ବେଆଇନ ପାର୍କିଂ ଫି’ ଆଦାୟ ଉପରେ ଲାଗିଲା ରୋକ୍‌: ସପିଂ ମଲ୍‌ ଆଦାୟ କରିପାରିବେନି ପାର୍କିଂ ଫି’

ନିୟମ ଉଲ୍ଲଂଘନକାରୀଙ୍କୁ ୩୦ ଦିନର ମହଲତ, ମଲ୍ଟିପ୍ଲେକ୍ସ, ହସ୍ପିଟାଲ, ଆପାର୍ଟମେଣ୍ଟ, ଆବାସିକ ଗୃହ ବି ଲାଗୁ

ଭୁବ‌ନେଶ୍ବର : ସପିଂ ମଲ ଆଦାୟ କରିପାରିବେନି ପାର୍କିଂ ଫି’। କେବଳ ସପିଂ ମଲ୍‌ ନୁହେଁ, ରାଜଧାନୀରେ ଥିବା କୌଣସି ବି ବ୍ୟାବସାୟିକ ପ୍ରତିଷ୍ଠାନ, ମଲ୍ଟିପ୍ଲେକ୍ସସ୍‌, ହସ୍ପିଟାଲ, ଆପାର୍ଟମେଣ୍ଟ ଓ ଆବାସିକ ବା‌ସଗୃହ ପ୍ରକଳ୍ପଗୁଡ଼ିକ ସେମାନଙ୍କ ପରିସୀମା ମଧ୍ୟରେ ପାର୍କିଂ ଫି’ ‌ନେଇପାରିବେନି। କେହି ଯଦି ଏଭଳି କରନ୍ତି ତେବେ ତାହାକୁ ବେଆଇନ ବୋଲି ଧରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ(ବିଡିଏ) ପକ୍ଷରୁ ଆଜି କଡ଼ା ନିର୍ଦେଶ ଦିଆଯାଇଛି।

ପାର୍କିଂ ନାଁରେ ସପିଂ ମଲ୍‌, ଆପାର୍ଟମେଣ୍ଟ, ମଲଟିପ୍ଲେକ୍ସ, ବ୍ୟାବସାୟିକ ପ୍ରତିଷ୍ଠାନ‌ରେ ପାର୍କିଂ ସେବା ମାଗଣାରେ ଯୋଗାଇବା ପାଇଁ ନିୟମ ଥିଲେ ହେଁ ବିଡିଏ ଓ ବିଭିନ୍ନ ସଂସ୍ଥାର କର୍ତୃପକ୍ଷଙ୍କ ମନମାନି ଯୋଗୁ ଲାଗୁ ହୋଇପାରୁ ନଥିଲା। ଏପରିକି ଅନେକ ଲୋକଙ୍କୁ ମାଗଣା ପାର୍କିଂ ସେବା ଯୋଗାଇବାକୁ ସେମାନେ ବାଧ୍ୟ ଥିଲେ। ଏନେଇ ‘ସମ୍ବାଦ’ ପକ୍ଷରୁ ଲଗାତାର ଖବର ପ୍ରକାଶ ପରେ ବିଡିଏ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିଛି। ଫଳରେ ‘ସମ୍ବାଦ’ ପ୍ରୟାସରେ ରାଜଧାନୀବାସୀଙ୍କୁ ପାର୍କିଂ ଫି’ ଜନିତ ଯନ୍ତ୍ରଣାରୁ ଆଶ୍ବସ୍ତି ମିଳିଛି।

ବିଡିଏ ନଜରକୁ ଆସିଛି ଯେ ସହରରେ ଥିବା କେତେକ ସପିଂ ମଲ, ମଲ୍ଟିପ୍ଲେସ ଓ ଆପାର୍ଟମେଣ୍ଟ ପାର୍କିଂ ଫି’ ଆଦାୟ କରୁଛନ୍ତି। ଯାହାକି ବିଡିଏ ନିୟମର ଉଲ୍ଲଂଘନ କରୁଛି। ବିଲଡିଂ ପ୍ଲାନ ମଞ୍ଜୁର ବେଳେ ସେମାନଙ୍କୁ ସେଭଳି କିଛି ଅନୁମତି ଦିଆଯାଇ ନଥାଏ। ତେଣୁ ଗ୍ରାହକଙ୍କଠାରୁ ଆଦାୟ କରାଯାଉଥିବା ବେଆଇନ ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବା ଲାଗି ବିଡିଏ ପକ୍ଷରୁ ଏହି ସଂସ୍ଥା ଓ ମାଲିକମାନଙ୍କୁ ନିର୍ଦେଶ ଦିଆଯାଇଛି।

ଏହା ମଧ୍ୟ ବିଡିଏ ନଜରକୁ ଆସିଛି ଯେ ବିଲଡିଂ ପ୍ଲାନ ମଞ୍ଜୁରି ବେଳେ ପାର୍କିଂ ପାଇଁ ଯେଉଁ ସ୍ଥାନ ଚିହ୍ନଟ କରାଯାଇଥାଏ ତାହାକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ପାର୍କିଂ ସ୍ଥାନର ଏଭଳି ଅପବ୍ୟବହାର ଯୋଗୁଁ ବାହାରେ ତଥା ରାସ୍ତା ଉପରେ ଅଧିକ ଗାଡ଼ି ପାର୍କିଂ ହେଉଛି। ଯେଉଁଥିପାଇଁ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ବିଡିଏ(ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡସ)-୨୦୧୮ରେ ବାଣିଜ୍ୟିକ କୋଠା ପାଇଁ ଅଫ୍‌-ଷ୍ଟ୍ରିଟ୍‌ ପାର୍କିଂକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମର ଧାରା ୩୭ର ଉପଧାରା ୭ରେ ଉଲ୍ଲେଖ ହୋଇଛି ଯେ ପାର୍କିଂ ସ୍ଥାନର ଅପବ୍ୟବହାରକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ କିମ୍ବା ତାହାକୁ କର୍ତୃପକ୍ଷ ଭାଙ୍ଗିପାରିବେ। ତେଣୁ ବିଲଡିଂ ପ୍ଲାନ୍‌ରେ ମଞ୍ଜୁର ହୋଇଥିବା ବାଧ୍ୟତାମୂଳକ ଅଫ୍‌-ଷ୍ଟ୍ରିଟ୍‌ ପାର୍କିଂ ନିୟମକୁ ପାଳନ କରିବା ଲାଗି ସମସ୍ତ ସମ୍ପତ୍ତି ମାଲିକମାନଙ୍କୁ ନିର୍ଦେଶ ଦିଆଯାଇଛି।

ବିଲଡିଂ ପ୍ଲାନରେ ଅନୁମୋଦିତ ପାର୍କିଂ ନିୟମରେ ଯଦି କିଛି ବିଚ୍ୟୁତି ହୋଇଥାଏ କିମ୍ବା ଉଲ୍ଲଂଘନ ହୋଇଥାଏ ତେବେ ନୋଟିସ୍‌ ଜାରି ହେବାର ୩୦ ଦିନ ମଧ୍ୟରେ ତାହାକୁ ପୁନଃବାର କାର୍ଯ୍ୟକାରୀ କରିବା ଲାଗି ମାଲିକମାନଙ୍କୁ କୁହାଯାଇଛି। ବିଡିଏର ନିୟମ ଅନୁଯାୟୀ ବିଭିନ୍ନ ପ୍ରକାର ସଂସ୍ଥା ଯଥା ବ୍ୟାବସାୟିକ କୋଠା, ସପିଂ ମଲ, ମଲଟିପ୍ଲେକ୍ସ, ହସ୍ପିଟାଲ, ଆପାର୍ଟମେଣ୍ଟ ଓ ଆବାସିକ ବାସଗୃହ ପ୍ରକଳ୍ପ ଇତ୍ୟାଦିକୁ ବିଡିଏ ନିୟମ ଅନୁଯାୟୀ ବାଧ୍ୟତାମୂଳକ ଅଫ୍‌-ଷ୍ଟ୍ରିଟ୍‌ ପାର୍କିଂ ବ୍ୟବସ୍ଥା କରିବାକୁ ହେବ। ଏହି ନିର୍ଦେଶକୁ ତତ୍‌କାଳ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି।

ରାଜଧାନୀରେ ସପିଂ ମଲ୍‌ ନିର୍ମାଣ ସମୟରେ ବିଡିଏରେ ଯେତେବେଳେ ପ୍ଲାନ୍ ପାଇଁ ସଂସ୍ଥା/ ବ୍ୟକ୍ତିଙ୍କ ପକ୍ଷରୁ ଆବେଦନ କରାଯାଉଛି ସେଥିରେ ପାର୍କିଂ ପାଇଁ ମୋଟ୍‌ ନିର୍ମାଣର ୫୦% ଜାଗା ଛାଡ଼ିବାକୁ କୁହାଯାଉଛି। ଅର୍ଥାତ୍ ଯେତିକି ଅଞ୍ଚଳରେ ମଲ୍‌ ଖୋଲିବ ତା’ର ଅଧା ଅଞ୍ଚଳରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ରହିବ। ବ୍ୟବସାୟିକ ପ୍ରତିଷ୍ଠାନକୁ ସାଧାରଣ ଲୋକ ଆସିବାକୁ ଥିବାରୁ ସେମାନଙ୍କୁ ସେବା ଯୋଗାଇବା ପାଇଁ ଏବଂ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଏହାକୁ କରାଯାଇଛି। ତେଣୁ ବିଡିଏ ଉକ୍ତ କୋଠା ନିର୍ମାଣର ଫ୍ଲୋର୍ ଏରିଆ ରେସିଓ (ଏଫ୍‌ଏଆର୍‌) ପାଇଁ ଯେଉଁ ଦେୟ ନିଏ ସେଥିରେ ପାର୍କିଂ ପାଇଁ ନିର୍ମାଣ ହୋଇଥିବା ଅଞ୍ଚଳର ଏଫ୍‌ଏଆର୍‌ ବାବଦକୁ ଫି’ ନିଏ ନାହିଁ। ଏପରିକି ଏହା ଅତିରିକ୍ତ ଏଫ୍‌ଏଆର୍‌ ହିସାବରେ ଗଣତି ହୁଏ।

ସେହିପରି ରାଜଧାନୀରେ ଆପାର୍ଟମେଣ୍ଟ ନିର୍ମାଣ ସମୟରେ ବିଡିଏରେ ଯେତେବେଳେ ପ୍ଲାନ୍ ପାଇଁ ସଂସ୍ଥା/ବ୍ୟକ୍ତିଙ୍କ ପକ୍ଷରୁ ଆବେଦନ କରାଯାଉଛି ସେଥିରେ ପାର୍କିଂ ପାଇଁ ମୋଟ୍‌ ନିର୍ମାଣର ୩୦% ଜାଗା ଛାଡ଼ିବାକୁ କୁହାଯାଉଛି। ଅର୍ଥାତ୍ ଯେତିକି ଅଞ୍ଚଳରେ ଏହି ପ୍ରକଳ୍ପ ନିର୍ମାଣ ହେବ ତା’ର ୩୦% ଅଞ୍ଚଳ ଖୋଲା ଛଡ଼ାଯିବ। ଏଥିରେ ପାର୍କିଂ ଅଞ୍ଚଳ ରହିବ। ରହିବାକୁ ଥିବା ଲୋକଙ୍କ ଗାଡ଼ି ପାର୍କିଂ ଏବଂ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଏହାକୁ କରାଯାଇଛି। ତେଣୁ ବିଡିଏ ଉକ୍ତ କୋଠା ନିର୍ମାଣର ଫ୍ଲୋର୍ ଏରିଆ ରେସିଓ (ଏଫ୍‌ଏଆର୍‌) ପାଇଁ ଯେଉଁ ଦେୟ ନିଏ ସେଥିରେ ପାର୍କିଂ ପାଇଁ ନିର୍ମାଣ ହୋଇଥିବା ଅଞ୍ଚଳର ଏଫ୍‌ଏଆର୍‌ ବାବଦକୁ ଫି’ ନିଏ ନାହିଁ। ଏପରିକି ଏହା ଅତିରିକ୍ତ ଏଫ୍‌ଏଆର୍‌ ହିସାବରେ ଗଣତି ହୁଏ। ଏଫ୍‌ଏଆର୍‌ ହିସାବରୁ ବାଦ୍‌ ପଡ଼ିଥିବା ପାର୍କିଂ ସ୍ଥାନ ପାଇଁ ଯେଉଁ ଡେଭଲପରମାନେ ବେଆଇନ ପାର୍କିଂ ଫି’ ଆଦାୟ କରୁଛନ୍ତି ବିଡିଏ ପକ୍ଷରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର