାଜ୍ୟର ଯେଉଁ ଅଞ୍ଚଳରୁ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେ ଅଞ୍ଚଳକୁ ରାଜ୍ୟ ସରକାର ହଟ୍‌ସ୍ପଟ ବା କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରୁଛନ୍ତି। ଅର୍ଥାତ୍‌ ଏହି ଅଞ୍ଚଳରେ ସଂକ୍ରମଣ ଅତ୍ୟଧିକ ରହିଛି। ସେଥିପାଇଁ ସଂପୃକ୍ତ ଅଞ୍ଚଳରେ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଛି। ତେଣୁ, ହଟ୍‌ସ୍ପଟ ବା କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା ହେଉଥିବା ଅଞ୍ଚଳ ମଧ୍ୟରେ ରହୁଥିବା ଘରଗୁଡ଼ିକରୁ କେହି ପଦାକୁ ବାହାରି ପାରିବେ ନାହିଁ କିମ୍ବା ବାହାରର କୌଣସି ବି ବ୍ୟକ୍ତି ସେହି ଅଞ୍ଚଳ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ସରକାରଙ୍କ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଲୋକମାନଙ୍କ ଘର ସମ୍ମୁଖରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ଏଥିସହ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳରେ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଆକ୍ଟିଭ ସର୍ଭେଲାନ୍ସ କରାଯିବ। ଅର୍ଥାତ୍‌ ଘରକୁ ଘର ପ୍ରତି ଘର ବୁଲି ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କର୍ମୀମାନେ ହଟ୍‌ସ୍ପଟ ବା କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟରେ ରହୁିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ଏଥିସହ ସଂପୃକ୍ତ ଅଞ୍ଚଳକୁ ସଂକ୍ରମଣ ମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଶୋଧନ ପ୍ରକ୍ରିୟା ଜାରି ରହିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିବା ପର୍ଯ୍ୟନ୍ତ ହଟ୍‌ସ୍ପଟ ବା କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା ଅଞ୍ଚଳରେ ଏହି ନିୟମ ବଳବତ୍ତର ରହିବା ସହ ଏହି କାର୍ଯ୍ୟ ଚାଲୁ ରହିବ।

ଶ୍ରୀ ବାଗଚୀ କହିଛନ୍ତି ଯେ ହଟ୍‌ସ୍ପଟ ବା କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରା ଯାଇଥିବା ଅଞ୍ଚଳରେ କେତେ ସମୟ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ, ତାହା କୁହାଯାଇ ପାରିବ ନାହିଁ। ତେବେ, ସଂପୃକ୍ତ ଅଞ୍ଚଳରେ ପରିସ୍ଥିତି ଆଶଙ୍କିତ ରହିଥିବାରୁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ହୃଦୟଙ୍ଗମ କରି ସଂପୃକ୍ତ ଅଞ୍ଚଳବାସୀ ଅନୁଶାସନର ସହ ନିୟମ ପାଳନ ପୂର୍ବକ ସମ୍ବେଦନଶୀଳ ଆଚରଣ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧିତ ଖବର