ରାଉରକେଲା : ସେଲ୍ ପରିଚାଳନାଧୀନ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ (ଆଇଜିଏଚ୍)କୁ ସୁପର୍ ସ୍ପେଶାଲିଟି ହସ୍ପିଟାଲ୍ ଓ ମେଡ଼ିକାଲ୍ କଲେଜରେ ରୂପାନ୍ତରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଢ଼େ ୩ ବର୍ଷ ତଳେ ରାଉରକେଲା ଠାରେ ଆନୁଷ୍ଠାନିକ ଘୋଷଣା କରିଥିଲେ। ଏହାକୁ ନେଇ ରାଉରକେଲା ଠାରୁ ଦିଲ୍ଲୀ ଯାଏ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଥିଲା। ପ୍ରକୃତରେ ଏମ୍ସିଆଇ କି ସେଲ୍ ପାଖରେ ଏସମ୍ପର୍କିତ କୌଣସି ପ୍ରସ୍ତାବ ନାହିଁ। ବାଦବିବାଦର ସାଢ଼େ ୩ ବର୍ଷ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବଲାଙ୍ଗୀରର ଜଣେ ସୂଚନା ଅଧିକାରକର୍ମୀ ହେମନ୍ତ କୁମାର ପଣ୍ଡା।
ଆଜି ସେକ୍ଟର-୪ସ୍ଥିତ ପୂର୍ତ୍ତ ଡାକବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ଆର୍ଟିଆଇରେ ମିଳିଥିବା ତଥ୍ୟକୁ ଉପସ୍ଥାପିତ କରିବା ସହ ଆଶା ଓ ଆବେଗର ପ୍ରକଳ୍ପକୁ ନେଇ ରାଉରକେଲାବାସୀଙ୍କୁ ମୋଦୀ ଭୁଆଁ ବୁଲାଇଛନ୍ତି ବୋଲି କହିଛନ୍ତି। ତେବେ ଏଭଳି ପ୍ରତାରଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଯୁବ ଜାଗୃତି ମଞ୍ଚର ଆବାହକ ଗୋପାଳ ଜେନା ଓ ମୁକ୍ତିକାନ୍ତ ବିଶ୍ବାଳ ପ୍ରକାଶ କରିଛନ୍ତି। ଏହି କ୍ରମରେ ଶ୍ରୀ ବିଶ୍ବାଳ ଓ ଶ୍ରୀ ଜେନା ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଇଜିଏଚ୍କୁ ସୁପର୍ ସ୍ପେଶାଲିଟି ହସ୍ପିଟାଲ୍ ଓ ମେଡ଼ିକାଲ୍ କଲେଜରେ ରୂପାନ୍ତରିତ କରିବାକୁ ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଓ ସରକାର ଗଠନ ପରେ ୨୦୧୫ ପହିଲାରେ ରାଉରକେଲା ଆସି ଏଠାରେ ଆୟୋଜିତ ସାଧରଣ ସଭାରେ ଘୋଷଣା କରିଥିଲେ। ଏପରିକି ନିକଟରେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍ଘାଟନ କରିବାକୁ ଆସି ସାଧାରଣସଭାରେ ଆଇଜିଏଚ୍ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ରୂପାନ୍ତର କାର୍ଯ୍ୟ ପାଇଁ ୫୭୦ କୋଟି ମଞ୍ଜୁର କରାଯାଇଥିବା ଘୋଷଣା କରିଥିଲେ। ପ୍ରସଙ୍ଗରେ ମୁକ୍ତିକାନ୍ତଙ୍କ ପଦଯାତ୍ରା ପର ଘଟଣାକ୍ରମରେ ବିଚଳିତ ସୂଚନା କର୍ମୀ ଶ୍ରୀ ପଣ୍ଡା ଏମ୍ସିଅାଇ ଓ ସେଲ୍କୁ ୨୫.୭ ୨୦୧୮ରେ ସୂଚନା ମାଗିଥିଲେ। ଗତ ସେପ୍ଟେମ୍ବର ୧୧ରେ ଉଭୟ ଏମ୍ସିଆଇ ଓ ସେଲ୍ ଆଇଜିଏଚ୍କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ କଲେଜ ରୂପାନ୍ତର ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ସୂଚନା ଦେଇଥିଲେ।